ସମ୍ବଲପୁର ସର୍କଲ୍ ଜେଲ୍ରେ ଜାଲିଆତି : ନିର୍ଯାତନା ଦେଇ କଏଦୀଙ୍କ ଜମି ହଡ଼ପ, କ୍ରାଇମ୍ବ୍ରାଞ୍ଚରେ ୭ ଜଣଙ୍କ ବିରୋଧରେ ଏତଲା
କଟକ : ସମ୍ବଲପୁର ସର୍କଲ ଜେଲ୍ରେ ହୋଇଥିବା ଏକ ସାଂଘାତିକ କେଳେଙ୍କାରୀ ସଂପର୍କରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଛି। ଜେଲ୍ରେ ଥିବା ଜଣେ କଏଦୀଙ୍କୁ ନିର୍ଯାତନା ଦେଇ ତାଙ୍କର ମୂଲ୍ୟବାନ ଜମି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଜେଲ୍ରେ ଏଭଳି ଘଟଣାରେ ଜମି ହରାଇଥିବା କଏଦୀ ମେକା ଶିବ ପ୍ରସାଦ ଜେଲରୁ ମୁକୁଳିବା ପରେ କ୍ରାଇମ୍ବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଛନ୍ତି। ଜାଲିଆତିରେ ସମ୍ପୃକ୍ତ ଥିବା ଜେଲ୍ ଅଧିକାରୀଙ୍କ ସମେତ ମୋଟ ୭ ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି ।
ସୂଚନା ଅନୁଯାୟୀ ୨୦୦୮ ମସିହାରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଲଡ଼ୁଖାଇ ଅଞ୍ଚଳର ମେକା ରାମା ରାଓଙ୍କ ପୁଅ ମେକା ଶିବ ପ୍ରସାଦ ଏକ ହତ୍ୟା ଅଭିଯୋଗରେ ଗିରଫ ହୋଇ ସମ୍ବଲପୁର ସର୍କଲ୍ ଜେଲ୍କୁ ଚାଲାଣ ହୋଇଥିଲେ। ୨୦୧୦ ମାର୍ଚ୍ଚ ୭ ତାରିଖରେ ସମ୍ବଲପୁର ଏଡିଜେ କୋର୍ଟ ଆଜୀବନ ସଜା ଶୁଣାଇ ଥିଲେ। ଆଇନ ସେବା ପ୍ରାଧିକରଣ ପକ୍ଷରୁ ହାଇକୋର୍ଟରେ ଏହି ଶୁଣାଣିକୁ ଚ୍ୟାଲେଞ୍ଜ କରାଯାଇଥିଲା। ୨୦୧୮ ମେ ୧୮ ତାରିଖରେ ହାଇକୋର୍ଟରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। କିନ୍ତୁ ମେଡିକାଲ୍ ଚିକିତ୍ସା ଚାଲିଥିବା ଦର୍ଶାଇ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଜୁନ୍ ୭ ତାରିଖରେ ମୁକ୍ତ କରିଥିଲେ। ଜେଲରୁ ମୁକୁଳିବା ପରେ ସେହିଦିନ ମେକା ଶିବ ପ୍ରସାଦଙ୍କୁ ଜେଲ ବାହାରୁ ଅପହରଣ କରି ନିଆଯାଇଥିଲା । ଏ ସମ୍ପର୍କରେ ସମ୍ବଲପୁର ଏସ୍ପିଙ୍କ ନିକଟରେ ତାଙ୍କ ସଂପର୍କୀୟ ଭାଇ ମେକା ଆବା ରାଓ ଚୌଧୁରୀ ଅଭିଯୋଗ କରିଥିଲେ। କିନ୍ତୁ ଗଲା ୧୫ ତାରିଖରେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ଘରେ ପହଞ୍ଚିବା ପରେ ମେକା ଶିବ ପ୍ରସାଦ ଜେଲ୍ ଭିତରେ ଘଟିଥିବା ବଡ଼ ଧରଣର ଜାଲିଆତି ଓ ନୃଶଂସତା ସମ୍ପର୍କରେ କହିଥିଲେ।
ବୁର୍ଲା ଥାନା କଳାମାଟି ଅଞ୍ଚଳରେ ଥିବା ତାଙ୍କର ୧ ଏକର ୯୫ ଡିସିମିଲ୍ ଜମିକୁ ଜେଲ୍ର ଅଧୀକ୍ଷକ, ଜେଲର ଜାଲିଆତି କରି କ୍ଷେତ୍ରରାଜପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ୨୦୧୭ ଡିସେମ୍ବର ୨ ତାରିଖରେ ବିକ୍ରି କରି ଦେଇଥିଲେ। ବଳ ପୂର୍ବକ ତାଙ୍କଠାରୁ ଦସ୍ତଖତ କରି ନିଆଯାଇଥିଲା। ଉକ୍ତ ଜମିର ସରକାରୀ ମୂଲ୍ୟ ୧ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ହୋଇଥିବା ବେଳେ ସବ୍ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସହାୟତାରେ ୪୮ ଲକ୍ଷ ୭୫ ହଜାର ଟଙ୍କାରେ ତାହାକୁ ବିକ୍ରି କରାଯାଇଥିଲା। ମେକା ଶିବ ପ୍ରସାଦଙ୍କ ନାମରେ କ୍ଷେତ୍ରରାଜପୁରରେ ଏକ ଜାତୀୟକରଣ ବ୍ୟାଙ୍କ୍ରେ ତାଙ୍କ ଜାଲ୍ ପ୍ରମାଣପତ୍ର ଏବଂ ଅନ୍ୟ ଜଣେ ଜମି ଦଲାଲ୍ର ଫଟୋ ବ୍ୟବହାର କରି ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା । ଉକ୍ତ ଆକାଉଣ୍ଟରେ ଜମି ବିକ୍ରି ବାବଦ ଟଙ୍କା ଚାରିଟି ଚେକ୍ରେ ଜମା ହୋଇଥିଲା। ପରବର୍ତ୍ତି ସମୟରେ ଉକ୍ତ ବ୍ୟାଙ୍କ ଆକାଉଣ୍ଟରୁ ଦୁର୍ବୃତ୍ତମାନେ ଟଙ୍କା ଉଠାଇ ନେଇଥିଲେ। ଏ ସମ୍ପର୍କରେ ମେକା ଶିବ ପ୍ରସାଦ ରାଜ୍ୟ କ୍ରାଇମ୍ବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଛନ୍ତି । ମେକା ଶିବ ପ୍ରସାଦଙ୍କ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର କହିଛନ୍ତି ଯେ, ଜେଲ୍ କର୍ତ୍ତୃପକ୍ଷ ଜାଲ୍ ପରିଚୟ ପତ୍ର ଏବଂ ନିର୍ଯାତନା ଦେଇ ମେକା ଶିବ ପ୍ରସାଦଙ୍କ କୋଟିଏ ଟଙ୍କାର ଜମି ହଡ଼ପ୍ କରିଛନ୍ତି। ଏ ନେଇ ହାଇକୋର୍ଟରେ ମଧ୍ୟ ମାମଲା ହୋଇଛି ବୋଲି ସେ କହିଛନ୍ତି ।