କେଏମ୍‌ବିବିରେ ବାର୍ଷିକ ଉତ୍ସବ ‘ଉମଙ୍ଗ ୨୦୨୩’, ‘ସଫଳତା ପାଇବା ପାଇଁ ନିଜକୁ ଖୁସି ରଖିବାକୁ ପଡ଼ିବ’

ବାରଙ୍ଗ: ନରଣପୁରସ୍ଥିତ କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉମଙ୍ଗ-୨୦୨୩’ ପାଳିତ ହୋଇଯାଇଛି। ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଭଗବାନ ପ୍ରକାଶ, ମୁଖ୍ୟବକ୍ତା ସାହିତ୍ୟିକ ତଥା ଅବସରପ୍ରାପ୍ତ ମନୋବିଜ୍ଞାନ ଅଧ୍ୟାପିକା ପ୍ରଫେସର ସଂଗୀତା ରଥ, ଇଷ୍ଟର୍ଣ୍ଣ ମିଡିଆର ପରିଚାଳନା ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ‘ସମ୍ବାଦ ଶିକ୍ଷା ସମୂହ’ର ନିର୍ଦ୍ଦେଶକ ପ୍ରଫେସର ସରୋଜ ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଡକ୍ଟର ପ୍ରକାଶ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ତୁମେମାନେ ଏକବିଂଶ ଶତାବ୍ଦୀର ଭାଗ୍ୟବାନ ପିଲା। ସଫଳତା ପାଇବାକୁ ହେଲେ ନିଜକୁ ଖୁସିରେ ରଖିବାକୁ ପଡ଼ିବ। ଏଥିପାଇଁ ୪ଟି ଇଂରାଜୀ ଶବ୍ଦ/ବାକ୍ୟ ମନେରଖି ବ୍ୟବହାର କରିବା ଅବଶ୍ୟକ। ସେଗୁଡ଼ିକ ହେଉଛି, କଂଗ୍ରାଚୁଲେସନ୍‌ସ (ଅଭିନନ୍ଦନ), ଥ୍ୟାଙ୍କ ୟୁ (ଧନ୍ୟବାଦ), ଆଇ ଆମ୍‌ ସରି (ମୁ ଦୁଃଖିତ) ଓ ଆଇ ଡୋଣ୍ଟ ନୋ(ମୁ ଜାଣି ନାହିଁ) ଭଳି ୪ଟି କଥା ମନେ ରଖି ବ୍ୟବହାର କରିପାରିଲେ ନିଶ୍ଚିତ ଖୁସି ଆସିବ, ଜୀବନ ଅନେକ ସମସ୍ୟା ସମାଧାନ ହୋଇ ପାରିବ ଓ ସଫଳତା ମଳି ପାରିବ ବୋଲି ପରାମର୍ଶ ଦେଇଥିଲେ।। ମୁଖ୍ୟ ବକ୍ତା ଡକ୍ଟର ରଥ କହିଥିଲେ, ଉଜ୍ୱଳ ଭବିଷ୍ୟତର ସୁଯୋଗ ତୁମ ସମ୍ମୁଖରେ ଅଛି। ମାନସିକ ସ୍ତରରେ ଦୃଢ଼ ହୁଅ, ଲୁକ୍କାୟିତ ଦକ୍ଷତାକୁ ଚିହ୍ନି, ପ୍ରୟାସ କର ଓ ନିୟମିତ ଅଭ୍ୟାସ କର। ଏହା ତୁମ ଉଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବ।

ନିଜ ସଭାପତିତ୍ବ ଅଭିଭାଷଣରେ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଧୈର୍ଯ୍ୟବାନ ହେବା ସଫଳତାର ଗୋଟିଏ ମନ୍ତ୍ର। ଖୁସି ରହିବା ପାଇଁ ଆତ୍ମବିଶ୍ୱାସ ଓ ମନୋବଳର ଅବଶ୍ୟକତା ରହିଛି। ଖୁସି ରହିବାର କୌଶଳ ହେଉଛି, କାହାରିକୁ ଦୁଃଖ ଦିଅ ନାହିଁ। ଭୀମ ଭୋଇ କହିଛନ୍ତି, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗର ଉଦ୍ଧାର ହେଉ। ସେହିଭଳି ବୁଦ୍ଧଦେବ କହିଛନ୍ତି, କାମନାର ବିନାଶରେ ଦୁଃଖର ବିନାଶ। ଦୁଃଖ ଅନ୍ୟକୁ ନ ଦେଲେ ନିଜର ସୁଖ ବଢ଼ିବ ହିଁ ବଢ଼ିବ। ସଫଳ ମଣିଷମାନଙ୍କ ଆତ୍ମଜୀବନୀ ପଢ଼। ଗୋଦାବରୀଶ ମିଶ୍ରଙ୍କ ଭଳି ଅଭାବ, ଦାରିଦ୍ର୍ୟକୁ ଭ୍ରୁକ୍ଷପ ନକରି, ଅଭିଶାପ ନ ଭାବି, ପ୍ରକୃତି ଓ ପ୍ରବୃତ୍ତିକୁ ପ୍ରବଳ ଇଚ୍ଛାଶକ୍ତି ବଳରେ ଖାତିର ନକରି ଆତ୍ମବିଶ୍ୱାସ ଓ ସାମର୍ଥ୍ୟ ବଳରେ ଆଗକୁ ବଢିଲେ ଲକ୍ଷ୍ୟ ହାସଲ କରିହେବ। ଏହି ଆତ୍ମବିଶ୍ୱସ ନେଇ ଆଗକୁ ବଢ଼, ନିଶ୍ଚିତ ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଇଷ୍ଟର୍ଣ୍ଣ ମିଡିଆର ପରିଚାଳନା ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ଆନନ୍ଦ ଉପଭୋଗ କରନ୍ତୁ। ପାଠ ପଢ଼ା ସହିତ ଆଚାର ବ୍ୟବହାର ସହିତ ସାମଗ୍ରିକ ବିକାଶ ପ୍ରତି ଶତ ପ୍ରତିଶତ ଧ୍ୟାନ ଦେଲେ ସଫଳତା ମିଳିପାରିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ ଶିକ୍ଷା ସମୂହ’ର ନିର୍ଦ୍ଦେଶକ ପ୍ରଫେସର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଆଚରଣ କରି ପରସ୍ପର ସହ ସମ୍ପର୍କ ରକ୍ଷା କରି ପରିବାର ଭଳି ଚଳିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟକ୍ଷ ଡକ୍ଟର ବିଜୁନି ଚ଼ରଣ ସୂତାର ସ୍ୱାଗତ ଭାଷଣ ଦେଇଥିବା ବେଳେ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ଅଧ୍ୟାପିକା ମିନତୀ ପ୍ରଭା ସାହୁ। ଅଧ୍ୟାପିକା ମୋନାଲିଶା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର