କଟକ: ମୃତ୍ୟୁ ପରେ ଘଣ୍ଟାରୁ ଅଧିକ ସମୟ ଧରି ବେଡ୍ରେ ପଡ଼ି ରହିଲା ମୃତଦେହ। ଉଠାଗଲାନି ଶବ। ସେପଟେ, ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ପରିବାରବର୍ଗ କଲେ ଅଭିଯୋଗ। ଖାଲି ସେତିକି ନୁହେଁ, ଡାକ୍ତର ଓ କର୍ମଚାରୀମାନେ ରୋଗୀ ସଂପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ବି ହେଲା। ଏହାକୁ ନେଇ ଦୀର୍ଘ ସମୟ ଧରି ୱାର୍ଡରେ ତୀବ୍ର ଉତ୍ତେଜନା ଦେଖାଦେଲା। ପୁଲିସ ହସ୍ତକ୍ଷେପ ପରେ ଦୀର୍ଘ ୬ଘଣ୍ଟା ପରେ ଯାଇ ପରିସ୍ଥିତି ଶାନ୍ତ ହେଲା ଓ ବେଡ୍ରୁ ମୃଦଦେହ ଉଠିଲା। ଏଭଳି ଅଘଟଣ ଆଜି ଘଟିଛି ଏସ୍ସିବି ଯକ୍ଷ୍ମା ଓ ଛାତିରୋଗ ବିଭାଗ ଆଇସୋଲେସନ୍ ୱାର୍ଡର ବେଡ୍ ନମ୍ବର ୧୦୫୦ରେ। ବେଡ୍ ନମ୍ବର ୧୦୫୦ରେ କେନ୍ଦୁଝର ଜିଲ୍ଲା ଇନ୍ଦୁପୁରା ଗ୍ରାମର ଚନ୍ଦ୍ରଶେଖର ଜେନା(୫୫) ଶୁକ୍ରବାରଠାରୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଗତରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ରାତିଅଧରେ ତାଙ୍କ ସ୍ତ୍ରୀ ସୌଦାମିନୀ ନର୍ସ ଓ ଡାକ୍ତରଙ୍କୁ ଡାକିଥିଲେ, ହେଲେ କେହି ଆସି ନଥିଲେ। ଆଜି ସକାଳେ ମଧ୍ୟ ଅବସ୍ଥା ଅଧିକ ଗୁରୁତର ହେବା ସତ୍ତ୍ବେ ଚିକିତ୍ସା ସୁବିଧା ମିଳି ନଥିଲା। ଏପରିକି ସୌଦାମିନୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଶେଷରେ ଗୁରୁତର ଥିବା ଚନ୍ଦ୍ରଶେଖରଙ୍କର ଦିନ ପ୍ରାୟ ୧୧ଟା ବେଳେ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ କଟକରେ ରହୁଥିବା ମୃତକଙ୍କ କିଛି ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ଚିକିତ୍ସା ଅବହେଳା ଓ ସୌଦାମିନୀଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ପରିବାରବର୍ଗ ଓ କଟକର ସଂପର୍କୀୟମାନେ ଅଭିଯୋଗ କରିଥିଲେ ଓ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ୱାର୍ଡରୁ ଅପରାହ୍ଣ ପ୍ରାୟ ୫ଟା ବେଳେ ମୃତଦେହ ହଟିଥିଲା। ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିବା, ପରିବାର ସଦସ୍ୟଙ୍କୁ ଚିକିତ୍ସାକର୍ମୀଙ୍କ ଦୁର୍ବ୍ୟବହାର ଓ ମୃତ୍ୟୁର ୬ଘଣ୍ଟା ପର୍ଯ୍ୟନ୍ତ ବେଡ୍ ଉପରେ ମୃତଦେହ ପଡ଼ି ରହିବା ଘଟଣା ଏସ୍ସିବି ଚିକିତ୍ସା ବ୍ୟବସ୍ଥାର ବାସ୍ତକ ଚିତ୍ରର ପର୍ଦାଫାଶ୍ କରିଛି। ହଜାର ହଜାର କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ରାତିଦିନ କାମ ଜାରି ରଖିଥିବା ବେଳେ ଏସ୍ସିବିରେ ରୋଗୀଙ୍କୁ କିଭଳି ଚିକିତ୍ସା ମିଳୁଛି ଓ ସମ୍ପର୍କୀୟଙ୍କୁ ଚିକିତ୍ସାକର୍ମୀମାନେ କିପରି ବ୍ୟବହାର କରୁଛନ୍ତି ତା’ର ସଦ୍ୟ ଉଦାହରଣ ହେଉଛି ଆଜିର ଘଟଣା। ଏହାକୁ ନେଇ ଅନ୍ୟମାନଙ୍କ ସହ ସମାଜସେବୀ ଅର୍ଚ୍ଚନା ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟପଟେ ଏ ସଂପର୍କରେ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନେ ଏଭଳି ଘଟଣା ସଂପର୍କରେ କୌଣସି ଅଭିଯୋଗ ପାଇ ନଥିବା ସୂଚନା ଦେଇଛନ୍ତି। ଅପରପକ୍ଷରେ, ଏ ସଂପର୍କରେ ଏସ୍ସିବି ଫାଣ୍ଡି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଉତ୍ତେଜନା ଦେଖା ଦେଇଥିଲା। ଆମେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳେ ବେଡ୍ରେ ମୃତଦେହ ପଡ଼ି ରହିଥିଲା। ବୁଝାସୁଝା କରିବା ପରେ ଘଟଣାର ସମାଧାନ ହୋଇଥିଲା ଓ ମୃତଦେହ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/scb-scbmch.nic_.in_.jpg)