କଟକ: କଟକ ଜିଲ୍ଲାପାଳଙ୍କ ଅଫିସରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ୧୨୦ କର୍ମଚାରୀଙ୍କ ପରିବାରଙ୍କୁ ଠକିଛି କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)। ଟଙ୍କା ନେଲେ, ଜମି ଦେଲେ। ମାତ୍ର ଜମି ନେଇଥିବା ଏହି କର୍ମଚାରୀଙ୍କୁ ସେମାନଙ୍କ ଲିଜ୍ ଡିଡ୍ ଏଗ୍ରିମେଣ୍ଟ୍ ଦେଲେ ନାହିଁ। ଦୀର୍ଘ ୨୫ ବର୍ଷ ହେବ ସିଡିଏ ଅଫିସ ଦୌଡ଼ି ଦୌଡ଼ି ୧୨୦ ପରିବାର ନୟାନ୍ତ ହେଲେଣି। ସିଡିଏ ସେକ୍ଟର-୯ରେ ଘର କରି ରହୁଥିବା କଲେକ୍ଟୋରେଟ ଏମ୍ପ୍ଲଇଜ୍ ଗ୍ରୁପ ହାଉସିଂ ସୋସାଇଟିର ୧୨୦ ପରିବାର ଏବେ ଏଭଳି ସ୍ଥିତିରେ ଧାରଣା ପାଇଁ ନିଷ୍ପତ୍ତି ନେଇଛନ୍ତି। ସିଡିଏ କର୍ତୃପକ୍ଷଙ୍କ ମନମାନି ଯୋଗୁଁ ସେମାନେ କୋଠ ଘର କରି ବି ବସ୍ତିବାସିନ୍ଦାଙ୍କ ଭଳି ଜୀବନ ବିତାଉଛନ୍ତି। ଜମିର ପ୍ରକୃତ ମାଲିକ ଆଜି ପର୍ଯ୍ୟନ୍ତ ହୋଇପାରୁ ନାହାନ୍ତି। କଟକ ସିଡିଏରେ ଘର ଥାଇ ବି ନିଜ ପିଲାମାନଙ୍କ ଆବାସିକ ପ୍ରମାଣପତ୍ର ପାଉ ନାହାନ୍ତି। ଘରର ମୁରବି ମରିବା ପରେ ବି ବଂଶଧର ମାନେ ଏକ ଲିଗାଲ ହେୟାର ପ୍ରମାଣପତ୍ର ପାଉନାହାନ୍ତି। ମୂଲ୍ୟବାନ ଜମିରେ ଘର ଥାଇ ବି ସେ ସଂପତ୍ତି ବଦଳରେ ବ୍ୟାଙ୍କ୍ ଋଣ ପାଇ ପାରୁ ନାହାନ୍ତି। ତଥ୍ୟ ମୁତାବକ, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀମାନେ ଏକ ସୋସାଇଟି ଗଠନ କରିଥିଲେ। ସୋସାଇଟି ମାଧ୍ୟମରେ ସେମାନେ ସିଡିଏରୁ ୧ ଏକର ୨୯ ଡିସିମିଲ ଜାଗା ନେଇଥିଲେ। ବିଡାନାସୀ ବିଦ୍ୟାଧରପୁର ମୌଜାରୁ ଏହି ମୂଲ୍ୟବାନ ଜମି ପାଇଁ ସେତେବେଳର ଧାର୍ଯ୍ୟ ଦର ମଧ୍ୟ ସିଡିଏକୁ ପୈଠ ଦେଇଥିଲେ। ସିଡିଏ ପ୍ଲଟ ନମ୍ବର ୫୧୫ ଓ ପ୍ଲଟ ନମ୍ବର ୬୩୯ରୁ ଏହି ସୋସାଇଟିକୁ ଜମି ପ୍ରଦାନ କରିଥିଲା। ଗ୍ରୁପ ହାଉସିଂ ସୋସାଇଟି ପାଇଁ ଜମିର ଧାର୍ଯ୍ୟମୂଲ୍ୟ ମଧ୍ୟ ସୋସାଇଟି ପୈଠ କରିଥିଲେ।
ସିଡିଏ ପ୍ରଥମେ ୫୧୫ ନମ୍ବର ପ୍ଲଟରୁ ୬୯ ହଜାର ୮୨୦ ବର୍ଗ ଫୁଟ ଓ ପ୍ଲଟ ନମ୍ବର ୬୩୯ରୁ ୧୩ ହଜାର ୪୪୬ ବର୍ଗଫୁଟ ଜମି ଦେଇଥିଲେ। ନିୟମ ମୁତାବକ, ସୋସାଇଟି ସଭ୍ୟମାନଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। ଏଜି ଜମି ବଣ୍ଟନ ହେବା ପରେ ସିଡିଏ ଜମି ମାପ ଚୁପ କରି ସେମାନଙ୍କୁ ଦଖଲ ମଧ୍ୟ ଦେଇଥିଲା । ୧୯୯୭ରେ ଜମି ଦଖଲ ଦିଆଯାଇଥିଲା। ସୋସାଇଟି ସଭ୍ୟମାନେ ସିଡିଏରୁ ପ୍ଲାନ ନେଇ ଘର ତିଆରି କରିଥିଲେ। ମାତ୍ର ପରେ ସିଡିଏ କର୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଜମିର ଲିଜ୍ ଡିଡ ଦେଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ହାଉସିଂ ପାଇଁ ସୋସାଇଟି ଜମି ନେଇଥିଲେ ସେମାନଙ୍କୁ ଅସଲି ଲିଜ୍ ଡିଡ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ନଂ ୫୬୬ର ସମସ୍ତ ଉନ୍ନୟନ କର୍ତୃପକ୍ଷଙ୍କୁ ଚିଠି କରିଥିଲେ ବି ସିଡିଏ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଏ ନେଇ କଟକ ଜିଲ୍ଲାପାଳ ସିଡିଏକୁ ଚିଠି କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ୨୦୧୪ ଜାନୁଆରି ୭ ତାରିଖରେ ରାଜସ୍ବ ବିଭାଗ ଜମିର ଲିଜ ଡିଡ ପ୍ରଦାନ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ରାଜ୍ୟ ସରକାର ଓ ଉନ୍ନୟନ କର୍ତୃପକ୍ଷ ମଧ୍ୟରେ ହୋଇଥିବା ସମସ୍ତ ଚୁକ୍ତି କୋହଳ କରି ବ୍ୟକ୍ତିଗତସ୍ତରରେ ଜମିର ଲିଜ୍ ଡିଡ୍ ପ୍ରଦାନ କରିବାକୁ ନିର୍ଦ୍ଦଶ ଦେଇସାରିଛନ୍ତି। ସେହିଭଳି ୨୦୨୦ ମାର୍ଚ୍ଚ ୪ ତାରିଖରେ ସିଡିଏ ଚିଠି ନଂ ୨୬୩୩ ଉତ୍ତରରେ ଜିଲ୍ଲାପାଳ ସିଡିଏକୁ ଚିଠି ନଂ ୧୭୩୬ ଲିଜ୍ ଡିଡ ପ୍ରଦାନ କରିବାକୁ କହିଛନ୍ତି। କିନ୍ତୁ ସିଡିଏରେ ଫାଇଲ ମିଳୁନାହିଁ କହି କର୍ତ୍ତୃପକ୍ଷ ସମୟ ଗଡାଇ ଚାଲିଛନ୍ତି। ସେଠାକାର ବାସିନ୍ଦା ସତ୍ୟଜିତ ରାୟ ଓ ମାନସ ମଲ୍ଲିକ କହିବା ଅନୁଯାୟୀ ଯଦି ଏହାର ତୁରନ୍ତ ଏହାର ସମାଧାନ ନ ହୁଏ ତେବେ ବାଧ୍ୟ ହୋଇ ପରିବାର ଲୋକ ସିଡିଏ ଅଫିସ ସମ୍ମୁଖରେ ଧାରଣା ଦେବେ।