କୁଖ୍ୟାତ ଜମି ଦଲାଲ ଗିରଫ : କୋଠାରୁ ଡେଇଁ ଛୁ’ ମାରିଲା ବେଳେ କାବୁ କଲା ପୁଲିସ୍‌

କଟକ/ବାରଙ୍ଗ : ଅଧା ମୂଲ୍ୟରେ ଜମି ଯୋଗାଇବାର ଲୋଭ ଦେଖାଇ ଲୋକଙ୍କଠାରୁ ଦେଢ଼ କୋଟି ଟଙ୍କା ଠକି ନେଇଥିବା ଜଣେ ଠକକୁ ବାରଙ୍ଗ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଚଢ଼ାଉ ସମୟରେ ସେ କୋଠାରୁ ଡେଇଁ ଛୁ’ ମାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ୍‌ ତାଙ୍କୁ କାବୁ କରିଥିବା ଜଣାପଡ଼ିଛି।

ଏହି କୁଖ୍ୟାତ ଠକ ହେଉଛନ୍ତି ପ୍ରତାପ ସାହୁ ଓରଫ ପହଲି। ସେ ନିଜେ ୨ କୋଟି ଟଙ୍କା ସମ୍ପତ୍ତିର ମାଲିକ। ପହଲିଙ୍କ ନିକଟରୁ ଠକାମିର ଶିକାର ହୋଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ଅଞ୍ଚଳର ମୁକ୍ତିକାନ୍ତ ପଟ୍ଟନାୟକ। ମୁକ୍ତିକାନ୍ତ ଭୁବନେଶ୍ୱରରେ ସରକାରୀ ଚାକିରି କରନ୍ତି। ସେ ୨୦୧୨ ମସିହାରେ ଶ୍ରୀବନ୍ତପୁର ମୌଜାରେ ୧ ଏକର ଜମି କିଣିବା ପାଇଁ ବାରଙ୍ଗ ବିଚ୍ଛାପୁର ଅଞ୍ଚଳର ପହଲିଙ୍କ ସହିତ ଯୋଗାଯୋଗ କରିଥିଲେ। ପହଲି ଭୁବନେଶ୍ୱରରେ ଅଧା ମୂଲ୍ୟରେ ଜମି ଯୋଗାଇବା ପାଇଁ ଶ୍ରୀ ପଟ୍ଟନାୟକଙ୍କଠାରୁ ମୋଟ ୨୦ ଲକ୍ଷ ଟଙ୍କା ନେଇଥିଲା। ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ଏବଂ ୫ ଲକ୍ଷ ୫୦ ହଜାର ଟଙ୍କାର ସୁନା ଅଳଙ୍କାର ନେଇଥିଲା। ୨୦୧୬ ମସିହାରେ ଏକ ଲିଖିତ ଚୁକ୍ତି ମଧ୍ୟ ଉଭୟଙ୍କ ମଧ୍ୟରେ ହୋଇଥିଲା। କିନ୍ତୁ ପରେ ଚିହ୍ନଟ ହୋଇଥିବା ଜମିକୁ ପହଲି ଯୋଗାଇ ନଥିଲେ। ମୁକ୍ତିକାନ୍ତ ଜମି ମାଗିବାରୁ ତାଙ୍କୁ ଗାଳିଗୁଲଜ କରିବା ସହିତ ଭୟଭୀତ କରାଇଥିଲା। ଏ ସଂକ୍ରାନ୍ତରେ ମୁକ୍ତିକାନ୍ତ ବାରଙ୍ଗ ଥାନାରେ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ଦଫା ୨୯୪, ୫୦୬, ୪୨୦, ୩୪ରେ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

ଗତକାଲି ପୁଲିସ୍‌ ଜମି କିଣିବା ବାହାନାରେ ଛଦ୍ମବେଶରେ ପହଲିଙ୍କ ଘରେ ପହଞ୍ଚଥିଲା। ପରେ, ଚଢ଼ାଉ କରିବା ସମୟରେ ସେ ଏକ କୋଠା ଉପରୁ ଡେଇଁ ଖସିଯିବାକୁ ଉଦ୍ୟମ କଲାବେଳେ ପୁଲିସ୍‌ କାବୁ କରିନେଇଥିଲେ।

ପହଲିଙ୍କ ଘରେ ଚଢ଼ଉ ବେଳେ ସମ୍ପତ୍ତି ଦେଖି ପୁଲିସ ଆଖି ଖୋସି ହୋଇଯାଇଥିଲା। ଦୁଇ ମହଲା ବିଶିଷ୍ଟ କୋଠାରେ ପାଖାପାଖି ୪୦ରୁ ଅଧିକ ବଖରା ରହିଛି। ପୁଲିସର ଗିରଫଦାରୀ ଭୟରେ ଲୁଚିବା ପାଇଁ ତଳ ମହଲାରେ ଅଣ୍ଡର୍‌ଗ୍ରାଉଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ଜମି କିଣାବିକା କାରବାର ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଭିତରେ ଥିବା ବେଳେ ବାହାରେ ପୁଲିସ ଉପରେ ନଜର ରଖିବାକୁ ୮ଟି ସିସି କ୍ୟାମେରା ଖଞ୍ଜା ହେଇଛି। ଆଉ ଏକ ସ୍ୱତନ୍ତ୍ର କୋଠରୀରେ ୪୨ ଇଞ୍ଚିଆ ଟିଭିରେ ସିସି କ୍ୟାମେରାଗୁଡ଼ିକୁ ପ୍ରତାପ ନିୟନ୍ତ୍ରଣ କରୁଥିଲା। କେବଳ ମୁକ୍ତିକାନ୍ତ ନୁହନ୍ତି, ଆହୁରି ୧୦ରୁ ଅଧିକ ଲୋକଙ୍କ ନିକଟରୁ ପହଲି ପ୍ରାୟ ଦେଢ଼କୋଟି ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର