ଖରସ୍ରୋତା ଆନ୍ଦୋଳନ, ୧୪୦ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

କଟକ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଭାରୀଗଦା ଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଥିବା ୧୪୦ଜଣ ଆନ୍ଦୋଳନକାରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ରାଜକନିକା ଥାନାରେ ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଦେବେନ୍ଦ୍ର ଶର୍ମାଙ୍କ ସମେତ ୧୪୦ଜଣ ତିନୋଟି ପୃଥକ ଜାମିନ ଆବେଦନ ହାଇକୋର୍ଟରେ ଦାୟର କରିଥିଲେ। ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗୁଆ ଜାମିନ ଆବେଦନର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ଆବେଦନକାରୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଖରସ୍ରୋତାରେ ନିର୍ମାଣଧୀନ ପ୍ରକଳ୍ପକୁ କେନ୍ଦ୍ର କରି ଅଗଷ୍ଟ ୧୩ରେ ପୁଲିସ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁରୁବାର ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ସାମିଲ୍ ହେବା ସହିତ ପୁଲିସ ବ୍ୟାରିକେଡ୍‌ ଭାଂଗି ପ୍ରକଳ୍ପ ସ୍ଥଳକୁ ବଳପୂର୍ବ ଧସେଇ ପଶିଥିବା ଅଭିଯୋଗ ହୋଇଥିଲା।

ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଦର୍ଶାଇ ପୁଲିସ ରାଜକନିକା ଥାନାରେ ଆଇପିସିର ଦଫା ୧୪୭, ୧୪୮, ୩୪୧, ୩୨୩, ୪୨୭, ୩୫୩, ୨୯୪, ୩୦୭, ୩୩୬, ୩୩୭, ୩୩୨, ୩୩୩, ୪୩୬, ୫୧୧, ୧୪୯ ସହିତ ପ୍ରିଭେନ୍ସନ୍ ଅଫ୍ ଡ୍ୟାମେଜ୍‌ ଟୁ ପବ୍ଲିକ୍ ପ୍ରପଟି ଆଇନ ଓ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟର ବିଭିନ୍ନ ଧାରାରେ ଏତଲା ରୁଜୁ କରି ୨୪ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପୁଲିସ ଆନ୍ଦୋଳନକାରୀଙ୍କୁ ଖୋଜିଖୋଜି ଗିରଫ କରୁଥିବା ଅଭିଯୋଗ ହୋଇଥିବାବେଳେ ଆଗୁଆ ଜାମିନ ଲୋଡ଼ି କେତେକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ କ୍ଷୀରୋଦ ରାଉତ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର