ଚୌଦ୍ବାର: ଚୌଦ୍ବାର କୟଳପଡ଼ା ପଞ୍ଚାୟତ ନୂଆପାଟଣାଠାରେ ଲାଲ୍ଚନ୍ଦ୍ ଗ୍ରୁପ୍ ପକ୍ଷରୁ ପଞ୍ଚତାରକା ହୋଟେଲ ‘ଦି ନ୍ୟୁ ମାରିଅନ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା କଟକର ପ୍ରଥମ ପଞ୍ଚତାରକା ହୋଟେଲ ହେବ ବୋଲି ସୂଚନା ଦିଆଯାଇଛି। ଏହି ଉପଲକ୍ଷେ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ସ୍ଥଳରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାତା ସଂଧ୍ୟାରାଣୀ ଦାସ ଶିଳାନ୍ୟାସ ଫଳକ ଉନ୍ମୋଚନ କରିଥିଲେ।
କାର୍ଯ୍ୟକ୍ରମରେ ଲାଲ୍ଚନ୍ଦ୍ ଗ୍ରୁପ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସଂଜୟ ହଂସ ଯୋଗଦେଇ କହିଥିଲେ ଯେ ପ୍ରାୟ ୧୨ ଏକର ପରିମିତ ଜାଗା ଉପରେ ୭୭କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ହୋଟେଲରେ ୩୦ଟି ସ୍ବତନ୍ତ୍ର ଗୃହ(ଭିଲ୍ଲା), ୬୦ଟି ବିଳାସପୂର୍ଣ୍ଣ ସୁଇଟ୍, ୨ଟି ବୃହତ୍ ସମ୍ମିଳନୀ କକ୍ଷ, ୨ଟି ରିସେପ୍ସନ୍ ହଲ୍ ସହ ୨ଟି ପ୍ରିମିୟମ୍ ରେସ୍ତୋରାଁ, ସପିଂ ମଲ୍, ଏକ ବୃହତ୍ ସାଧାରଣ ସୁଇମିଂପୁଲ, ଲନ୍, ଟପ୍ କ୍ଲାସ୍ ସେଲୁନ୍, ସ୍ପା ଓ ହେଲ୍ କ୍ଲବ୍ ସହ ଅତ୍ୟାଧୁନିକ ସପିଂ ଆର୍କେଡ୍ କରାଯିବ। ହୋଟେଲ କାର୍ଯ୍ୟକାରୀ ହେଲେ ଏଥିରେ ୧୬୦ରୁ ଅଧିକ ଲୋକ ନିଯୁକ୍ତି ପାଇବା ସହ ୫୦୦ରୁ ଅଧିକ ପରିବାର ପ୍ରତିପୋଷଣ ହେବେ ବୋଲି ଶ୍ରୀ ହଂସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଲଚନ୍ଦ୍ ଗ୍ରୁପ୍ର ସହ-ପ୍ରତିଷ୍ଠାତା ଅନ୍ଭିତା ହଂସ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ତାୟତରାୟ, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କର, ଟାଙ୍ଗୀ ବିଡିଓ ଆଶୁତୋଷ ମିଶ୍ରଙ୍କ ସମେତ ଗ୍ରୁପ୍ର ବହୁ ଅଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/51-8.jpg)