କାଳୀଭସାଣି: ଗତକାଲି ୨ଟି, ରାତି ୧୨ସୁଦ୍ଧା ୨୫ ମେଢ଼ ବିସର୍ଜିତ

କଟକ: ଆଜି ପ୍ରଥମେ ପାଣିକୁ ଗଲେ ବଙ୍ଗ‌ାଳୀସାହି ମଠ,  ୨୪ତାରିଖ, ସୋମବାରଠାରୁ ମଣ୍ଡପରେ ପୂଜା ପାଉଥିବା ମା’ କାଳୀଙ୍କୁ ଆଜି ବିଦାୟ ଦିଆଯାଇଛି। ଆଜି ପ୍ରଥମ ମେଢ଼ ଭାବେ ବଙ୍ଗାଳୀସାହି ମଠ ମେଢ଼ ପୁରୀଘାଟ ଦେବୀଗଡ଼ା ଗଡ଼ିଥିବା ବେଳେ ପଛକୁ ପଛ ଷ୍ଟେସନବଜାର ମେଢ଼ ଓ ବାଦାମବାଡ଼ିସ୍ଥିତ ଓଏସ୍‌ଆର୍‌ଟିସି ସଂଘ ମେଢ଼ ଦେବୀଗଡ଼ା‌ସ୍ଥିତ ଅସ୍ଥାୟୀ ପୋଖରୀରେ ବିସର୍ଜିତ ହୋଇଛି। ରାତି ୧୨ଟା ସୁଦ୍ଧା ମୋଟ ୨୫ଟି ମେଢ଼ ବିସର୍ଜନ ହୋଇଥିବା ସୂଚନା ମିଳିଛି। ଚଳିତବର୍ଷ ସହରର ୭୦ଟି ମଣ୍ଡପରେ ମା’ କାଳୀ ପୂଜା ପାଇଥିବା ବେଳେ ଆଜି ବିଭିନ୍ନ ପୂଜା କମିଟି ପକ୍ଷରୁ ଆନୁଷ୍ଠାନିକ ଭସାଣି ଉତ୍ସବ ଆୟୋଜିତ ହୋଇଛି। ଆଜି ଅପରାହ୍‌ଣରେ ବିଭିନ୍ନ କିସମର ବାଜା, ରଙ୍ଗିନ ଆଲୋକସଭା ସହିତ ଆକର୍ଷଣୀୟ ଶୋଭାଯାତ୍ରାରେ କାଳୀ ଭସାଣି ଉତ୍ସବ ସଂପନ୍ନ ହୋଇଥିଲା।

ଆଜି ପ୍ରଥମେ ବଙ୍ଗାଳୀସାହି ମେଢ଼ ପୁରୀଘାଟ ଦେବୀଗଡ଼ାସ୍ଥିତ କୃତ୍ରିମ ପୋଖରୀରେ ବିସର୍ଜିତ ହୋଇଥିଲା। ଦ୍ବିତୀୟ ମେଢ଼ ଭାବେ ଷ୍ଟେସନବଜାର ଓ ତୃ୍ତୀୟ ମେଢ଼ ଭାବେ ବାଦାମବାଡ଼ିସ୍ଥିତ ଓଏସ୍ଆର୍‌ଟିସି ମେଢ଼, ଏହିପରି ୨୫ ରୁ ଅଧିକ ମେଢ଼ ଦେବୀଗଡ଼ାରେ ବିସର୍ଜନ ହୋଇଛନ୍ତି। ଗତକାଲି ସଂଧ୍ୟାରେ କାଠଗଡ଼ାସାହି ପ୍ରକଟନାଥ ମେଢ଼ ଓ ମେହେନ୍ଦୀପୁର ମେଢ଼ ଦେବୀଗଡ଼ାରେ ବିସର୍ଜନ ହୋଇଥିଲେ। ସିଏମ୍‌ସି ପକ୍ଷରୁ ଦେବୀଗଡ଼ାରେ ୩ଟି ଅସ୍ଥାୟୀ ପୋଖରୀ ଖୋଳାଯିବା ସହିତ ଆଲୋକବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଭସାଣି ଶୋଭାଯାତ୍ରା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୧୨୦ ଅଧିକାରୀ ଓ ୪୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

Sambad

କାଳୀ ଭସାଣିରେ ଗ‌ଣ୍ଡଗୋଳ- କାଳୀପୂଜା ଭସାଣିରେ ନୂଆପାଟଣା ପପୁଲାର୍‌ କ୍ଲବ୍‌ଠାରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। କୌଣସି କଥାକୁ ନେଇ ନୂଆପାଟଣାର ଯୁବକମାନଙ୍କ ମଧ୍ୟରେ ପାଟିତୁଣ୍ଡ‌ ହୋଇଥିଲା। ପୁଲିସ୍ ହସ୍ତକ୍ଷେପ ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। କିନ୍ତୁ ପୁଲିସ୍ ପକ୍ଷରୁ ସେଠାରେ ଦୀର୍ଘ ସମୟ ଧରି ପହରା ଦିଆଯାଇଥିବା ସୂଚନା ମିଳିଛି। ସେହିପରି କାଳୀ ଭସାଣି ଶୋଭାଯାତ୍ରା ଯାଉଥିବା ସମୟରେ ଦରଘାବଜାରଠାରେ ସୂତାହାଟ ପୂଜା କମିଟିର ଶୋଭାଯାତ୍ରାକାରୀଙ୍କର ନିଜ ନିଜ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।

ନିମସାହି ପୂଜା କମିଟି-ପୁଲିସ୍ ଠେଲାପେଲା-କାଳୀଭସାଣି ଶୋଭାଯାତ୍ରାରେ ମେଢ଼କୁ ଗତିଶୀଳ କରିବାକୁ ନେଇ ନିମସାହି ପୂଜା କମିଟି ଓ ପୁଲିସ୍ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିବା ସୂଚନା ମିଳିଛି। କିନ୍ତୁ ସାହି ମୁରବୀ ଓ ପୁଲିସ୍ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତଣ ହେବା ସହ ମେଢ଼ ସ୍ବାଭାବିକ ଭାବେ ଗତି କରିଥିଲା। ନିମସାହି କାଳୀ ମେଢ଼ ସ୍ବାଭାବିକ ଭାବେ ଯାଉଥିବା ବେଳେ ଫିରିଙ୍ଗିବଜାର ଠାରେ ପୁଲିସ୍ ପକ୍ଷରୁ ଅଧିକ ‌ବେଗରେ ଯିବାକୁ ନିମସାହି କର୍ମକର୍ତ୍ତାଙ୍କୁ ବାଧ୍ୟ କରାଯାଇଥିଲା। ଏହାକୁ ପ୍ରତିବାଦ କରିବାକୁ ପୁଲିସ୍, ପୂଜା କମିଟି କର୍ମକର୍ତ୍ତାଙ୍କୁ ଠେଲାପେଲା କରିଥିଲା। ଏହାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। କିନ୍ତୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତି ନିୟନ୍ତ୍ରିତ ହେବା ସହିତ ଶୋଭାଯାତ୍ରା ସ୍ବାଭାବିକ ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର