ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସର ୧୧ ବର୍ଷ ପରେ ବି ନିର୍ମାଣ କାମ ଆରମ୍ଭ ହେଲାନି ମାଛୁଆ ବଜାର କଲ୍ୟାଣ ମଣ୍ଡପ

କଟକ: ସହରବାସୀଙ୍କ ବିଭିନ୍ନ ଉତ୍ସବ ଆୟୋଜନ ପାଇଁ ସିଏମ୍‌ସିରେ ରହିଛି କଲ୍ୟାଣ ମଣ୍ଡପର ବ୍ୟବସ୍ଥା। ନିଗମ ଅଧୀନରେ ଦୁଇଟି ମଣ୍ଡପ ଥିବା ବେଳେ ଆଉ ଏକ ନୂଆ ମଣ୍ଡପ ପାଇଁ ସହରର ମାଛୁଆ ବଜାରସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ୨୦୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମାତ୍ର ଏହା ମଧ୍ୟରେ ୧୧ ବର୍ଷ ବିତିଯାଇଥିଲେ ବି ମଣ୍ଡପ ପାଇଁ ଗୋଟିଏ ଇଟା ପଡି ପାରିଲା ନାହିଁ। ସିଏମ୍‌ସି ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଅଧିକ ସଂଖ୍ୟାରେ କଲ୍ୟାଣ ମଣ୍ଡପର ଆବଶ୍ୟକତା ଥିବା ବେଳେ ଏହାର ନିର୍ମାଣକୁ ନେଇ ପ୍ରଶାସନତତ୍ପରତା ପ୍ରକାଶ ନକରିବାକୁ ନେଇ ସାଧାରଣରେ ଅସନ୍ତୋ‌ଷ ବଢି ଚାଲିଛି।
ମହାନଗର ନିଗମରେ ଏବେ ମାତ୍ର ଦୁଇଟି କଲ୍ୟାଣ ମଣ୍ଡପ ରହିଛି। ସେଗୁଡିକ ବିଭିନ୍ନ କାରଣ ପାଇଁ ବିଭିନ୍ନ ସମୟରେ ବନ୍ଦ ରହୁଛି। ସରକାରୀ ମଣ୍ଡପ ନଥିବାରୁ ଲୋକେ ବାଧ୍ୟ ହୋଇ ଅଧିକ ଟଙ୍କା ଦେଇ ଘରୋଇ ମଣ୍ଡପରେ ଉତ୍ସବ ଆୟୋଜନ କରୁଛନ୍ତି। ସହରବାସୀଙ୍କ ପାଇଁ ଅଧିକ ସଂଖ୍ୟାରେ କଲ୍ୟାଣ ମଣ୍ଡପର ଆବଶ୍ୟକତାକୁ ଦେଖି ସରକାରଙ୍କ ପକ୍ଷରୁ ଆଉ ଏକ ନୂଆ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଯୋଜନା କରାଗଲା। ମାଛୁଆବଜାର ସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟ ଆଗରେ ଥିବା ଦୁଇ ଏକର ଜାଗା ଉପରେ କଲ୍ୟାଣ ମଣ୍ଡପ କରିବାକୁ ସ୍ଥିର ହେଲା। ଏଥିପାଇଁ ୩୧ ଅଗଷ୍ଟ ୨୦୧୦ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାର ଶିଳାନ୍ୟାସ କରାଯାଇଥିଲା। କଲ୍ୟାଣ ମଣ୍ଡପର ତଳ ଅଂଶକୁ ପାର୍କିଂ ପାଇଁ ସ୍ଥାନ କରି ଏହାର ପ୍ରଥମ ମହଲାରେ କଲ୍ୟାଣ ମଣ୍ଡପ କରିବାକୁ ଯୋଜନା କରା ଯାଇଥିଲା। ଏଥିପାଇଁ ଏକ କୋଟି ଟଙ୍କାର ବଜେଟ ମଧ୍ୟ ହୋଇଥିଲା।

ଏହାର ନିର୍ମାଣ କାମ ସିଏମ୍‌ସି ଦ୍ବାରା କରାଯିବାକୁ ସ୍ଥିର ହେଲା। ସହରରେ ଆଉ ଏକ କଲ୍ୟାଣ ମଣ୍ଡପ ସାଧାରଣ ଲୋକେ ଆବଶ୍ୟକ କରୁଥିବା ବେଳେ ଏଥିରେ ମଣ୍ଡପର ଅଭାବ କିଛି ମାତ୍ରାରେ ଦୂର ହେବ ବୋଲି ଆଶା କରାଗଲା। ମାତ୍ର ଏହା ମଧ୍ୟରେ ୧୧ ବର୍ଷ ବିତିଯାଇ ଥିଲେ ବି ଉକ୍ତ ମଣ୍ଡପ ନିର୍ମାଣ ପାଇଁ କୌଣସି କାମ କରାଗଲା ନାହିଁ। ସେପଟେ ମଣ୍ଡପ ନିର୍ମାଣ ହେବାର ସମୟ ଗଡି ଚାଲିବା ସହିତ ଏହା ଉପରୁ ସମସ୍ତଙ୍କ ନଜର ମଧ୍ୟ ହଟିଗଲା। ଅନ୍ୟପଟେ ୨ ଏକର ଜାଗାରୁ ଅଧାଧିକ ଜାଗାରେ ୨୦୧୮ରେ ଅମୃତ ଯୋଜନାରେ ସହିଦ ପାର୍କ ନିର୍ମାଣ ହେଲା। ବାକି ଖୋଲା ସ୍ଥାନକୁ ପାର୍କିଂ ଭାବେ ବ୍ୟହାର କରାଗଲା। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବାର ୧୧ ବର୍ଷ ପରେ ସହରବାସୀଙ୍କ ପାଇଁ ଆବଶ୍ୟକ ଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାମ ଆଗକୁ ନ ବଢିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋ‌ଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସିଏମ୍‌ସିର ସହିଦ ଭବନ ସମ୍ମୁଖରେ ଥିବା କଲ୍ୟାଣ ମଣ୍ଡପର ତଳ ମହଲା ଓ ପ୍ରଥମ ମହଲାକୁ ଦୁଇଟି ଭାଗରେ ସାଧାରଣ ଲୋକଙ୍କୁ ୨ଟି କଲ୍ୟାଣ ମଣ୍ଡପ ଭାବେ ଭଡା ସୂତ୍ରରେ ଦିଆଯାଉଛି। ଆଉ ଏକ କଲ୍ୟାଣ ମଣ୍ଡପ ଗୋପାଳପୁର ଠାରେ ନିର୍ମାଣ ହୋଇଥିବା ବେଳେ ଏହା ଏବେ ସୁଦ୍ଧା ସିଏମ୍‌ସି ଅଧୀନକୁ ଆସିନାହିଁ।

ସମ୍ବନ୍ଧିତ ଖବର