ଅନ୍ଧାରରେ କୃଷକବଜାର; ସଂଧ୍ୟା ପରେ ବ୍ୟବସାୟୀ ହଟହଟା, ଗ୍ରାହକ ଲୁଟ୍‌ର ଶିକାର

କଟକ: କୃଷକବଜାର ପରିବା ମାର୍କେଟ‌୍ ସଂଧ୍ୟା ସମୟରେ ଅନ୍ଧକାର ରହିବା କାରଣରୁ ଏଠାକୁ ଗ୍ରାହକମାନେ ଆସିବାକୁ ଭୟ କରୁଛନ୍ତି।ଯେଉଁ ଅଳ୍ପ କିଛି ଗ୍ରାହକ ଆସୁଛନ୍ତି, ସେମାନେ ପରିବା କିଣିବା ସମୟରେ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ପକେଟ୍‌ମାର କରିବା ସହ କୌଶଳକ୍ରମେ ମୋବାଇଲ୍ ଫୋନ୍ ଚୋରି କରି ନେବାରେ ସଫଳ ହେଉଛନ୍ତି। ତେଣୁ ଗ୍ରାହକମାନେ ସଂଧ୍ୟାରେ ଏଠାକୁ ପରିବା କିଣିବା ଲାଗି ଆସିବାକୁ ଭୟ କରୁଛନ୍ତି। କୃଷକବଜାରରେ ବହୁବର୍ଷ ତଳେ ଷ୍ଟ୍ରିଟ୍‌ଲାଇଟ୍‌ ଲାଗିଥିଲା। ତେବେ, ଲାଗିବାର ମାତ୍ର କିଛିଦିନ ପରେ ସେଗୁଡ଼ିକ ଖରାପ ହୋଇଯାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ସଜଡା ଯାଇପାରୁନାହିଁ। ଏ ନେଇ ବ୍ୟବସାୟୀ ଗୋଷ୍ଠୀ ପକ୍ଷରୁ ଆର୍‌ଏମ୍‌ସି ନିକଟରେ ବାରମ୍ବାର ଦାବି କରାଯାଇଛି। କିନ୍ତୁ ଆର୍‌ଏମ୍‌ସି କିଛି ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଅନ୍ୟ ଏକ କଥା ହେଲା, କରୋନା ପାଇଁ କିଛି ବ୍ୟବସାୟୀ ପେଟାନାଳ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଥିଲେ।

ସେଠାରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହେବା କାରଣରୁ ସେମାନଙ୍କୁ ଏବେ କୃଷକବଜାରକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେମାନଙ୍କୁ ଯେଉଁ ଖାଲିପଡ଼ିଆରେ ବସିବାକୁ ଯାଗା ଦିଆଯାଇଛି, ସେହି ସ୍ଥାନଟି ସଂପୂର୍ଣ୍ଣ ଭାବେ ଅନ୍ଧକାର ରହୁଛି। ସେଠାରେ ଗୋଟିଏ ବି ଲାଇଟ୍‌ ଖୁଣ୍ଟ ନାହିଁ। ତେଣୁ ବ୍ୟବସାୟୀମାନେ ଘୋର ଅସୁବିଧାରେ ପଡ଼ୁଥିବା ଅଭିଯୋଗ କରୁଛନ୍ତି। ଗ୍ରାହକମାନେ ମଧ୍ୟ ସେଠାକୁ ଯାଉନାହାନ୍ତି। ସୂଚନା ଅନୁଯାୟୀ, ସେହି ଖାଲିପଡ଼ିଆରେ ଏକ ହାଇମାଷ୍ଟ୍‌ ଲାଇଟ୍‌ ଲଗାଇବା ପାଇଁ ଆର୍‌ଏମ୍‌ସି କୃଷକବଜାରର ଚେୟାରମ୍ୟାନ୍‌ ଥିବା ଉପ-ଜିଲ୍ଲାପାଳଙ୍କୁ ବ୍ୟବସାୟୀ ସଂଘ ପକ୍ଷରୁ ଏକାଧିକ ବାର ଦାବି କରାଯାଇଛି। ତେବେ, ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିଲା ନାହିଁ, ଯାହା ଫଳରେ ଲୋକମାନଙ୍କର ସମସ୍ୟା ବଢ଼ିଯାଇଛି। ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର