କଟକ: ଯେଉଁ ପିଲା ପାଇଁ ସେ ନିଜର ସବୁକିଛି ଜଳାଞ୍ଜଳି ଦେଇଥିଲା, ଶେଷରେ ସେହିମାନଙ୍କ ପାଇଁ ସେ ଅଲୋଡା ସାଜିଲା। ଖାଇବାକୁ ମୁଠେ ଦେଲେନି କି ଭଲମନ୍ଦ ବୁଝିଲେ ନାହିଁ। ସେବା ବଦଳରେ ହାତ ଉଠାଇ ମାଡ଼ ମାରିଲେ। ଶେଷରେ ସବୁଦିନ ପାଇଁ ଦୂରେଇବା ଉଦ୍ଦେଶ୍ୟରେ ଶୀତି ରାତିରେ ରାସ୍ତାରେ ଛାଡି ଚାଲିଗଲେ। ଇଏ ହେଉଛି କଟକ ଜିଲ୍ଲା ଆଠଗଡ଼ ଇଛାପୁର ଶାସନ ବାସିନ୍ଦା ୭୫ ବର୍ଷୀୟା ବୃଦ୍ଧା ସୁକାନ୍ତି ମହାପାତ୍ରଙ୍କ ହୃଦୟବିଦାରକ କଥା। ଗତକାଲି ରାତିରେ ସୁକାନ୍ତିଙ୍କ ମଝିଆ ପୁଅ କଟକରେ ମା’କୁ ଛାଡି ଚାଲିଯାଇଥିଲେ। ଅସହାୟ ସୁକାନ୍ତି ଉପାୟ ନପାଇ ବାଦାମବାଡ଼ି ଥାନାକୁ ଯାଇ ସବୁ କହିଥିଲେ। ବାଦାମବାଡ଼ି ପୁଲିସ ତାଙ୍କୁ ଶିଶୁଭବନ ରାତ୍ରି ଆଶ୍ରୟସ୍ଥଳରେ ଥାଇଥାନ କରିବା ସହ ବୃଦ୍ଧାଙ୍କ ତଥ୍ୟ ଆଧାରରେ ତାଙ୍କ ସଂପର୍କୀୟ ସହିତ ଯୋଗାଯୋଗ କରିଥିଲେ। ଗୋଟିଏ ଦିନ ପରେ ଅର୍ଥାତ ଶୁକ୍ରବାର ରାତିରେ ବୃଦ୍ଧାଙ୍କ ଝିଅ-ଜ୍ବାଇଁ ଆସି ତାଙ୍କୁ ଆଶ୍ରୟସ୍ଥଳରୁ ଉଦ୍ଧାର କରି ଘରକୁ ନେଇଛନ୍ତି। ଏଯାଏ ତାଙ୍କର କୌଣସି ପୁଅ ମା’ ବିଷୟରେ ଖୋଜଖବର ନେଇନଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2022/01/maa-ku-chadi-palayila-pua-1.jpeg-187x300-1-300x189.jpg)
ସୂଚନା ଅନୁଯାୟୀ କଟକ ଜିଲ୍ଲା ଆଠଗଡ଼ ଇଚ୍ଛାପୁର ଶାସନର ସ୍ବର୍ଗତ ବଳଭଦ୍ର ରାୟଗୁରୁ ମହାପାତ୍ରଙ୍କ ପତ୍ନୀ ହେଉଛନ୍ତି ସୁକାନ୍ତି ମହାପାତ୍ର। ପୂଜାପାଠ କରି ଚଳୁଥିବା ବଳଭଦ୍ରଙ୍କର ଗତବର୍ଷ ମାର୍ଚରେ ପରଲୋକ ଘଟିଥିଲା। ବଳଭଦ୍ରଙ୍କର ତିନି ପୁଅ ମହେଶ ମହାପାତ୍ର, ଗଣେଶ ମହାପାତ୍ର, ବିଘ୍ନେଶ ମହାପାତ୍ର, ଝିଅ ବିଜୟଲକ୍ଷ୍ମୀ ଷଡଙ୍ଗୀ ସମସ୍ତେ ବିବାହିତ। ଗାଁରେ ବଳଭଦ୍ରଙ୍କ ଘରଡିହ ସମେତ କିଛି ଚାଷଜମି ମଧ୍ୟ ରହିଛି। କିନ୍ତୁ ଭଳଭଦ୍ର ବଞ୍ଚିଥିବା ବେଳେ ମଧ୍ୟ ତିନି ପୁଅ କେହି ବାପାମା’ଙ୍କୁ ପଚରାଉଚରା କରନ୍ତି ନାହିଁ। ବାପା ମରିଗଲା ପରେ ମା’ଙ୍କୁ ଖାଇବାକୁ ଦେବା ଦୂରର କଥା, ମାରଧର କରିବା ଆରମ୍ଭ କଲେ।
ମା’ ସୁକାନ୍ତିଙ୍କ କହିବା ଅନୁସାରେ, ମଝିଆ ପୁଅ ଗଣେଶ ଖାଇବାକୁ ଦିଏ, କିନ୍ତୁ ବଡ଼ପୁଅ ମହେଶ ଓ ସାନ ପୁଅ ବିଘ୍ନେଶ ମାଡ଼ ମାରନ୍ତି। ଆଉ ସାନବୋହୂ ଶାଶୂ ସୁକାନ୍ତି ବାହାରୁ ମାଗିକରି ଆଣିଥିବା ଖାଦ୍ୟ, ଲୁଗାପଟା, ଟଙ୍କାପଇସା ଆଦିକୁ ଚୋରାଇ ନିଅନ୍ତି। କିଛି ଅଭିଯୋଗ କଲେ, ଗାଳି ଆଉ ମାଡ଼ ଦିଅନ୍ତି ବୋଲି ମା’ ସୁକାନ୍ତି ଅଭିଯୋଗ କରିଛନ୍ତି। ପୁଅବୋହୂଙ୍କ ମାଡ ଭୟରେ ସୁକାନ୍ତି ଅନେକ ସମୟରେ ଘର ଛାଡି ଅନ୍ୟ ସ୍ଥାନରେ ଆଶ୍ରୟ ନେଇଥାନ୍ତି ବୋଲି କହିଛନ୍ତି। ଗତକାଲି ରାତିରେ ସୁକାନ୍ତଙ୍କ ମଝିଆ ପୁଅ ଗଣେଶ ମା’ଙ୍କୁ ଏକୁଟିଆ ବସ୍ରେ ବସାଇ ଚାଲିଯାଇଥିଲେ। ସୁକାନ୍ତି ବାଦାମବାଡ଼ିରେ ଓହ୍ଲାଇ ଉପାୟ ନପାଇ ବାଦାମବାଡ଼ିରେ ଓହ୍ଲାଇ ଥାନାରେ ଦୁଃଖ ଜଣାଇବା ପରେ ଥାନା ପକ୍ଷରୁ ତାଙ୍କୁ ଶିଶୁଭୁବନ ପରିସର ରାତ୍ରି ଆଶ୍ରୟସ୍ଥଳରେ ରଖା ଯାଇଥିଲା।
ଥାନା ପକ୍ଷରୁ ତାଙ୍କ ଝିଅଜ୍ବାଇଁଙ୍କ ସହ ଯୋଗାଯୋଗ କରାଯାଇଥିଲା। ଶୁକ୍ରବାର ରାତିରେ ରେଭନେ୍ସା ବିଶ୍ବବିଦ୍ୟାଳୟ ପରିସରରେ ରହୁଥିବା ଝିଅ ବିଜୟଲକ୍ଷ୍ମୀ ଷଡଙ୍ଗୀ ଓ ଜ୍ବାଇଁ ହେମନ୍ତ ଷଡଙ୍ଗୀ ରାତ୍ରି ଆଶ୍ରୟସ୍ଥଳରେ ପହଞ୍ଚି ମା’ସୁକାନ୍ତିଙ୍କୁ ଘରକୁ ଆଣିଥିଲେ। ଝିଅ ବିଜୟଲକ୍ଷ୍ମୀଙ୍କ କହିବା ଅନୁସାରେ, ତାଙ୍କର ତିନି ଭାଇ(ସୁକାନ୍ତିଙ୍କ ତିନି ପୁଅ) ବଞ୍ଚିଥିବା ବେଳେ ବାପାଙ୍କୁ ମଧ୍ୟ ପଚାରୁନଥିଲେ। ବାପା ବଳଭଦ୍ର ତାଙ୍କ ପାଖରେ ଦୀର୍ଘ ବର୍ଷ ରହିବା ପରେ ଘରକୁ ଯାଇଥିଲେ। ପରେ ବଡ଼ପୁଅ ପାଖରେ ବାପା ମରିଥିଲେ ମଧ୍ୟ ମା’ଙ୍କୁ ଦେଖାଇ ନଥିଲେ। ସେମାନେ ବାପାଙ୍କ ସବୁ ଜମିବାଡ଼ି ଭୋଗ କରୁଥିଲେ ମଧ୍ୟ ଭଉଣୀଙ୍କୁ କି ମା’ଙ୍କୁ ପଚରାଉଚରା କରୁନାହାନ୍ତି ବୋଲି କହିଛନ୍ତି ବିଜୟଲକ୍ଷ୍ମୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/532af131-9981-4edd-a30d-7019da4eb017.jpg)