କଟକ: ସହରବାସୀଙ୍କ ବିଭିନ୍ନ ଉତ୍ସବ ଆୟୋଜନ ପାଇଁ ସହରରେ ରହିଛି ୮୦ରୁ ଅଧିକ କଲ୍ୟାଣ ମଣ୍ଡପ। ମାତ୍ର ନିଗମ ଅଧୀନରେ ଦୁଇଟି ମଣ୍ଡପ ଥିବା ବେଳେ ଦୀର୍ଘ ଦିନ ଧରି ସେଗୁଡିକ ବନ୍ଦ ହୋଇ ରହିଛି। ଅନ୍ୟପଟେ ପୌର ନିଗମର ୩୪ ନମ୍ବର ୱାର୍ଡରେ ନୂଆ ମଣ୍ଡପ ପାଇଁ ନିଗମ ପକ୍ଷରୁ ଶିଳାନ୍ୟାସ ହେବାର ୧୨ ବର୍ଷ ପରେ ବି ଏହାର ନିର୍ମାଣ ଆରମ୍ଭ ହୋଇପାରିଲା ନାହିଁ। ନିଗମ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ଦୀର୍ଘ ଦିନ ଧରି ୨ଟି କଲ୍ୟାଣ ମଣ୍ଡପ ବନ୍ଦ ହୋଇ ପଡିଥିବା ବେଳେ ସହରବାସୀ ବାଧ୍ୟ ହୋଇ ଘରୋଇ ମଣ୍ଡପରେ ସେମାନଙ୍କ ଉତ୍ସବ ଆୟୋଜନ କରୁଛନ୍ତି। ପୌର ନିଗମର ଚୌଧୁରୀ ବଜାର ଓ ଗୋପାଳପୁରରେ ଥିବା ଦୁଇଟି କଲ୍ୟାଣ ମଣ୍ଡପ ବହୁ ଦିନ ଧରି ବନ୍ଦ ହୋଇ ପଡିଛି। ସହରରେ ସରକାରୀ ମଣ୍ଡପ ନଥିବାରୁ କଟକବାସୀ ବାଧ୍ୟ ହୋଇ ଅଧିକ ଟଙ୍କା ଦେଇ ଘରୋଇ ମଣ୍ଡପରେ ଉତ୍ସବ ଆୟୋଜନ କରୁଛନ୍ତି। ସହରବାସୀଙ୍କ ପାଇଁ ଅଧିକ ସଂଖ୍ୟାରେ କଲ୍ୟାଣ ମଣ୍ଡପର ଆବଶ୍ୟକତାକୁ ଦେଖି ସରକାରଙ୍କ ପକ୍ଷରୁ ଆଉ ଏକ ନୂଆ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ୱାର୍ଡ ନମ୍ବର ୩୪ର ମାଛୁଆବଜାର ସ୍ଥିତ ଏଲ୍ଆଇସି କାର୍ଯ୍ୟାଳୟ ଆଗରେ ଥିବା ୨ ଏକର ଜାଗା ଉପରେ କଲ୍ୟାଣ ମଣ୍ଡପ କରିବାକୁ ନିଷ୍ପତ୍ତି ହୋଇଥିଲା। ୨୦୧୦ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହାର ଶିଳାନ୍ୟାସ କରାଯାଇଥିଲା।
କଲ୍ୟାଣ ମଣ୍ଡପର ତଳ ଅଂଶକୁ ପାର୍କିଂ ସ୍ଥାନ କରି ଏହାର ପ୍ରଥମ ମହଲାରେ ମଣ୍ଡପ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ୨ କୋଟି ଟଙ୍କାର ବଜେଟ କରାଯିବା ସହ ଏହାର ନିର୍ମାଣ କାମ ନିଗମ ଦ୍ବାରା କରାଯିବାକୁ ସ୍ଥିର ହୋଇଥିଲା। ହେଲେ ଏହା ମଧ୍ୟରେ ୧୨ ବର୍ଷ ବିତିଯାଇ ଥିଲେ ବି ମଣ୍ଡପ ନିର୍ମାଣ କାମ କେବଳ ଶିଳାନ୍ୟାସରେ ଅଟିକି ଯାଇଛି। ମଣ୍ଡପ ନିର୍ମାଣରେ ବିଳମ୍ବ ହେବାରୁ ୨ ଏକର ଜାଗାରୁ ଅର୍ଦ୍ଧାଧିକ ଜାଗାରେ ୨୦୧୮ରେ ଅମୃତ ଯୋଜନାରେ ସହିଦ ପାର୍କ ନିର୍ମାଣ ହେବା ସହ ବାକି ଅଞ୍ଚଳକୁ ଏବେ ପାର୍କିଂ ଭାବେ ବ୍ୟବହାର କରାଯାଉଛି। ଅନ୍ୟପଟେ ନିଗମର ଦୁଇଟି କଲ୍ୟାଣ ମଣ୍ଡପ ବହୁ ବର୍ଷ ଧରି ବନ୍ଦ ହୋଇ ପଡିଥିବା ବେଳେ ଏହାକୁ ପୁଣି ଚାଲୁ କରିବାକୁ ସାଧାରଣରେ ଦାବି ହୋଇଛି। ନିଗମର ଚୌଧୁରୀ ବଜାର ମଣ୍ଡପର ପ୍ରଥମ ମହଲାର ମରାମତି କାମ ଶେଷ ହୋଇଥିବା ବେଳେ ଚଳିତ ମାସରେ ଏହାର ଅନ୍ଲାଇନ୍ ବୁକିଂ ଆରମ୍ଭ ହେବ ବୋଲି ଆବେଦନ ଓ ଲାଇସେନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଏ. ଶ୍ରୀଦେବୀ କହିଛନ୍ତି। ଉକ୍ତ ମଣ୍ଡପର ତଳ ମହଲା ଓ ଗୋପାଳପୁର ମଣ୍ଡପର ମରାମତି କାମ ଦୁଇ ମାସ ମଧ୍ୟରେ ଶେଷ ହେବ ବୋଲି ମଧ୍ୟ ଏ. ଶ୍ରୀଦେବୀ କହିଛନ୍ତି। ମାଛୁଆ ବଜାର କଲ୍ୟାଣ ମଣ୍ଡପ ସ୍ଥାନରେ ଏବେ ପାର୍କିଂ କରାଯାଉଛି। ଏହାର ନିର୍ମାଣ କାମ ଆରମ୍ଭ କରିବାକୁ କାଉନସିଲ୍ରେ କହିଥିଲେ ବି କୌଣସି ସୁଫଳ ମଳି ନଥିବା ସ୍ଥାନୀୟ କର୍ପୋରେଟର ଦୀପକ କୁମାର ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/cmc-3.jpg)