ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ବିଚିତ୍ର ସ୍ଥିତି, ଟ୍ରାକ୍ଟର୍‌ ଅଭାବରୁ ହୋଇପାରୁନି ହଳ

କଟକ/ବିଦ୍ୟାଧରପୁର: କଟକ ବିଦ୍ୟାଧରପୁର ସ୍ଥିତ ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଏବେ ଧାନ ଗବେଷଣାକୁ ନେଇ ବିଚିତ୍ର ସ୍ଥିତି। ଖରିଫ ଋତୁରେ ଜୁଲାଇ ଶେଷ ହେବାକୁ ଯାଉଛି। କିନ୍ତୁ ଏଠି ବିଲକୁ ହଳ ଯାଇନାହିଁ। ଗବେଷଣା କେନ୍ଦ୍ରରେ ୪୫୦ ଏକର ଜମି ଥିବା ବେଳେ ଏବେ ୩୦୦ ଏକରରେ ଚାଷ ହେଉଛି। ରବି ଋତୁରେ କରାଯାଇଥିବା ଧାନ ପାଚି ବିଲରେ ଷଢୁଛି। ଆଉ କିଛି ଧାନ କଟାଯାଇ ହଳା ସହିତ ଅଫିସ ସମ୍ମୁଖ ରାସ୍ତାରେ ପଡ଼ି ସେଥୁରୁ ଧାନ ଗଜା ହୋଇ ଗଛ ବାହାରିଛି। ବୈଜ୍ଞାନିକ ମାନଙ୍କ ଗବେଷଣା ପାଇଁ ୨୦୦ ଏକର ଓ ଫାର୍ମ ଡିଭିଜନକୁ ୧୦୦ ଏକର ଚାଷ ଜମି ଦିଆଯାଇଛି। ମୁଖ୍ୟ ଅଫିସ ରାସ୍ତାର ଦୁଇ ପାର୍ଶ୍ଵରେ ବୈଜ୍ଞାନିକ ମାନେ ଜମିରେ ଗବେଷଣା କରୁଛନ୍ତି। ଏହି ରାସ୍ତା ପାର୍ଶ୍ବରେ ପାଚିଲା ଧାନ ବିଲରେ ଷଢୁଛି ଓ ରାସ୍ତା ଉପରେ ପଡି ଧାନଖଳାକୁ ନଯାଇ ଗଜା ହେଲାଣି। ତେଣୁ ବୈଜ୍ଞାନିକ ମାନେ ଏଥିରୁ ତଥ୍ୟ କିପରି ସଂଗ୍ରହ କରିବେ ବୋଲି ପ୍ରଶ୍ନ ଉଠୁଛି। ଏଭଳି ଅବ୍ୟବସ୍ଥା ସହିତ ପରିଚାଳନାଗତ ତ୍ରୁଟି ଏବେ ଧାନ ଗବେଷଣାରେ ବାଧକ ସାଜିଥିବା ଅଭିଯୋଗ ହେଉଛି। ତଥ୍ୟ ଅନୁଯାୟୀ ପ୍ରେମ ପାଲ୍ ନାମକ ଜଣେ କ୍ଷେତ ବୈଷୟିକ କର୍ମଚାରୀ ଏବେ ସୁରକ୍ଷା ଅଧିକାରୀ ଦାୟିତ୍ଵରେ କାର୍ଯ୍ୟ କରୁଛନ୍ତି।

ବୈଜ୍ଞାନିକ ଡକ୍ଟର ଶଶାଙ୍କ ଶେଖର ପଟ୍ଟନାୟକ ଅଧୀନରେ ସେ କ୍ଷେତ ବୈଷୟିକ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ଅଧିକ ଜ୍ଞାନ ଆହରଣ ପାଇଁ କେନ୍ଦ୍ର ସରକାର ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରାଇସ୍ ରିସର୍ଚ୍ଚକୁ ପଠାଇ ଥିଲେ। ଧାନ ଗବେଷଣା ବିଷୟରେ ଅଧିକ ଜ୍ଞାନ ଆହରଣ କରି ଫେରିବା ପରେ ସେ କ୍ଷେତକୁ ଯିବା ବଦଳରେ ଏବେ ସୁରକ୍ଷା ଅଧିକାରୀ ଦାୟିତ୍ଵ ନିର୍ବାହ କରୁଛନ୍ତି। ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଗବେଷଣା କ୍ଷେତ୍ରରେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି କିନ୍ତୁ ଚାଷ କରିବାକୁ ପର୍ଯ୍ୟାପ୍ତ ଟ୍ରାକ୍ଟର ନାହିଁ। କ୍ଷେତ ବୈଷୟିକ କର୍ମଚାରୀ ଧାନ ଗବେଷଣାରେ ନିୟୋଜିତ ହେବା ବଦଳରେ ଏବେ ସୁରକ୍ଷା ଅଧିକାରୀ ଦାୟିତ୍ବ ନିର୍ବାହ କରୁଛନ୍ତି। ଏଭଳି ସ୍ଥିତିରେ ଧାନ ଗବେଷଣା ଆଗକୁ ବଢିବ କିଭଳି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଏଭଳି ଅବ୍ୟବସ୍ଥା ସଂପର୍କରେ ଅନୁଷ୍ଠାନର ନିର୍ଦେଶକ ଡକ୍ଟର ପଦ୍ମନୀ ସ୍ବାଇଁ କହିଛନ୍ତି ଯେ ଅନୁଷ୍ଠାନ ପାଖରେ ମାତ୍ର ଦୁଇଟି ଟ୍ରାକ୍ଟର ଥିବା ବେଳେ ସେଗୁଡିକ‌ ଅଚଳ ହୋଇଯାଇ ଥିଲା। ଏବେ ତାହାକୁ ସଜଡା ଯାଇ ଜମିରେ ହଳ ଆରମ୍ଭ ହୋଇଛି। ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିବାରୁ ଏବେ କୃଷି ବିଜ୍ଞାନ କେନ୍ଦ୍ରରୁ ଆଉ ଗୋଟିଏ ଟ୍ରାକ୍ଟର ଅଣା ଯାଇଛି। ଠିକା କୃଷି ଶ୍ରମିକଙ୍କ ଆନ୍ଦୋଳନ ଓ ଅନ୍ୟ ବିଭିନ୍ନ କାରଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଡକ୍ଟର ସ୍ବାଇଁ କହିଛନ୍ତି। ଅନ୍ୟପଟେ କିନ୍ତୁ ନିକଟରେ ଏଠାରେ କୌଣସି ଠିକା ଶ୍ରମିକ ଆନ୍ଦୋଳନ ହୋଇନାହିଁ ବୋଲି ସଂଘର ସଭାପତି ବସନ୍ତ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର