ଅକ୍ଷୟ ମହାନ୍ତି ମଞ୍ଚରେ ଜାଭେଦ୍ ଅଲ୍ଲୀଙ୍କ କମାଲ୍‌, କଟକକୁ ସବୁ କଳାକାର ଆସିବାକୁ ଚାହାନ୍ତି: ଜାଭେଦ୍ ଅଲ୍ଲୀ

କଟକ: କଟକ ଭାଇଚାରାର ସହର। ଏଠିକା ଲୋକମାନେ ବେଶ୍ ସ୍ନେହୀ ଓ କଳା-ସଂସ୍କୃତିପ୍ରେମୀ। କଟକବାସୀଙ୍କର ସଂଗୀତ ପ୍ରତି ଶ୍ରଦ୍ଧା, ଆଉ କଳାକାରଙ୍କ ପ୍ରତି ସମ୍ମାନ ରହିଛି। ଏଥିପାଇଁ କଟକ ସହରକୁ ସବୁ କଳାକାର ଆସିବାକୁ ମନ ବଳାନ୍ତି। ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଟକ ସହରରେ ପ୍ରଥମଥର ପାଦ ଦେଇଥିବା ବଲିଉଡ୍‌ କଣ୍ଠଶିଳ୍ପୀ ‌‌ଜା‌ଭେଦ୍‌ ଅଲ୍ଲୀ ଏଭଳି କହି କଟକବାସୀଙ୍କ ହୃଦୟ ଜିତିଛନ୍ତି। ମହାନଦୀର ବିସ୍ତିର୍ଣ୍ଣ ତଟରେ ଚାଲିଥିବା ବାଲିଯାତ୍ରାକୁ ଶ୍ରୀ ଅଲ୍ଲୀ ଐତିହାସିକ ବାଲିଯାତ୍ରା ବୋଲି କହିବା ସହ ଏହା ହଜାର ହଜାର ବର୍ଷ ଧରି ପାଳିତ ହୋଇଆସୁଛି ବୋଲି କହିଥିଲେ।

ବାଲିଯାତ୍ରାକୁ ଦେଖି ଓ ଏହାର ବିଶାଳ ଜନସମାଗମ ଦେଖି ଶ୍ରୀ ଅଲ୍ଲୀ ବେଶ୍ ଉଲ୍ଲସିତ ହୋଇଥିଲେ। ପୂର୍ବରୁ ପୁରୀରେ ଓ ଭୁବନେଶ୍ବରରେ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ କଟକକୁ ଏହା ତାଙ୍କର ପ୍ରଥମ ଯାତ୍ରା ଥିଲା। କିନ୍ତୁ ବାଲିଯାତ୍ରାରେ ସମବେତ ଜନସମୁଦ୍ର ତଥା ମଞ୍ଚ ସମ୍ମୁଖରେ ଏତେସଂଖ୍ୟକ ଦର୍ଶକଙ୍କୁ ସେ କେବେ ଦେଖି ନଥିବା କହିଥିଲେ। ଏତେ ସଂଖ୍ୟକ କଳାପ୍ରେମୀ ଦର୍ଶକଙ୍କ ସମ୍ମୁଖରେ ଗାଇବା ସୌଭାଗର କଥା ଓ ଏଭଳି ସୁ‌ଯୋଗ ପାଇଥିବାରୁ ‌ସେମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବାକୁ କେବେ ହାତଛଡ଼ା କରିବି ନାହିଁ ବୋଲି ଶ୍ରୀ ଅଲ୍ଳୀ କହିଥିଲେ। ଶ୍ରୀ ଅଲ୍ଲୀ ନିଜସ୍ବ ହିଟ୍ ଗୀତ ‘ଶ୍ରୀ ବଲ୍ଲି….’ ତୁ ମେରି ଅଧୁରୀ ଖ୍ବାବ୍…., ଦିଲ୍ ଇବାଦତ୍…., ତୁ ‌ଧଡକନ ମେ ଦିଲ୍….., ଏକ୍‌ ଦିନ୍ ତେରି ରାହୋ ମେ…, ତୁ ହି ହକିକତ୍‌ ….’ ଆଦି ଗାଇ ମଞ୍ଚ ସମ୍ମୁଖ ଶ୍ରୋତାଙ୍କୁ ମତୁଆଲା କରିଥିଲେ। ସଂଗୀତ ମଧ୍ୟରେ ଜାଭେଦ୍ ଅଲ୍ଲୀ ମଞ୍ଚରୁ ଓହ୍ଲାଇ ମଞ୍ଚ ସମ୍ମୁଖ ଭିଭିଆଇପିଙ୍କୁ ଗାଇବାର ସୁଯୋଗ ଦେଇ ସେମାନଙ୍କ ମନ, ହୃଦୟକୁ ଜୟ କରିପାରିଥିଲେ। କିଛି ସମୟ ପାଇଁ ଜାଭେଦ୍‌ଙ୍କ ସଂଗୀତରେ କଟକର ଶ୍ରୋତା ଆଜି ଝୁମିଲେ, ନାଗିଲେ, ଆଉ ଗାଇଲେ ମଧ୍ୟ।

ବିଚାରପତିଙ୍କୁ ଛାଡ଼ିଲେନି ଚଉକି-ବଲିଉଡ୍‌ ସିଙ୍ଗର ‌‌ଜାଭେଦ୍ ଅଲ୍ଲୀଙ୍କ ସୋ’ ପାଇଁ ଅକ୍ଷୟ ମହାନ୍ତି ମଞ୍ଚ ବାଲିଯାତ୍ରା ତଳପଡ଼ିଆରେ ଆକର୍ଷଣ ସାଜିଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଞ୍ଚ ସମ୍ମୁଖରେ ଭିଭିଆଇପିଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା। ସୋ ସମୟରେ ହାଇକୋର୍ଟର ଜଣେ ଷ୍ଟାଣ୍ଡିଂ ବିଚାରପତି ଆସିଥିଲେ ମଧ୍ୟ ସିଟ୍ ନଥିଲା। ସିଟ୍ ନ ମିଳିବାରୁ ସେ କିଛି ସମୟ ଅପେକ୍ଷା କରିବା ପରେ ସେଠାରୁ ଚାଲିଯାଇଥିଲେ। ଏହା ଜଣାପଡ଼ିବା ପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଡିସିପି ପିନାକ୍‌ ମିଶ୍ର ତୁରନ୍ତ ଯାଇ ସଂପୃକ୍ତ ବିଚାରପତିଙ୍କୁ ଅଟକାଇବା ସହିତ ଅନୁରୋଧ କରି ମଞ୍ଚ ସମ୍ମୁଖକୁ ପାଛୋଟି ଆଣିଥିଲେ। ଏତେସଂଖ୍ୟକ ସିଟ୍, ଏତେସଂଖ୍ୟକ ଅଧିକାରୀ ଥାଇ ମଧ୍ୟ ଜଣେ ହାଇକୋର୍ଟ ବିଚାରପତିଙ୍କୁ ସ୍ବାଗତ କରା ନଯିବା ଓ ତାଙ୍କୁ ସିଟ୍ ନମିଳିବା ଭଳି ତ୍ରୁଟି ଆଉ କ’ଣ ହୋଇପାରେ? ଜିଲ୍ଲା ପ୍ରଶାସନର ଏଭଳି ଅବ୍ୟବସ୍ଥାକୁ ବିଭିନ୍ନ ମହିଲରେ ନାପସନ୍ଦ କରାଯାଇଛି।

Sambad

 

୨୦ବର୍ଷ ହେଲା ମଞ୍ଚ ସଞ୍ଚାଳିକା​ ବଦଳୁ ନାହାନ୍ତି- ବାଲିଯାତ୍ରା ପ୍ରତିବର୍ଷ ବଢ଼ି ଚାଲିଥିବା ବେଳେ ଦର୍ଶକମାନେ ପ୍ରତିବର୍ଷ କିଛି ନା’ କିଛି ନୂଆ ଦେଖିବାକୁ ଚାହୁଁଛନ୍ତି। ପ୍ରଶାସନ ସେ ସବୁର ବନ୍ଦୋବସ୍ତ କରୁଛି। ହେଲେ, ସା​ସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ସଂଚାଳିକା କିନ୍ତୁ ବଦଳୁ ନାହାନ୍ତି। ଗତ ୨୦ବର୍ଷ ହେଲା ଜଣେ ସଂଚାଳିକା ମଞ୍ଚ ସଞ୍ଚାଳନ କରୁଥିବା ଦେଖାଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ସଂଚାଳନ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ୨୦ବର୍ଷ ଅଧିକ ସମୟ ଧରେ ଜଣେ ମହିଳା ମଞ୍ଚ ସଂଚାଳନ କରିବାକୁ ଦର୍ଶକମାନେ ନାପସନ୍ଦ କରିଛନ୍ତି।

କଳାକାରଙ୍କ ପ୍ରଶଂସା କମ୍‌, ଜିଲ୍ଲାପାଳଙ୍କ ବେଶୀ-ବାଲିଯାତ୍ରାର ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ୭/୮ଟି ସାଂସ୍କୃତିକ ଦଳ କଳା ପରିବେଷଣ କରୁଛନ୍ତି। କଳା ପରିବେଷଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅନୁଷ୍ଠାନର ମୁଖ୍ୟଙ୍କୁ ସମ୍ମାନିତ କରାଯାଉଛି ଓ ମଞ୍ଚ ସଂଚାଳକ ସେଇ ଅନୁଷ୍ଠାନକୁ ପ୍ରଶଂସା କରୁଛନ୍ତି। ତେବେ, ବୈଷ୍ଣବ ପାଣି ମଞ୍ଚରେ ପ୍ରତିଦିନ ସଂଧ୍ୟାରେ କଳାକାରଙ୍କୁ ଯେତିକି ପ୍ରଶଂସା କରାଯାଉଛି ତା’ଠାରୁ ତିନିଗୁଣ ଅଧିକ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ କରାଯାଉଛି। ସଂଚାଳକ/ସଂଚାଳିକା ଏହା ସ୍ବତଃ କରୁଛନ୍ତି ନା’ ତାଙ୍କୁ ସେମିତି କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଛି? ନା’ ଆଗାମୀ ବର୍ଷ ପାଇଁ ସଂଚାଳନ ଦାୟିତ୍ବକୁ ପକ୍କା କରି ରଖିବା ଉଦ୍ଦେଶ୍ୟରେ ସେମାନେ ଏମିତି କରୁଛନ୍ତି?

ସମ୍ବନ୍ଧିତ ଖବର