ହାଇକୋର୍ଟରେ କଲ୍ୟାଣମଣ୍ଡପ ମାମଲା: ସାନି ସ୍ଥିତି ନେଇ ସତ୍ୟପାଠ ଦାଖଲ କରିବ ସିଏମ୍‌ସି

କଟକ: କଟକ ସହରରେ ଥିବା କଲ୍ୟାଣ ମଣ୍ଡପଗୁଡ଼ିକର କଣ ସାନି ସ୍ଥିତି ରହିଛି ସେ ନେଇ ସତ୍ୟପାଠ ଦାଖଲ ପାଇଁ ସିଏମ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୨୪ ସୁଦ୍ଧା ସିଏମ୍‌ସି ସତ୍ୟପାଠ ଦାଖଲ କରିବ ଓ ଫେବ୍ରୁଆରି ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.‌କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ. ଭେଙ୍କଟରାଓଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୧, ଅଗଷ୍ଟ ୧୬ରେ ହାଇକୋର୍ଟରେ ସିଏମ୍‌ସି ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ କଲ୍ୟାଣ ମଣ୍ଡପଗୁଡ଼ିକର ଯାଞ୍ଚ ପାଇଁ ଜୁନ୍ ୨୩ରେ ୮ଟି ଟିମ୍ ଗଠନ କରାଯାଇଥିଲା। ଯାଞ୍ଚ ସମୟରେ ୭୪ଟି କଲ୍ୟାଣମଣ୍ଡପ ମଧ୍ୟରୁ ୧୩ଟି ତାଲା ବନ୍ଦ ଥିବା ବେଳେ ଗୋଟିଏ ସଂପୂର୍ଣ୍ଣ ଭାବେ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ତେଣୁ ଏହି ସବୁ କଲ୍ୟାଣମଣ୍ଡପର ଯାଞ୍ଚ କରାଯାଇ ପାରି ନଥିଲା। ୧୩ଟି ମଣ୍ଡପ ଯାଞ୍ଚ ସମୟରେ ତାଲାବନ୍ଦ ଥିଲା ବେଳେ ପୂର୍ବରୁ କିନ୍ତୁ ଏସବୁ ନିୟମ ପାଳନ ନ କରି କାର୍ଯ୍ୟକ୍ଷମ ଥିବା ଜଣା ପଡିଥିଲା। ପୂର୍ବରୁ କରାଯାଇଥିବା ଯାଞ୍ଚ ସମୟରେ ଏଭଳି ତଥ୍ୟ ସାମନାକୁ ଆସିଥିଲା। ତେଣୁ ଏହି ସବୁ ମଣ୍ଡପ ମାଲିକଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ମଣ୍ଡପ ନ ଚଳାଇବାକୁ ନୋଟିସ୍ ଜାରି କରାଯାଇଥିଲା। ୬୦ଟି ମଣ୍ଡପର ଯାଞ୍ଚ କରାଯାଇଥିଲା। କୌଣସି ଗୋଟିଏ ବି ମଣ୍ଡପ କଟକ ଡେଭେଲପମେଣ୍ଟ୍‌ ଅଥରିଟି (ପ୍ଲାନିଂ ଆଣ୍ଡ୍ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍) ରେଗୁଲେସନ୍, ୨୦୧୭ ପାଳନ କରୁ ନଥିବା ଜଣାପଡ଼ିଥିଲା। ନିୟମାବଳୀ ପାଳନ ନ କରି କାର୍ଯ୍ୟକ୍ଷମ ଥିବା ଏହି ସବୁ ମଣ୍ଡପ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଛନ୍ତି।

ଏହି ସବୁ ମଣ୍ଡପ କାହିଁକି ବନ୍ଦ ନ କରାଯିବ ସେ ନେଇ ୧୫ ଦିନ ଭିତରେ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି। ଏଥି ସହିତ କାହିଁକି ଏହି ସବୁ ମଣ୍ଡପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ ଜବାବ ତଲବ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ପରେ ବା ଜବାବ ମିଳିବା ପରେ ନିୟମ ଉଲ୍ଲଂଘନ କରୁଥିବା ମଣ୍ଡପ ମାଲିକଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। କୋର୍ ସିଟି କଟକ ପାଇଁ ଯୋଜନା ଓ କୋଠା ମାନଦଣ୍ଡ ନିୟମାବଳୀ (ପ୍ଲାନିଂ ଆଣ୍ଡ୍ ବିଲ୍ଡିଂ ଷ୍ଟାଣ୍ଡର୍ଡ ରେଗୁଲେସନ୍) ପ୍ରସ୍ତୁତ ପାଇଁ ମୁମ୍ବାଇର କ୍ରିସିଲ୍‌ ରିସ୍କ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍‌ ସଲ୍ୟୁସନ୍ ଲିମ‌ିଟେଡ୍‌କୁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ଗତ ଅଗଷ୍ଟ ୩ରେ ଏହି ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଂସ୍ଥା ଡ୍ରାଫ୍ଟ ରେଗୁଲେସନ୍ ୫ ମାସ ଭିତରେ ଦାଖଲ କରିବ। ଏହାକୁ ନଗର ଉନ୍ନୟନ ବିଭାଗ ନିକଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଏପ୍ରିଲ ୧୯ରେ କଲ୍ୟାଣ ମଣ୍ଡପ ଆସୋସିଏସନ୍ ସଂପାଦକଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ୭୪ଟି ମଣ୍ଡପର ଲାଇସେନ୍ସ ନବୀକରଣ କରାଯାଇଛି। ଏହି ସବୁ କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯାଇଛି। ଏହାପରେ ସମସ୍ତ ୭୪ଟି ଯାକ କଲ୍ୟାଣମଣ୍ଡପ ପରିସର ଯାଞ୍ଚ କରିବାକୁ ସିଏମ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍କ୍ୟୁରି ଅରୁଣ କୁମାର ବୁଦ୍ଧିଆ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର