ସୁଦର୍ଶନ ସାହୁଙ୍କୁ ‘କଳିଙ୍ଗ ରତ୍ନ, ପ୍ରଫୁଲ୍ଲ ମହାନ୍ତିଙ୍କୁ ‘ସାରଳା ସମ୍ମାନ

ସାରଳା ସାହିତ୍ୟ ସଂସଦର ୪୧ତମ ବାର୍ଷିକ ଉତ୍ସବ

କଟକ: ସାରଳା ଦାସ ବିଶ୍ବସାହିତ୍ୟର ଅନନ୍ୟ ପ୍ରତିଭା। ୬ଶହ ବର୍ଷ ତଳେ ଆଞ୍ଚଳିକ ଭାଷାରେ ମହାଭାରତ ସୃଷ୍ଟି କରିବା ଅସମ୍ଭବ ମନେ ହେଉଥିଲେ ବି ସାରଳା ଦାସ ଏହାକୁ ବାସ୍ତବ ରୂପ ଦେଇଥିଲେ। ସାଧନା, ଭକ୍ତି ଓ ସମର୍ପଣ ଫଳରେ ମା’ ସାରଳାଙ୍କ କୃପାଲାଭ କରି ସିଦ୍ଧେଶ୍ବର ପରିଡ଼ା ସାରଳା ଦାସରେ ପରିଣତ ହୋଇ ଏଭଳି କୃତି ଛାଡି ଯାଇଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ସାରଳା ଭବନରେ ଆୟୋଜିତ ସାରଳା ସାହିତ୍ୟ ସଂସଦର ୪୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇ କହିଲେ ଯେ ସାରଳା ଦାସଙ୍କ ମହାଭାରତ ଭାରତୀୟ ସାହିତ୍ୟର ଏକ ଅନବଦ୍ୟ କୃତି। ଓଡ଼ିଶାର ମହାନ କଳା, ସଂସ୍କୃତି, ସାହିତ୍ୟ ସବୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପିତ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍‌ ସଂସଦର ସର୍ବୋଚ୍ଚ ସମ୍ମାନ ‘କଳିଙ୍ଗ ରତ୍ନ ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁଙ୍କୁ ପ୍ରଦାନ କରିଥିଲେ। ସେହିପରି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଫୁଲ କୁମାର ମହାନ୍ତିଙ୍କୁ ସମ୍ମାନଜନକ ‘ସାରଳା ସମ୍ମାନ ପ୍ରଦାନ କରାଯାଇଥିଲା। ସଂସଦ ପକ୍ଷରୁ ପ୍ରକାଶିତ ‘ମନିଷୀ ମନୋଜ ଗ୍ରନ୍ଥକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।

ସମାରୋହରେ ପଦ୍ମଭୂଷଣ ପାଇଥିବା ପ୍ରତିଭା ରାୟଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରତିଭା ରାୟ ସାରଳା ଦାସଙ୍କୁ ବିଶ୍ବ ସାହିତ୍ୟର ବିସ୍ମୟ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନସଚିବ ସହଦେବ ସାହୁ, ମୁଖ୍ୟବକ୍ତା ଭାବେ ପ୍ରଫେସର ବସନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ। ସମାରୋହରେ ଅଧ୍ୟକ୍ଷତା କରିଥିଲେ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ। ସଂସଦର ସଂପାଦକ ଡା. ନିରଞ୍ଜନ ତ୍ରିପାଠୀ ସ୍ବାଗତ ଭା‌ଷଣ ଦେଇଥିବା ବେଳେ ଡ. ବନ୍ଦିତା ଦାଶ ଓ ସଞ୍ଜିତ କୁମାର ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। ଡାକ୍ତର ନୀରଦ କୁମାର ଗଚ୍ଛାୟତ ଧନ୍ୟବାଦ ଦେଇଥିଲେ। ଶୈଳବାଳା କଲେଜର ଅଧ୍ୟକ୍ଷା ଡ. ସୁରେଖା ସୁନ୍ଦରୀ ସ୍ବାଇଁ ରାଜ୍ୟପାଳଙ୍କୁ ଅଭ୍ୟର୍ଥନା ଜଣାଇଥିବା ବେଳେ ସଂସଦ ପକ୍ଷରୁ ଜଷ୍ଟିସ୍ ମଦନମୋହନ ଦାସ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡା. ନିମାଇଁ ଚରଣ ପରିଜା, କବି ପ୍ରସନ୍ନ ଜେନା, କୈଳାସ ବରାଳ, ମଞ୍ଜୁଶ୍ରୀ ଶାସ୍ତ୍ରୀ, କବିତା ମହାପାତ୍ର, ଗୀତା ପଣ୍ଡା, ବାବାଜୀ ବେହେରା, ସୁଶାନ୍ତ ସେଠୀ, ନିର୍ମଳ ଚନ୍ଦ୍ର ପହୀ, ବିଭୂପ୍ରସାଦ ରାଉତ, ବ୍ରଜକିଶୋର ବେଉରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର