ମାତ୍ର ୪ ଡାକ୍ତରରେ ଚାଲିଛି ଏସ୍‌ସିବି ନ୍ୟୁରୋଲୋଜି ବିଭାଗ

ଓପିଡିରେ ୧୨ଶହରୁ ଅଧିକ ରୋଗୀ

କଟକ: କଟକ ବଡ଼ ଡାକ୍ତରଖାନାର ନ୍ୟୁରୋଲୋଜି ବିଭାଗରେ ରୋଗୀ ସଂଖ୍ୟା ବଢିବା ସହ ଡାକ୍ତରଙ୍କ ଉପରେ ଚାପ ବଢୁଛି। କୋଭିଡ୍ ପରଠାରୁ ଓପିଡି, ଇନ୍‌ଡୋର ସବୁଠି ବଢିଛି ରୋଗୀଙ୍କ ସଂଖ୍ୟା। ହେଲେ ସେହି ଅନୁସାରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଅନ୍ୟପଟେ ଗୋଟିଏ ୟୁନିଟ୍‌ରେ ରୋଗୀ ଚିକିତ୍ସା ସମ୍ଭବ ହୋଇ ପାରୁ ନଥିବାରୁ ବେଡ୍‌ ନ ପାଇ ତଳେ ଗଡୁଛନ୍ତି ରୋଗୀ। ଏବେ ମାତ୍ର ୪ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଚାଲିଛି ବିଭାଗ। ସେଥିରୁ ୨ଜଣ ଚୁକ୍ତିଭିତ୍ତିକ। ସେଥିରେ ପୁଣି କେବଳ ଏସ୍‌ସିବି ନୁହେଁ ଏହି ବିଭାଗ ଅଧୀନରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନର ଓପିଡି ବି ପରିଚାଳିତ ହେଉଛି। ଅନ୍ୟପଟେ ଏସ୍‌ସିବି ଡାକ୍ତରୀ ପିଲାଙ୍କ ପାଠପଢା ସହ ଓଲଟପୁର ନିର୍‌ତାରର ପିଲାଙ୍କୁ ମଧ୍ୟ ଏହି ବିଭାଗର ଡାକ୍ତର ପଢାଇଥାନ୍ତି। କଟକ ବଡ଼ ଡାକ୍ତରଖାନା ନ୍ୟୁରୋସର୍ଜରି ବିଭାଗରେ ସପ୍ତାହର ମଙ୍ଗଳବାର ଓ ଗୁରୁବାର ଓପିଡି ରହିଛି। ପ୍ରତି ଓପିଡିରେ ୬ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବାବେଳେ ସେଥିରୁ ପାଖାପାଖି ଶହେ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥାନ୍ତି।

କିନ୍ତୁ ମାତ୍ର ଗୋଟିଏ ୟୁନିଟ୍‌ରେ ଚାଲିଛି ବିଭାଗ। ବିଭାଗର ରୋଗୀ ସଂଖ୍ୟା ଅନୁଯାୟୀ ଏଠାରେ କିନ୍ତୁ ୨ଟି ୟୁନିଟ୍‌ ଖୋଲାଯିବା କଥା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁନି। ୨୧ଟି ବେଡ୍‌କୁ ନେଇ ଚାଲିଥିବା ଏହି ବିଭାଗର କଳେବର ସଂପ୍ରସାରଣ ହୋଇ ପାରୁନି। ଫଳରେ ୨୧ଟି ବେଡ୍‌କୁ ୫୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ଏମିତି ସ୍ଥିତି ହେଉଛି ଯେ, ବେଡ୍‌ ଓ ଆବଶ୍ୟକୀୟ ସ୍ଥାନାଭାବ ସମସ୍ୟା ଯୋଗୁଁ ଅନେକ ରୋଗୀ ଘରୋଇ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଉଛନ୍ତି। ବିଭାଗରେ ଜଣେ ପ୍ରଫେସର, ଜଣେ ଆସୋସିଏଟ୍‌ ଓ ଦୁଇଜଣ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି। ​ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ଏଠି ୨ଜଣ ପ୍ରଫେସର, ୨ଜଣ ଆସୋସିଏଟ୍‌ ଓ ୨ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବାର ଆବଶ୍ୟକତା ରହିଛି। ବିଭାଗର ୨ୟ ଯୁନିଟ୍‌ ଖୋଲିବା ପାଇଁ ଦୀର୍ଘଦିନ ହେଲା ଦାବି ହେଉଥିବା ବେଳେ ତାହା ବାସ୍ତବରେ କେବେ କାର୍ଯ୍ୟକାରୀ ହେବ ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର