ନେଟ୍‌ ଫେଲ୍‌, ନଗଦ ଅର୍ଥ ମନା; ଦେଇପାରିଲେନି ପ୍ରବେଶ ଶୁଳ୍କ; ଲଳିତଗିରି ବୌଦ୍ଧ ବିହାରରେ ପର୍ଯ୍ୟଟକ ନିରାଶ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଲଳିତଗିରିରେ ରହିଛି ବିଶ୍ବପ୍ରସିଦ୍ଧ ବୌଦ୍ଧବିହାର। ଏଠାରେ ଦୀର୍ଘବର୍ଷ ତଳେ ଖନନ କରାଯାଇ ବହୁ ବୌଦ୍ଧ କୀର୍ତ୍ତିରାଜି ଓ ଭଗ୍ନାବଶେଷ ଆବିଷ୍କୃତ କରାଯାଇଛି। ଏବେ ସେଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ପାଇଁ ଅତ୍ୟାଧୁନିକ ବୁଲେଟ୍‌ ପ୍ରୁଫ୍‌ ମ୍ୟୁଜିୟମ ନିର୍ମାଣ କରାଯାଇଛି। ଏହି ପର୍ଯ୍ୟଟନସ୍ଥଳୀକୁ ଦେଶବିଦେଶର ବହୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। କରୋନା ସମୟରେ ଦୀର୍ଘମାସ ବନ୍ଦ ରହିଥିବା ଏହି ବୌଦ୍ଧବିହାର ଏବେ ଖୋଲି ଥିବାରୁ ପର୍ଯ୍ୟଟକମାନେ ଆନନ୍ଦ ପ୍ରକାଶ କରିଥିଲେ। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଖର୍ଚ୍ଚାନ୍ତ ହୋଇ ପରିବାର ଓ ସାଙ୍ଗସାଥୀଙ୍କ ଏଠାକୁ ଆସୁଛନ୍ତି। କିନ୍ତୁ ଏଠାରେ ଏବେ ନୂତନ ଭାବେ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ଲାଗୁ କରାଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରବେଶ ଶୁଳ୍କ ଗ୍ରହଣ କରାଯାଉଛି। କରୋନା କଟକଣା ପୂର୍ବରୁ ଏହି ପର୍ଯ୍ୟଟନସ୍ଥଳକୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ନଗଦ ଅର୍ଥ ଗ୍ରହଣ କରୁଥିଲା। ମାତ୍ର ଏବେ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍‌ ମାଧ୍ୟମରେ ପ୍ରବେଶ ଶୁଳ୍କ ଆଦାୟ କରାଯାଉଛି।

ଏଥିନିମନ୍ତେ ପର୍ଯ୍ୟଟକଙ୍କୁ ସେମାନଙ୍କ ମୋବାଇଲରେ ଉକ୍ତ ଆପ୍‌ ଡାଉନଲୋଡ୍‌ କରିବାକୁ କୁହାଯାଉଛି। ତେବେ ଏଠାକୁ ଆସୁଥିବା ଅନେକ ପର୍ଯ୍ୟଟକଙ୍କ ପାଖରେ ନଗଦ ଅର୍ଥ ଥିଲେ ମଧ୍ୟ ଦାମିକା ଆଣ୍ଡ୍ରଏଡ୍‌ ମୋବାଇଲ୍‌ ନ ଥିବାରୁ ସେମାନେ ପ୍ରବେଶ ଶୁଳ୍କ ଦେଇ ନ ପାରି ନିରାଶ ହୋଇ ଫେରୁଛନ୍ତି। ସେହିପରି ଦାମିକା ମୋବାଇଲ୍‌ ଥିଲେ ମଧ୍ୟ ବୌଦ୍ଧବିହାର ଅଞ୍ଚଳରେ ଠିକ୍ ଭାବେ ନେଟ୍‌ ଆସୁ ନ ଥିବାରୁ ଆପ୍‌ ଡାଉନଲୋଡ୍‌ ହୋଇପାରୁ ନାହିଁ। ଏଥିପାଇଁ ପର୍ଯ୍ୟଟକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏପରି କି, କିଛି ପର୍ଯ୍ୟଟକ ଫେରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି।

ଏ ସଂପର୍କରେ ମ୍ୟୁଜିୟମ ଦାୟିତ୍ବରେ ଥିବା ଗଗନ ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏବେ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ଟିକଟ୍‌ ବ୍ୟବସ୍ଥା କରାଯାଇଛି। ଏଣୁ ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଟିକଟ କରି ପ୍ରବେଶ କରୁଛନ୍ତି। ବିଭାଗ ଏହି ନିୟମ କାର୍ଯ୍ୟକାରୀ କରିଥିବା‌ ସେ ସୂଚନା ଦେବା ସହ ଆମ ହାତରେ କିଛି ନାହିଁ ବୋଲି ସେ ପ୍ରକାଶ କରିଥିଲେ। ସେହିପରି ଏଠାରେ ନେଟ୍‌ୱାର୍କ ଠିକ୍‌ ଭାବେ ଆସୁ ନ ଥିବା ମଧ୍ୟ ସେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର

Comments are closed.