ଓଡ଼ିଶା ପୁଲିସ୍‌ରେ ଅଲୋଡ଼ା ଜିଆର୍‌ପି, ଥାନାରେ ୮ ଅଫିସର୍‌ଙ୍କ ପାଇଁ ୪ ଚୌକି

କଟକ: ରାଜ୍ୟରେ ରେଳସେବା ଆରମ୍ଭ ପରେ ପ୍ରଥମ ଜିଆରପି ଥାନା ଖୋଲିଥିଲା କଟକରେ। କିନ୍ତୁ କଟକ ଜିଆର୍‌ପିର ଉଦ୍‌ବେଗଜନକ ଭିତ୍ତିଭୂମି ଏହାର ସ୍ଥିତିକୁ ନେଇ ଆଶଙ୍କା ସୃଷ୍ଟି କରିଛି। ଜିଆରପି ଥାନାରେ ଉଭୟ ପୁରୁଷ ଓ ମହିଳା ଅଭିଯୁକ୍ତଙ୍କ ପାଇଁ ମାତ୍ର ଗୋଟିଏ ହାଜତ ରହିଛି। ହାଜତରେ ଶୌଚାଳୟ ବି ନାହିଁ। ଥାନାରେ ମଞ୍ଜୁରୀପ୍ରାପ୍ତ ଅଫିସର ସଂଖ୍ୟା ୯। ଇନ୍ସପେକ୍ଟରଙ୍କ ପାଇଁ ସ୍ବତନ୍ତ୍ର ରୁମ୍ ରହିଛି। କିନ୍ତୁ ୨ ଏସ୍ଆଇ ଓ ୬ ଏଏସ୍‌ଆଇଙ୍କ ବସିବା ପାଇଁ ମାତ୍ର ୪ଟି ଚୌକି ପଡ଼ିଛି। ଥାନାରେ ଜବତ ମାଲ୍ ରଖିବାକୁ ବି ଜାଗା ନାହିଁ। ଥାନା ବାହାରେ ରହୁଛି ମାଲଖାନାର ମାଲ୍। ଓଡ଼ିଶା ପୁଲିସର ଥାନାସ୍ତରରେ ଆଧୁନିକୀକରଣ ପାଇଁ ୨୦୦ କୋଟି ଟଙ୍କା ରାଜ୍ୟ ସରକାର ନିକଟରେ ଖର୍ଚ୍ଚ କରିଛନ୍ତି। କିନ୍ତୁ ଏହି ବଜେଟରୁ ରାଜ୍ୟରେ ଥିବା କୌଣସି ଜିଆରପି ଥାନା ପାଇଁ ବି ଟଙ୍କାଟିଏ ଖର୍ଚ୍ଚ ହେଲାନାହିଁ। କଟକ ଜିଆର୍‌ପିରେ ୮ ଅଧିକାରୀଙ୍କ ପାଇଁ ୪ଟି ଚୌକି ଥିବାରୁ ଜଣେ ଚୌକି ନ ଛାଡ଼ିଲେ ଅନ୍ୟ ଜଣେ ଅଫିସର ବସି ପାରିବେ ନାହିଁ। ସେପର୍ଯ୍ୟନ୍ତ ଅଫିସର ଜଣକ ପ୍ଲାଟଫର୍ମରେ ବସିବାକୁ ବାଧ୍ୟ ହେଉଛନ୍ତି। ଥାନାରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୧୦ ଥିବା ବେଳେ ଗୋଟିଏ ମାତ୍ର ଶୌଚାଳୟରେ ଥାନାର ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୪୦ ପୁଲିସ କର୍ମଚାରୀ ତାହାକୁ ବ୍ୟବହାର କରୁଛନ୍ତି। ପୁଲିସ ସହିତ ଅଭିଯୁକ୍ତ ବି ଏହି ଶୌଚାଳୟକୁ ବ୍ୟବହାର କରୁଛନ୍ତି। ମହିଳା ପୁଲିସ ଅଫିସରଙ୍କ ପୋଷାକ ପରିବର୍ତ୍ତନ ପାଇଁ ବି ରୁମ୍ ନାହିଁ। ରାଇଟର୍ ରୁମରେ ବାଧ୍ୟ ହୋଇ ମହିଳା କର୍ମଚାରୀ ପୋଷାକ ପରିବର୍ତ୍ତନ କରୁଛନ୍ତି।
ମାନବାଧିକାର କମିସନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଥାନାରେ ଅଭ୍ୟର୍ଥନା କକ୍ଷ, ମହିଳା ଓ ଶିଶୁ ଡେସ୍କ ରହିବା କଥା। ପୁଲିସ ଅଫିସର ସାଦା ପୋଷାକରେ ମହିଳାଙ୍କ ଓ ଶିଶୁଙ୍କ ମାମଲାର ତଦାରଖ କରିବା ନେଇ ନିର୍ଦ୍ଦେଶନାମା ରହିଛି। କିନ୍ତୁ ଏ ପ୍ରକାର ବ୍ୟବସ୍ଥା ବି ଏଠି ନାହିଁ। ଥାନା ଭିତରେ ଯେଉଁ ମାଲଖାନା ରହିଛି ଆକାରରେ ଏତେ ଛୋଟ ଯେ ଜବତ ମାଲ୍ ରଖିବା ପୁଲିସ ପାଇଁ ଏବେ ବଡ଼ ସମସ୍ୟା ହେଲାଣି।

