ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ

କଟକ: କଟକ ଅତିରିକ୍ତ ଦୌରା ଅଦାଲତ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ବନ୍ଦନା କର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଆସାମୀ ରାମ ମୁଣ୍ଡା ଓରଫ ରାମ ଲାଗୁରି(୩୦)କୁ ୨୦ ବର୍ଷ ସଶ୍ରମ କରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଆଇପିସିର ଦଫା ୩୭୬(୨)(ଆଇ) ଓ ପୋକ୍‌ସୋ ଆଇନର ଧାରା ୬ରେ ରାମକୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ରାଶି ଅନାଦେୟ ହେଲେ ଆସାମୀକୁ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଆସାମୀ ରାମ ମୁଣ୍ଡା କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାୟଗଡ଼ର ମୂଳ ବାସିନ୍ଦା ଓ ଘଟଣା ବେଳେ ସେ ସିଡିଏ ସେକ୍ଟର ୧୧ରେ ରହୁଥିଲା। ଏଥିସହ ଏହି ଘଟଣାରେ ପୀଡ଼ିତାଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୫ ମାର୍ଚ୍ଚ ୧୯ରେ ମର୍କତନଗର ଥାନାରେ ପୀଡ଼ିତାର ମା’ ଅଭିଯୋଗ କରିଥିଲେ ଯେ ୫ଦିନ ତଳେ ରାମ ତାଙ୍କ ଝିଅ ସହିତ ଦୁଷ୍କର୍ମ କରିଥିଲା। ୭ ବର୍ଷୀୟା ନାବାଳିକା ତା’ ଭାଇ ସହିତ ଖେଳୁଥିବା ବେଳେ ରାମ ଦୁଇ ଜଣଙ୍କୁ ସାଇକେଲରେ ବସାଇ ବୁଲାଇବାକୁ ନେଇଥିଲା। ଏହି ସମୟରେ ଏକ ନିଛାଟିଆ ସ୍ଥାନରେ ରାମ ପୀଡ଼ିତା ନାବାଳିକା ସହିତ ଦୁଷ୍କର୍ମ କରିଥିଲା। ଅଭିଯୋଗକାରିଣୀଙ୍କ ମୁତାବକ, ଘରକୁ ଫେରିବା ପରେ ଏ ନେଇ ପୀଡ଼ିତା କାନ୍ଦି କାନ୍ଦି କହିଥିଲା। ପୀଡ଼ିତାର ୮ବର୍ଷୀୟା ଭାଇ ମଧ୍ୟ ଏ ନେଇ ଘରେ କହିଥିଲା। ପୀଡ଼ିତାର ଘରେ ଚିକିତ୍ସା କରାଯାଇଥିବା ବେଳେ ପରବର୍ତ୍ତୀ ସମୟ‌ରେ ଏ ନେଇ ମର୍କତନଗର ଥାନାରେ ଏତଲା ରୁଜୁ କରାଯାଇଥିଲା। ପୁଲିସ ୨୦୧୫ ମାର୍ଚ୍ଚ ୧୯ରେ ଆଇପିସିର ଦଫା ୩୭୬, ପୋକ୍‌ସୋ ଆଇନର ଧାରା ୪ ଓ ୬ରେ ଏତଲା ରୁଜୁ କରିବା ପରେ ରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚାର୍ଜସିଟ୍‌ ପରେ ଅଦାଲତରେ ଶୁଣାଣି ସମୟରେ ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ରାମକୁ ଜାମିନ ମିଳି ନଥିବା ବେଳେ ସେ ଜେଲରେ ରହିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ‌ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର