କଟକ: କରୋନା ମହାମାରୀ ଯୋଗୁଁ ଚାଉଳିଆଗଞ୍ଜ ଅଞ୍ଚଳର ପ୍ରସିଦ୍ଧ ଖୁଦୁରୁକୁଣୀ ଉତ୍ସବ ଦୁଇ ବର୍ଷ ହେଲା ପାଳନ ହୋଇ ନଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ୧୭ଟି ପୂଜା ମଣ୍ଡପରେ ଖୁଦୁରୁକୁଣୀଙ୍କୁ ପୂଜା କରାଯିବା ସହ ମେଲଣ ଓ ଭସାଣି ଉତ୍ସବ ଜାକଜମକରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ, ବୁଧବାର ଦିନ ଦୁଇଟା ସୁଦ୍ଧା ସବୁ ମେଢ଼ ଚାଉଳିଆଗଞ୍ଜ ଖେଳ ପଡିଆରେ ଏକାଠି ହେବା ପରେ ନମ୍ବର ଅନୁଯାୟୀ ଭସାଣି ଶୋଭାଯାତ୍ରାରେ ସାମିଲ ହେବେ। ଚାଉଳିଆଗଞ୍ଜ ଖେଳ ପଡିଆରୁ ମେଢ଼ ବାହାରି ମଠ ସାହି, ସାହି ଛକ, ଥଟାରି ସାହି, ଗାନ୍ଧୀ ଛକ, ନୀଳାଦ୍ରି ବିହାର, କୈବଲ୍ୟବିହାର, ଅପର୍ଣ୍ଣାନଗର ମୁଖ୍ୟ ରାସ୍ତା, ଦୁର୍ଗା ଛକ, ତଳସାହିରେ ପହଁଚିବ। ଇତିମଧ୍ୟରେ ସବୁ ମେଢ ପକ୍ଷରୁ ରଙ୍ଗ ବେରଙ୍ଗୀ ଆଲୋକ ସଜା ସହ ଭସାଣି ଶୋଭାଯାତ୍ରା ପାଇଁ ବ୍ରହ୍ମହପୁର ବାଜ଼ା, ଜଗତସିଂହପୁର ଘଣ୍ଟୁଆ, ଯାଜପୁର ଶଙ୍ଖୁଆଙ୍କୁ ବଇନା ଦିଆ ଯାଇଥିବା ବେଳେ ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି। ରବିବାରରୁ ମେଳଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଧବାର ଭସାଣି ଉତ୍ସବ ପାଳନ କରାଯିବ। ଅଞ୍ଚଳର ଥଟାରି ସାହି, ସାହୁ ଲେନ, ମହାନ୍ତି ସାହି, ଭାଗବତ ସାହି, ଆର୍ତ୍ତତ୍ରାଣ ଲେନ, ବାଘମୁଣ୍ଡ ସାହି, ମଙ୍ଗଳା ସାହି, ତଳସାହି (୧), ତଳସାହି (୨), ରାଧାକୃଷ୍ଣ ଲେନ, ଅପର୍ଣ୍ଣାନଗର, ତଳଘର ସାହି, ମଠ ପାଟଣା, କୁଞ୍ଜବିହାରୀ ଲେନ, ପାତ୍ର ଲେନ, ରାଧାମୋହନ ଲେନ, ପୃଷ୍ଟି ଲେନରେ ଖୁଦୁରୁକୁଣୀ ପୂଜା ଅନୁଷ୍ଠିତ ହେଉଛି।
ଅନ୍ୟପଟେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଅଞ୍ଚଳର ୨୩ ଜଣ ଅଭ୍ୟାସଗତ ଅପରାଧୀଙ୍କ ଉପରେ ପୁଲିସର ଏକ ପାଞ୍ଚ ଜଣିଆ ଟିମ ନଜ଼ର ରଖିଥିବା ବେଳେ ସବୁ ମେଢ଼ର ଭିଡିଓ ରେକର୍ଡିଙ୍ଗ କରାଯିବ। ଚାଉଳିଆଗଞ୍ଜ ଥାନାରେ ପୂର୍ବରୁ ଆଇଆଇସି ଭାବେ କାର୍ଯ୍ୟ କରିଥିବା ତିନି ଜଣ ଅଫିସରଙ୍କୁ ଅଞ୍ଚଳର ସୁରକ୍ଷା ଦାୟିତ୍ବରେ ରହିବେ। ଚାଉଳିଆଗଞ୍ଜ ପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ (ଶିବ) କହିଛନ୍ତି ଯେ ପ୍ରଶାସନ ଓ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପୂଜା କରିବା ସହ ମେଳଣ ଓ ଭସାଣି ଉତ୍ସବ ପାଳନ କରାଯିବ। ଆଇଆଇସି ଶଶୀକାନ୍ତ ରାଉତ କହିଛନ୍ତି ଯେ ଏହି ପୂଜା ହେଉଛି ମା, ଭଉଣୀ ମାନଙ୍କର। ଚାଉଳିଆଗଞ୍ଜରେ ମା - ଭଉଣୀ ମାନଙ୍କୁ ସମ୍ମାନ ଜଣାଇ ନିଶା ଠାରୁ ଦୂରେଇ ରହି ପୂଜା ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଜୋନ - ୧ ଏ ସି ପି ଅରୁଣ କୁମାର ସ୍ୱାଇଁ କହିଛନ୍ତି ଯେ ୨୩ ଜଣ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/IMG-20220901-WA0069_6.jpg)