ସିଏମ୍‌ସି କମିସନରଙ୍କ ପୋଷ୍ୟ ସ୍କୁଲ ଜମି ବି ଜବରଦଖଲରେ, ଯୋବ୍ରା ହାଇସ୍କୁଲର ୮୩ ଡିସିମିଲ ଜମିରୁ କେବେ ହଟିବେ ଜବରଦଖଲକାରୀ?

କଟକ: ଯୋବ୍ରାସ୍ଥିତ ପୌର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ସିଏମସି କମିସନର ଅନନ୍ୟା ଦାସ। ଏହି ସ୍କୁଲର ବିକାଶ ଦାୟିତ୍ବ ନିଜ ହାତକୁ ନେଇଛନ୍ତି। କିନ୍ତୁ ସ୍କୁଲର ୮୩ ଡିସିମିଲରୁ ଅଧିକ ଜମି ଜବରଦଖଲକାରୀ କବ୍‌ଜା କରି ରଖିଛନ୍ତି। ସିଏମସି କମିସନରଙ୍କ ପୋଷ୍ୟ ସ୍କୁଲରୁ ଯଦି ଜବରଦଖଲରୁ ମୁକ୍ତ ହୋଇ ନପାରୁଛି ତେବେ ଅନ୍ୟ କେଉଁଠି କ’ଣ ଅଧିକ ଆଶା କରାଯିବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି। ସ୍କୁଲରେ ଏବେ ୯୮୩ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ସ୍କୁଲର କ୍ଲାସରୁମ୍‌, ଖେଳପଡିଆ, ପାଚେରି ପରି ବିଭିନ୍ନ ସମସ୍ୟା ଥିବା ବେଳେ ସ୍କୁଲ ଜମି ଜବର ଦଖଲରେ ରହିବା ପ୍ରମୁଖ ସମସ୍ୟା ଭାବେ ରହିଆସିଛି। ଏହାର ସମାଧାନ ପାଇଁ ସ୍କୁଲ ପକ୍ଷରୁ ବିଭିନ୍ନସ୍ତରରେ ଉଦ୍ୟମ କରାଯାଇ ଥିଲେ ବି ଏହାର ବାଟ ବାହାରି ପାରିନାହିଁ। ଅନ୍ୟପଟେ ଗତ ମାର୍ଚ୍ଚରୁ ସିଏମ୍‌ସି କମିସନର ଯୋବ୍ରା ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଏହା ମଧ୍ୟରେ ୫ମାସରୁ ଅଧିକ ଦିନ ବିତି ଯାଇଥିଲେ ବି ଜବରଦଖଲ ସମସ୍ୟାର ସମାଧାନ ଦିଗରେ କୌଣସି ଉଦ୍ୟମ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ୧୯୬୦ ସମିହାରେ ଏହି ହାଇସ୍କୁଲ ସ୍ଥାପିତ ହୋଇଥିଲା। ଏହାକୁ ୧୯୯୮ରେ ପୌର ନିଗମ ନିଜ ଅଧୀନକୁ ନେଲା। ଏବେ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୫୭୬ ଛାତ୍ରଛାତ୍ରୀ ପଢୁଥିବା ବେଳେ ୯ମ ଓ ୧୦ମ ଶ୍ରେଣୀରେ ୪୦୭ ଛାତ୍ରଛାତ୍ରୀ ପଢୁଛନ୍ତି। ସ୍କୁଲଟି ୨ ଏକର ୮୩ ଡିସ୍‌ମିଲ ଜମି ଉପରେ ଥିବା ବେଳେ ଏହାର ୮୩ ଡିସିମିଲ ଜାଗା ଏବେ ଜବରଦଖଲରେ ରହିଛି। ୧୯ ବର୍ଷ ପୂର୍ବରୁ ସ୍କୁଲ ପରିସରରେ ଜଣେ ଦୁଇ ଜଣ ବ୍ୟକ୍ତି କୁଡିଆ କରି ରହିବା ଆରମ୍ଭ କରିଥିଲେ। ଏବେ ଏଠାରେ ୪୫ରୁ ଅଧିକ ପରିବାର ସ୍କୁଲ ଜାଗାକୁ ମାଡିବସି ଚାଳ ଛପର, ଆ‌ଜବେଷ୍ଟସ ଘର ଇତ୍ୟାଦି ନିର୍ମାଣ କରି ରହୁଛନ୍ତି। ସ୍କୁଲ ଜମି ଜବଦଖଲରେ ଥିବାରୁ ଏହାର ପାଚେରି ନିର୍ମାଣ ହୋଇ ପାରୁନାହିଁ। ସ୍କୁଲ ପରିସରରେ ସବୁ ସମୟରେ ଅସାମାଜିକଙ୍କ ଆଡ଼ା ଜମୁଛି।

ସ୍କୁଲ ପରିସରରୁ ଜବରଦଖଲ ଉଚ୍ଛେଦ ପାଇଁ ସ୍କୁଲ ପକ୍ଷରୁ ବହୁବାର ଚେଷ୍ଟା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ଠାରୁ ସିଏମ୍‌ସି କମିସନରଙ୍କୁ ଏକାଧିକ ଥର ଚିଠି କରାଯାଇଛି। ମାତ୍ର ସବୁଥର ରାଜନୈତିକ କାରଣ ଯୋଗୁଁ ଉଚ୍ଛେଦ ବନ୍ଦ ହୋଇଛି। ସରକାରଙ୍କ ‘ମୋ ସ୍କୁଲ’ ଯୋଜନାରେ ସିଏମ୍‌ସି କମିସନର ଅନନ୍ୟା ଦାସ ୨୦୨୧ ମାର୍ଚ୍ଚ ୩୦ ତାରିଖରେ ଯୋବ୍ରା ପୌର ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ସ୍କୁଲରେ ୨ଟି ସ୍ମାର୍ଟ କ୍ଲାସରୁମ୍‌, ଶ୍ରେଣୀଗୃହ ଛାତ ମରାମତି, ଇ-ଲାଇବ୍ରେରି, ଖେଳ ପଡିଆ ଉନ୍ନତିକରଣ, ସ୍କୁଲ ପାଚେରି ଆଦିର ନିର୍ମାଣ କରିବାକୁ ସେ ଯୋଜନା କରିଛନ୍ତି। ମାତ୍ର ବହୁ ବର୍ଷ ଧରି ସ୍କୁଲ ଜାଗା ଜବର ଦଖଲରେ ଥିବା ବେଳେ ଏହାର ସମାଧାନ ଦିଗରେ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସ୍କୁଲର ମୁଖ୍ୟ ସମସ୍ୟା ମଧ୍ୟରେ ଜମି ଜବରଦଖଲ ରହିଛି। ଏହାର ସମାଧାନ ପାଇଁ ସ୍କୁଲ ପକ୍ଷରୁ ଅନେକ ଥର ଚେ‌ଷ୍ଟା କରାଯାଇଛି। ମାତ୍ର ତାହା ହୋଇପାରୁ ନାହିଁ। କେବଳ ପ୍ରଶାସନିକ ସ୍ତରରେ ଏହାର ସମାଧାନ ହୋଇ ପାରିବ ବୋଲି ସ୍କୁଲ ପ୍ରଧାନ ଶିକ୍ଷକ ଅମରେଶ କୁମାର ମହାଲି କହିଛନ୍ତି। ଯୋବ୍ରା ହାଇସ୍କଲରୁ ଜବରଦଖଲ ଉଚ୍ଛେଦ ପାଇଁ ଯୋଜନା ଥିବା ବେଳେ ଏନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସିଏମ୍‌ସି ‌ଡେପୁଟି କମିସନର (ଏନ‌ଫୋର୍ସମେଣ୍ଟ) ଅବିନାଶ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର