ପୂର୍ବତନ ବିଚାରପତି କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର/କଟକ : ପୂର୍ବତନ ବିଚାରପତି କୃଷ୍ଣପ୍ରସାଦ ମହାପାତ୍ରଙ୍କ ୯୩ ବର୍ଷ ବୟସରେ ଆଜି ସକାଳ ୭ଟାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁଶଯ୍ୟା‌ ନିକଟରେ ପୁତ୍ର ବିକାଶ ଚନ୍ଦ୍ର ମହାପାତ୍ର, ସିଦ୍ଧାର୍ଥ ମାହାପତ୍ର, ଝିଅ ବିଶ୍ବମିତ୍ରା ତ୍ରିପାଠୀ, ବୋହୂ, ଜ୍ବାଇଁ, ନାତିନାତୁଣୀ ଓ ଆତ୍ମୀୟସ୍ବଜନମାନେ ଉପସ୍ଥିତ ଥିଲେ। ସଂଧ୍ୟାରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

୧୯୨୮ ଏପ୍ରିଲ୍‌ ମାସରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ବରଗଡ଼ ସହରରେ ଜନ୍ମଗ୍ରହଣ କରିଥିଲେ ସ୍ବର୍ଗତ ମହାପାତ୍ର। ସେ ୧୯୫୦ରେ ଆଇନ୍‌ଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୫୩ରେ ସମ୍ବଲପୁର ଜିଲ୍ଲା କୋର୍ଟରେ ପିପି ଭାବେ କାର୍ଯ୍ୟ କରିଥିଲେ। ୧୯୫୫ରେ କଟକ ଜିଲ୍ଲା ଅତିରିକ୍ତ ମୁନ୍‌ସିବ ଭାବେ ନିଯୁକ୍ତି ପାଇଥିଲେ। ୧୯୭୧ରେ ହାଇକୋର୍ଟର ରେଜିଷ୍ଟ୍ରାର ଭାବେ ଯୋଗଦେଇଥିଲେ। ୧୯୭୫ ମସିହାରେ କଟକ ଓ ୭୮-୭୯ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ବିଚାପତି ଭାବେ ଯୋଗଦେଇଥିଲେ। ଏହାପରେ ୧୯୭୯ ମସିହାରେ ଲ’ ସେକ୍ରେଟାରି ଭାବେ ଯୋଗଦେଇଥିଲେ। ୧୯୮୩ ମସିହାରେ ଗଞ୍ଜାମ ଓ ଫୁଲବାଣୀ ଜିଲ୍ଲା ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ। ହାପରେ ୧୯୮୪ ମସିହାରେ ହାଇକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିଲେ। ୧୯୯୦ ଏପ୍ରିଲ୍‌ ୧୨ ତାରିଖରେ ଅବସର ଗ୍ରହଣ କରିଥିଲେ। ୧୯୯୩ ମସିହାରୁ ୧୯୯୫ ମସିହା ଯାଏ ୨ବର୍ଷ ଧରି ବ୍ଲକ ରି ଅର୍ଗାନାଇଜେସନ୍‌ କମିଟିରେ ଅଧ୍ୟକ୍ଷ ପଦବିରେ ରହିଥିଲେ। ୧୯୯୭ ମସିହାରେ ଓଡ଼ିଶା ତୃତୀୟ ଲୋକପାଳ ଭାବେ ନିଯୁକ୍ତି ପାଇ ୨୦୦୨ ପର୍ଯ୍ୟନ୍ତ ଦାୟିତ୍ବରେ ଥିଲେ।

ସମ୍ବନ୍ଧିତ ଖବର