ନିଅଣ୍ଟିଆ ବର୍ଷା; ୫୩ ପ୍ରତିଶତ ଜମି ପଡ଼ିଆ, ଅଗଷ୍ଟ ବର୍ଷାକୁ ଅପେକ୍ଷା; କମ୍ ବର୍ଷା ହେଲେ ସ୍ଥିତି ସଂଗିନ

କଟକ: ଶ୍ରାବଣ ଶେଷ ହେବାକୁ ବସିଛି। କିନ୍ତୁ ପାଣି ଅଭାବରୁ ଅଧା ଚାଷ ଜମି ପଡିଆ ପଡିଛି। ଅଧାରୁ ଅଧିକ ଜମିରେ ରୁଆ ବି ଆରମ୍ଭ ହୋଇପାରିନି। ସରକାରୀ ରେକର୍ଡ କହୁଛି କଟକ ଜିଲ୍ଲାରେ ଜୁଲାଇ ମାସରେ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି କିନ୍ତୁ ଜୁନ୍‌ରେ ୩୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ଯାହାକି ଚାଷ କାର୍ଯ୍ୟ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି କୃଷି ବିଜ୍ଞାନୀ କହୁଛନ୍ତି। ଆରମ୍ଭରୁ ବର୍ଷା କମ୍ ଯୋଗୁଁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ଏପଟେ ଜୁଲାଇ ଶେଷରେ ବର୍ଷା ହଠାତ୍‌ ଗାଏବ ହେଇଯିବା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଅଗଷ୍ଟ ମାସର ବର୍ଷା ଉପରେ ଚାଷ ନିର୍ଭର କରୁଥିବାରୁ ଚାଷୀ ଏବେ ବର୍ଷାକୁ ଚାତକ ପରି ଚାହିଁ ରହିଛନ୍ତି। ଏପଟେ ଅଣଜଳିସେଚିତ ଅଂଚଳରେ ଚାଷ କାର୍ଯ୍ୟ ଆଦୌ ଆଗେଇ ପାରିନି। ଜିଲ୍ଲାରେ ମାତ୍ର ୪୭ ପ୍ରତିଶତ ଚାଷ ଜମିରେ ଚାଷ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଳାର ୭୫ ହଜାର ୩୬୯ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇନି। ଅଧାରୁ ଅଧିକ ଜମି ପଡିଆ ପଡିଛି। ଏମିତି ସ୍ଥିତି ଯେ ଚାଷୀ ଅପେକ୍ଷା କରିଛନ୍ତି ବର୍ଷା ହେଲେ ତଳି ଲଗାଇବେ। ଯେଉଁ ଜମିରେ ଜୁଲାଇ ବର୍ଷାକୁ ଦେଖି ଚାଷୀ ତଳି ଲଗାଇଥିଲେ ସେମାନେ ଏବେ ଚିନ୍ତାରେ। କିଛି ସ୍ଥାନରେ ମାଟି ଫାଟିବା ଆରମ୍ଭ କରିଛି। କଟକ ଜିଲ୍ଲାର ୧୪ଟି ବ୍ଳକ୍‌ରେ ମୋଟ ଚାଷ ଜମି ପରିମାଣ ୧ଲକ୍ଷ ୮୮ହଜାର ୧୫୦ ହେକ୍ଟର ରହିଥିବାବେଳେ ସେଥିରୁ ଧାନ ଚାଷ ଜମି ରହିଛି ୧ ଲକ୍ଷ ୩୧ ହଜାର ୧୧୮ ହେକ୍ଟର। ଅଣଧାନ ଜମି ହେଉଛି ୫୬ ହଜାର ୯୬୨ ହେକ୍ଟର। ଜିଲ୍ଲାରେ ଜୁନ୍‌ରେ ୨୧୦ ମିଲିମିଟର ବର୍ଷା ହେବା କଥା। କିନ୍ତୁ ହୋଇଛି ମାତ୍ର ୧୩୨.୬୯ ମିମି। ଅର୍ଥାତ୍‌ ସ୍ବାଭାବିକଠାରୁ ୩୬.୮୧ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ସେହିପରି ଜୁଲାଇରେ ଜିଲ୍ଲାରେ ୩୦୮ ମିମି ବର୍ଷା ହେବା ସ୍ଥାନରେ ହୋଇଛି ୩୭୫.୭୭ ପ୍ରତିଶତ ଯାହାକି ସ୍ବାଭାବିକଠାରୁ ୨୨ ପ୍ରତିଶତ ଅଧିକ। ସେହିପରି ଅଗଷ୍ଟରେ ଜିଲ୍ଲାରେ ୨୬୪ ମିମି ବର୍ଷା ହେଲେ ଚାଷ କାର୍ଯ୍ୟ ସ୍ବାଭାବିକ ହୋଇପାରିବ।

କିନ୍ତୁ ଏବେ ସୁଦ୍ଧା ସେଭଳି ବର୍ଷା ଆରମ୍ଭ ହୋଇନି। ଅନ୍ୟପଟେ ଜିଲ୍ଲାର ୧ ଲକ୍ଷ ୩୧ ହଜାର ୧୧୮ ହେକ୍ଟର ଧାନ ଚାଷ ଜମିରୁ ବର୍ତ୍ତମାନ ସୁଦ୍ଧା କୃଷି ବିଭାଗ ରିପୋର୍ଟ ଅନୁସାରେ ୫୫ ହଜାର ୮୧୯ ହେକ୍ଟର ଜମିରେ ଧାନ ଚାଷ ହୋଇଛି। କଟକ ସଦରରେ ୯୮୭୦ ହେକ୍ଟର ଜମିରେ ଧାନ ଚାଷ ହେବା କଥା, କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୯୨୧ ହେକ୍ଟର ଜମିରେ ଚାଷ ହୋଇଛି। ସେହିପରି ବାରଙ୍ଗରେ ୬୬୨୦ ହେକ୍ଟର ଜମିରେ ଧାନ ଚାଷ ହେବାସ୍ଥଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୪୦ ହେକ୍ଟର ଜମିରେ ଚାଷ ହୋଇଛି। ସେହିପରି କଣ୍ଟାପଡାରେ ମଧ୍ୟ ୫୪୧୦ ହେକ୍ଟର ସ୍ଥାନରେ ୬୯୫ ହେକ୍ଟର ଜମିରେ ଚାଷ ହୋଇଛି। ନିଆଳିରେ ୧୦ ହଜାର ୨୪୫ ହେକ୍ଟର ସ୍ଥାନରେ ୧୬୦୭, ଟାଙ୍ଗୀ-ଚୌଦ୍ବାରରେ ୧୪ ହଜାର ୧୮୦ ସ୍ଥାନରେ ୫୧୦୫, ସାଲେପୁରରେ ୧୩ ହଜାର ୨୩୦ ସ୍ଥାନରେ ୫୨୩୫, ନିଶ୍ଚିନ୍ତକୋଇଲିରେ ୧୨ ହଜାର ୭୭୦ ସ୍ଥାନରେ ୩୭୦୦, ମାହାଙ୍ଗାରେ ୧୧ ହଜାର ୩୫୦ ସ୍ଥାନରେ ୩୨୦୦, ଆଠଗଡ଼ରେ ୧୨ ହଜାର ୯୪୫ ସ୍ଥାନରେ ୯୬୮୫, ତିଗିରିଆରେ ୪୦୫୦ ସ୍ଥାନରେ ୩୧୫୫, ବଡମ୍ବାରେ ୬୭୭୦ ସ୍ଥାନରେ ୪୭୦୬, ନରସିଂହପୁରରେ ୯୫୬୫ ସ୍ଥାନରେ ୮୨୬୨, ବାଙ୍କୀରେ ୭୨୩୫ ସ୍ଥାନରେ ୫୭୩୩ ଓ ଡମପଡାରେ ୬୯୪୮ ହେକ୍ଟର ଚାଷ ହେବା ସ୍ଥାନରେ ବର୍ତ୍ତମାନ ସୁଦ୍ଧା ୩୫୭୫ ହେକ୍ଟର ଚାଷ ହୋଇଛି। କଟକ ଜିଲ୍ଲାର ଚାଷର ସ୍ଥିତି ସଂପର୍କରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ଦାଶଙ୍କ କହିବା କଥା ହେଲା ଯେ ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ଓ ଜୁନ୍‌ରେ କମ୍‌ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଯାହା ଫଳରେ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଛି। ଜୁଲାଇ ୨୮ରୁ ବର୍ଷା ଛାଡିଯିବା ଓ ପ୍ରବଳ ଖରା ଦ୍ବାରା ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ବିଶେଷ ଭାବେ ଅଣଜ‌ଳସେଚିତ ଜମିରେ ଚାଷ କାର୍ଯ୍ୟ ପଛେଇ ଥିବା ବେଳେ ଆଗକୁ ବଡ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଥିବାବେଳେ ବର୍ଷା ସ୍ବାଭାବିକ ହେଲେ ଚାଷ କାର୍ଯ୍ୟ ସ୍ବାଭାବିକ ହୋଇ ପାରିବ। କିନ୍ତୁ ଅଗଷ୍ଟରେ ଯଦି ଠିକ ବର୍ଷା ନ ହେବ ତେବେ ଧାନ ଅମଳ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର