କଟକ: ଅପରେସନ୍‌ ସିନ୍ଦୂର, ଯାହା ପାକିସ୍ତାନ ପାଇଁ ଭାରତର କଡ଼ା ଜବାବ ଥିଲା, ତାକୁ କେବେବି ଭାରତୀୟମାନେ ଭୁଲି ପାରିବେ ନାହିଁ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଦ ରେସିଷ୍ଟାଣ୍ଟ ଫ୍ରଣ୍ଟ (ଟିଆରଏଫ୍‌) ଦ୍ବାରା ଗତ ଅପ୍ରେଲ ୨୨ ତାରିଖ ମଧ୍ୟାହ୍‌ଣ ସମୟରେ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ପର୍ଯ୍ୟଟକମାନେ ପ୍ରାକୃତିକ ଦୃଶ୍ୟ ଉପଭୋଗ କରୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରୁଥିଲେ। ଆତଙ୍କବାଦୀଙ୍କର ଏହି ବର୍ବରତା କାରଣରୁ ଜଣେ ପରେ ଜଣେ ମହିଳାଙ୍କର ମଥାରୁ ସିନ୍ଦୂର ପୋଛି ହୋଇଯାଉଥିଲା। ଆତଙ୍କାବଦୀଙ୍କର ଏହି କାଣ୍ଡର ଉଚିତ ଜବାବ ଦେଇଥିଲା ଭାରତ। ବାୟୁସେନାର ଯବାନମାନେ ପାକସ୍ତାନ ଅଧୀକୃତ କଶ୍ମୀରରେ ପ୍ରବେଶ କରି ‘ଅପରେସନ୍‌ ସିନ୍ଦୂର’ ଅଭିଯାନ ଚଳାଇଥିଲେ। ଅପରେସନ ସିନ୍ଦୂର ବାସ୍ତବରେ ସ୍ମରଣୀୟ। 

Advertisment

ଭାରତୀୟ ଯବାନଙ୍କ ସେହିଦିନକୁ ସ୍ମରଣୀୟ ରଖିବା ପାଇଁ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ଶାରଦୀୟ ଦୁର୍ଗାପୂଜା ଅବସରେ କଟକ ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଚଳିତ ବର୍ଷ  ଅପେରସନ ସିନ୍ଦୂର ତୋରଣ ନିର୍ମାଣ କରିଛି। ୩୦ଫୁଟ ଉଚ୍ଚତାର ଏହି ମେଢ଼ ଦର୍ଶକଙ୍କୁ ଆକର୍ଷିତ କରୁଛି। ଭାରତୀୟ ଯବାନଙ୍କ ଶକ୍ତିକୁ ଏଠାରେ ତୋରଣ ମାଧ୍ୟମରେ ଉପସ୍ଥାପିତ କରାଯାଇଛି।

ଖାନ୍‌ନଗର-ଖପୁରିଆ ଶିଳ୍ପାଞ୍ଚଳରେ ୧୯୫୨ରୁ ହରପାର୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ୧୯୬୨ ମସିହାରୁ ଏଠାରେ ମା'ଦୁର୍ଗାଙ୍କ ପୂଜା କରାଯାଉଛି। ଏହାବ୍ୟତୀତ ଗଜଲକ୍ଷ୍ମୀ, କାଳିପୂଜା ଓ କାର୍ତ୍ତିକେଶ୍ବର ପୂଜା କରାଯାଉଛି। ୨୦୧୧ ମସିହାରେ ସାଢ଼େ ୩ କୁଇଣ୍ଟାଲ ଓଜନର ଚାନ୍ଦିମେଢ଼ ମା’ଙ୍କୁ ଲାଗି କରାଯାଇଥିଲା ଏବଂ ୨୦୧୯ ମସିହାରେ ୩କିଲୋ ଓଜନର ସୁନା ମୁକୁଟ ଲାଗି କରାଯାଇଛି।

ଖାନନଗର ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପ୍ରସ୍ତୁତି ଜାରି ରଖିଛି। ଗୁପ୍ତପଞ୍ଜିକା ଅନୁଯାୟୀ ନିଷ୍ଠାର ସହିତ ପୂଜାକୁ ଗୁରୁତ୍ବ ଦିଆଯାଇଥାଏ। ଅଷ୍ଟମୀରେ ମହିଳା ବ୍ରତଧାରୀଙ୍କ ପାଇଁ ଖିରି ବଣ୍ଟନ କରାଯାଇଥାଏ ଏବଂ ଦଶମୀରେ ଗ୍ରାମର ଅଧିବାସୀ ଓ ଭକ୍ତଙ୍କ ପାଇଁ ଦହିପଖାଳ ପ୍ରସାଦ ବ୍ୟବସ୍ଥା କରାଯାଏ। ଏହା ବ୍ୟତୀତ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନର ଯେଉଁ ସବୁ ନୀତିନିୟମ ରହିଛି ତାହାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥାଏ। ପ୍ରତେକ ବର୍ଷ ଭଳି ଜିଲ୍ଲା ପ୍ରଶାସନ ସହାୟତାରେ ଅନାଥ ଆଶ୍ରମର ପିଲାମାନଙ୍କୁ ମଣ୍ଡପ ପରିଦର୍ଶନ କରିବା ନିମିତ୍ତ ବ୍ୟବସ୍ଥା କରାଯିବା।

-ସୁବାସ ଚନ୍ଦ୍ର ବେହେରା, ସଭାପତି

ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ କୁହନ୍ତି, କଟକ ସହରରେ ଖାନନଗର ଦୁର୍ଗାପୂଜା କମିଟି ପ୍ରତେକ ବର୍ଷ ତୋରଣ ମାଧ୍ୟମରେ ସ୍ୱତନ୍ତ୍ରତା ବଜାୟ ରଖିବାରେ ନିଜର ପ୍ରୟାସ ଜାରିରଖିଥାଏ। ଷଷ୍ଠୀ ଦିନ ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତୃ ବୃନ୍ଦଙ୍କ ଦ୍ୱାରା ୨୦୦୦ ଚାରା ବୃକ୍ଷ ବଣ୍ଟନ କରାଯିବା ସହ ମହିଳା ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ଅଷ୍ଟମୀ ଦିନ କମିଟି ତରଫରୁ ମହିଳା ସ୍ୱେଚ୍ଛାସେବୀ ରହିବେ ଏବଂ ସଂଧ୍ୟାରେ ଯୁବକମାନେ ରହି ଟ୍ରାଫିକ ବ୍ୟବସ୍ଥାକୁ ସୁଧାର କରିବାରେ ସାହାଯ୍ୟ କରିବେ। ଚଳିତ ବର୍ଷ ଓଡ଼ିଶାର ସୁନାମ ଧନ୍ୟ କଳାକାର ତାରିକ ଆଜିଦ, କୁଲଦୀପ ପଟ୍ଟନାୟକ, ବିଷ୍ଣୁମୋହନ କବି, ମଣ୍ଟୁ ଛୁରୀଆ ଏବଂ ରୁକୁସୁନା ଭଳି କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

Cuttack | Durga Puja