ଥାନା ମାଲଖାନାରେ ୬୦ଟି ମାଲ୍ ଥିବା ବେଳେ ଥାନାରୁ ଦୂରରେ ଏକ ଭଙ୍ଗା ଘରେ ପୁଲିସ ପାଖାପାଖି ୨୦୦ ଜବତ ମାଲ୍ ଅସୁରକ୍ଷିତ ଭାବେ ରଖିଛି। ପାଖାପାଖି ୨୦ ବର୍ଷ ତଳର ମାଲ୍ ଏଠି ରହିଛି। ଯଦି ସେଠୁ କୌଣସି ମାଲ୍ ହଜିଯାଏ ତେବେ ମାଲଖାନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଚାକିରି ପ୍ରତି ବିପଦ ରହିଛି। ଥାନାର ରେକର୍ଡ ରୁମ୍ ସ୍ଥିତି ବି ଅତି ଦୟନୀୟ। ବର୍ଷାରେ ଛାତରୁ ପାଣି ଗଳୁଥିବାରୁ ଗଲା ୧୫ ବର୍ଷର ରେକର୍ଡ ବର୍ଷା ପାଣିରେ ନଷ୍ଟ ହୋଇଯାଇଛି। ଏସବୁ ରେକର୍ଡ ଉଦ୍ଧାର କରିବା ଆଦୌ ସମ୍ଭବପର ନୁହେଁ। ନଷ୍ଟ ହୋଇଥିବା ରେକର୍ଡ ଆଗାମୀ ଦିନରେ ପୁଲିସ ପାଇଁ ବଡ଼ ସମମ୍ୟା କରିପାରେ। ଗଲା ଏପ୍ରିଲ ଶେଷ ସପ୍ତାହରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନିଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିକ୍ୟୁରିଟି କମିଟି ବୈଠକ ରେଳବାଇ ପକ୍ଷରୁ ବସିଥିଲା। ଏହି ବୈଠକରେ ଜିଆର୍‌ପି ପ୍ରତି ଏଭଳି ଅବହେଳାକୁ ନେଇ ରେଳବାଇ ଏଡିଜି ସୁଧାଂଶୁ ଷଢ଼ଙ୍ଗୀ କ୍ଷୋଭ ପ୍ରକାଶ କରିଥିଲେ। ପୁଲିସ ମୁଖ୍ୟାଳୟ ଥିବା ସହରର ଜିଆରପି ଥାନା ଅବସ୍ଥା ଏମିତି ହୋଇଥିବା ବେଳେ ରାଜ୍ୟର ୧୪ଟି ଜିଆରପି ଥାନାର ଭିତ୍ତିଭୂମି ଆହୁରି ଶୋଚନୀୟ। କଟକ ଜୋନ୍ ଏସଡିଆରପିଓ ସ୍ମୃତି ରଞ୍ଜନ କର କହିଛନ୍ତି ଯେ ବାରମ୍ବାର ଜିଆରପିର ଭିତ୍ତିଭୂମି ସଂକ୍ରାନ୍ତରେ ରେଳବାଇ ଏସ୍‌ପିଙ୍କ ମାଧ୍ୟମରେ ଖୋର୍ଧା ଡିଆରଏମ(ଡିଭିଜନାଲ୍ ରେଲଓ୍ବେ ମ୍ୟାନେଜର)ଙ୍କୁ ଚିଠି ଲେଖାଯାଇଛି। ପାଖାପାଖି ୨୦ ଥର ଚିଠି ଲେଖାଯାଇଛି। ସ୍ବତନ୍ତ୍ର ଘର ଯୋଗାଇବାକୁ ଚିଠି ଲେଖାଯାଇଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଉ ନାହିଁ।

ସମ୍ବନ୍ଧିତ ଖବର