କେନ୍ଦ୍ରୀୟ ବିଦ୍ୟାଳୟ-୧ ସ୍ଥିତି ଅସମ୍ଭାଳ; ୧୪୪୦ ଜାଗାରେ ପାଠ ପଢୁଛନ୍ତି ୨୦୧୫

୧୩୯ କେନ୍ଦ୍ର କର୍ମଚାରୀଙ୍କ ପିଲା ୱେଟିଂ ଲିଷ୍ଟ୍‌ରେ ‘ମେଟ୍ରୋ ଢାଞ୍ଚାରେ ଦୁଇ ସିଫ୍‌ଟରେ ପଢ଼ାଯାଉ’

କଟକ: କେନ୍ଦ୍ରୀୟ କର୍ମଚାରୀ ପିଲାଙ୍କ ପାଠପଢା ସୁବିଧା ପାଇଁ ସର୍ବଭାରତୀୟସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରହିଛି। କେନ୍ଦ୍ର ମାନବ ସମ୍ବଳ ବା ଶିକ୍ଷା ବିକାଶ ଦ୍ବାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ସୁଯୋଗ କେନ୍ଦ୍ର କର୍ମଚାରୀଙ୍କୁ ମିଳି ଆସୁଛି। ଜନସଂଖ୍ୟା ଓ ଆବଶ୍ୟକତା ମୁତାବକ ବିଭିନ୍ନ ସହର ଓ ଜିଲ୍ଲାରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉ ନଥିବାରୁ ଏବେ ନାମଲେଖା ଚାପ ବଢୁଛି।

ଏହି କାରଣରୁ କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ମେଟ୍ରୋ ଢାଞ୍ଚାରେ ଦୁଇ ସିଫ୍‌ଟରେ ଚଲାଇବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଦାବି ଉଠୁଛି। ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦାୟିତ୍ବ ନେବା ପରେ ଏହାକୁ ନେଇ ଦାବି ବଢ଼ିବାରେ ଲାଗିଛି। କଟକ ଜିଲ୍ଲା‌ର ଜନସଂଖ୍ୟା ୨୬ ଲକ୍ଷ ରହିଥିବା ଜିଲ୍ଲା‌ରେ ମାତ୍ର ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ଚୌଦ୍ବାର ଏଆର୍‌ସି ଓ ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ରକ୍ଷା ବିଭାଗ ପରିସରରେ ଥିବାରୁ ଏଠାରେ ପ୍ରାୟତଃ ଏଆର୍‌ସି ଓ ସିଆରପିଏଫ୍/ଏନଡିଆର୍‌ଏଫ୍‌ କର୍ମଚାରୀଙ୍କ ପିଲାମାନେ ପଢୁଛନ୍ତି। ତେବେ ସହରର କେନ୍ଦ୍ରସ୍ଥଳରେ ସିଡିଏ ସତୀଚଉରା ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ସମସ୍ତଙ୍କ ପଢ଼ିବାର ସୁବିଧା ଥିଲେ ବି ଏଠା‌ରେ ସ୍ଥିତି ଏବେ ଅସମ୍ଭାଳ ହୋଇପଡିଛି।

ସିଡିଏ କେଭି-୧ରେ ୧୪୪୦ ପିଲାଙ୍କ ପାଠ ପଢ଼ିବା ପାଇଁ ସୁବିଧା ଥିବା ବେଳେ ଏବେ ୨୦୧୫ ଅର୍ଥାତ ପାଖାପାଖି ୫୦୦ ଅଧିକ ପିଲା ପଢୁଛନ୍ତି। ଫଳରେ ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା ଉପରେ ଏହା ଚାପ ପକାଉଛି। ସିଡିଏସ୍ଥିତ କେଭି-୧ରେ ନାମଲେଖା ଚାପ ବଢ଼ିବାରେ ଲା‌ଗିଛି। ରାଜ୍ୟସଭ‌ା ସାଂସଦ, ଜିଲ୍ଲାପାଳ‌, ମନ୍ତ୍ରୀ ଓ ସାଂସଦଙ୍କ କୋଟା ପୂରଣ କରିବାକୁ ଯାଇ ବିଦ୍ୟାଳୟ ଉପରେ ଏବେ ଅତ୍ୟଧିକ ବୋଝ ବଢିଯାଇଛି। ସୁପାରିସରେ ଆସୁଥିବା ନାମକୁ ସ୍କୁଲ କର୍ତୃପକ୍ଷ ଅସ୍ବୀକାର କରିପାରୁ ନାହାନ୍ତି। ସମସ୍ତ କ୍ଲାସ ବା ସେକସନ୍‌ରେ ଏବେ ଆବଶ୍ୟକତାଠୁ ଢ଼େର୍‌ ଅଧିକ ପିଲା ପାଠ ପଢୁଛନ୍ତି। ୨୦୧୫ ପିଲା ପଢୁଥିବା କେଭି-୧ରେ ଯୁକ୍ତ୨ ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ମାତ୍ର ୪୦ ଲେଖାଏ ସିଟ୍ ରହିଛି। ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବାର ଆବଶ୍ୟକ ଥିଲେ ବି ତାହା କରାଯାଉ ନାହିଁ। ଚଳିତବର୍ଷ କେଭି-୧ର ପ୍ରଥମ ଶ୍ରେଣୀ(୧୨୦) ସିଟ୍ ପାଇଁ ୧୬୦୦ ପିଲା ନାମ ପଞ୍ଜୀକରଣ କରିଛନ୍ତି। ସେଥିରେ କେବଳ‌ କେନ୍ଦ୍ର କର୍ମଚାରୀ ୨୬୦ ରହିଛନ୍ତି। ଅର୍ଥାତ୍‌ ସମସ୍ତ ୧୨୦ ସିଟ୍‌ ସେମାନଙ୍କୁ ଦେଲା ପରେ ବି ଆଉ ୧୪୦ ଜଣ କେନ୍ଦ୍ର କର୍ମଚାରୀଙ୍କ ପିଲା ନାମ ଲେଖାଇବା ସୁଯୋଗରୁ ବଞ୍ଚିତ ରହିବେ।

ସେପଟେ ଖପୁରିଆରେ ଚାଲିଥିବା କେଭି-୨ର ଭିତ୍ତିଭୂମି ସଜଡା ହୋଇପାରୁ ନାହିଁ। ୧୦ ବର୍ଷ ପରେ ବି ବିଦ୍ୟାଳୟର ନିଜସ୍ବ କୋଠା ନିର୍ମାଣ ହୋଇପାରି ନାହିଁ। ଏଭଳି ସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ବ ନେବା ପରେ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମନରେ ନୂଆ ଆଶା ଜନ୍ମିଛି। କେନ୍ଦ୍ରମନ୍ତ୍ରୀ କଟକକୁ ଏ କ୍ଷେତ୍ରରେ ପ୍ରାଧାନ୍ୟ ଦେବେ ବୋଲି ସମସ୍ତେ ଆଶା ଲଗାଇ ବସିଛନ୍ତି। ଅଧିକ ଶିକ୍ଷକ ନିଯୁକ୍ତି ଦେଇ ମେଟ୍ରୋ ଢାଞ୍ଚାରେ କେଭି-୧ରେ ଦୁଇ ସିଫ୍‌ଟରେ ପିଲାଙ୍କୁ ପଢ଼ାଯିବାର ବ୍ୟବସ୍ଥା କରିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରୁଛନ୍ତି। ଏହା କରାଗଲେ ପିଲାମାନଙ୍କ ପଢ଼ିବା ସମସ୍ୟା ଅନେକ ପରିମାଣରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର