କଟକ: ମାଟିରେ ମିଶିଲେ ମାଟିର କଳାକାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ । ରାଜ୍ୟ ପୁଲିସ ବାହିନୀର ଗାର୍ଡ ଅଫ୍ ଅନର ପ୍ରଦାନ ପରେ ଚର୍ଚ୍ଚ ଅଫ ଗଡ଼ରେ ତାଙ୍କୁ କବର ଦିଆଯାଇଛି । ଖ୍ରୀଷ୍ଟ୍ରୀୟ ପରମ୍ପରା ଅନୁଯାୟୀ ଶେଷକୃତ୍ୟ କରାଯାଇଛି । ପରିବାରବର୍ଗଙ୍କ ସହ ବହୁ କଳାପ୍ରେମୀଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ବିଦାୟ ନେଇଛନ୍ତି ବରିଷ୍ଠ ଅଭିନେତ୍ରୀ। ଜିଲ୍ଲାପାଳ ଡ଼. ଭବାନୀ ଶଙ୍କର ଚୟନୀ, ଆଡିସିନାଲ ଡିସିପି ଅନୀଲ ମିଶ୍ର ଉପସ୍ଥିତ ରହି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୮୨ ବର୍ଷୀୟ ଅଭିଜ୍ଞ କଳାକାର ଝରଣା ଦାସଙ୍କ ବିୟୋଗରେ ଓଡ଼ିଆ ସିନେ-ଜଗତରେ ସୃଷ୍ଟି ହୋଇଛି ଏକ ବିରାଟ ଶୁନ୍ୟସ୍ଥାନ। ଶିଶୁ କଳାକାର ଭାବରେ ବେତାରରେ ଅଭିନୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ବେଶ ଲୋକପ୍ରିୟ ହୋଇ ଷାଠିଏ ଦଶକରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ।
Sambadବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଶ୍ରୀଜଗନ୍ନାଥ, ନାରୀ, ଅଦିନମେଘ, ଅମଡ଼ାବାଟ, ଅଭିନେତ୍ରୀ, ମହ୍ଲାଜହ୍ନ, ହିସାବନିକାଶ, ପୂଜାଫୁଲ, ସମୟ ବଡ଼ ବଳବାନ, ଆ ଜହ୍ନରେ ଲେଖିବା ନାଆଁ ଏବଂ ହୀରାନୀଳା ଆଦି ବହୁ ସିନେମାରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ଦୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ। ସେ କଟକ ଆକାଶବାଣୀରେ ଜଣେ ବିଶିଷ୍ଟ ଶିଶୁ କଳାକାର ଭାବେ ପ୍ରଥମେ ଶ୍ରୋତାଙ୍କ ନିକଟରେ ପରିଚିତ ହୋଇଥିଲେ। ପରେ ସେ ଓଡ଼ିଶାର ଖ୍ୟାତନାମା ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କରିଥିଲେ। ଆକାଶବାଣୀ କଟକରେ ଘୋଷିକା ଭାବେ କାର୍ଯ୍ୟ କରିଥିଲେ। ନିଜର ମଧୁର କଣ୍ଠସ୍ବର ଲାଗି ଶ୍ରୋତାଙ୍କ ନିକଟତର ହୋଇଥିଲେ ଝରଣା ଦାସ। ଏହାଛଡ଼ା ସେ ବହୁ ବେତାର ନାଟକରେ ବି ଅଭିନୟ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/VideoCapture_20221203-181929.jpg)