ଟଙ୍କା ଦେଇ ଜମି ପାଇବାକୁ ବିତିଗଲା ୨୦ ବର୍ଷ, ପ୍ରଶାସନ ଜୁଲମ୍‌ର ଶିକାର ମର୍କତନଗର ସେକ୍ଟର-୧୩ ବାସିନ୍ଦା

ସିଡିଏ: ମର୍କତନଗର ସେକ୍ଟର-୧୩ରେ ନିର୍ଦ୍ଧାରିତ ଟଙ୍କା ଦାଖଲ କରିବା ପରେ ବି ଜମି ଖଣ୍ଡେ ପାଇବା ପାଇଁ ସଂଘର୍ଷ କରିବାକୁ ପଡିଥିଲା ଲୋକଙ୍କୁ। କିଛି ଲୋକ ୫ ବର୍ଷ ପରେ ଜମି ପାଇଥିବା ବେଳେ ଅଧିକାଂଶ ଲୋକଙ୍କୁ ଜମି ପାଇବାକୁ ଲାଗି ଗଲା ଦୀର୍ଘ ୧୮ ବର୍ଷ। ଏବେ ଜମି ପାଇଛନ୍ତି ସିନା କିନ୍ତୁ ସିଡିଏ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ମୁତାବକ ମୌଳିକ ଭିତ୍ତିଭୂମି ଯୋଗାଇ ଦେଉ ନାହାନ୍ତି। ଏଭଳି ସ୍ଥିତିରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ମର୍କତନଗର ସେକ୍ଟର-୧୩ ବାସିନ୍ଦାଙ୍କ ସମସ୍ୟା କେବେ ସୁଧୁରିବ, ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇଛି। ତଥ୍ୟ ଅନୁଯାୟୀ ଜମି ପାଇଁ ୧୯୯୫\୯୬ରେ ଲୋକେ ସିଡିଏରେ ଟଙ୍କା ଜମା କରିଥିଲା ବେଳେ ଦୀର୍ଘ ୫ ବର୍ଷ ପରେ ଅର୍ଥାତ ୨୦୦୧ରେ କିଛି ଲୋକଙ୍କୁ ଜମି ହସ୍ତାନ୍ତର କରାଯାଇଥିଲା। କିନ୍ତୁ ବ୍ରଜବିହାରୀପୁର ମୌଜାର କିଛି ଲୋକ ସେକ୍ଟର ୧୩ ଅଞ୍ଚଳରେ ଥିବା ସମସ୍ତ ଜମି ସେମାନଙ୍କର ବୋଲି ଦାବି କରିବା ସହ ଜମି ଆବଣ୍ଟନ ବେଳେ ହିତାଧିକାରୀଙ୍କ ସହ ଗଣ୍ଡଗୋଳ ଓ ଝଗଡ଼ା କରିବା ହେତୁ ହିତାଧିକାରୀ ମାନେ ଆଉ ଜମି ପାଇ ପାରି ନଥିଲେ। ଏହାଭିତରେ ଉକ୍ତ ସମସ୍ୟାକୁ ନେଇ ମାମଲା ଯାଇ ପହଞ୍ଚି ଥିଲା ଅଦାଲତରେ। ମାମଲା ତଳ କୋର୍ଟ ଦେଇ ସୁପ୍ରିମକୋର୍ଟ ଯାଏ ଯାଇଥିଲା। ଶେଷରେ ହିତାଧିକାରୀଙ୍କ ସପକ୍ଷରେ ରାଏ ଆସିବା ପରେ ସେମାନେ ଆଶ୍ବସ୍ତ ହୋଇଥିଲେ ସତ ହେଲେ ଏଥିପାଇଁ ସେମାନଙ୍କୁ ଦୀର୍ଘ ୧୮ ବର୍ଷ କାଳ ଅପେକ୍ଷା କରିବାକୁ ପଡିଥିଲା।

ଗୋଟିଏ ପଟେ ଜମି ପାଇଁ ସିଡିଏ ଅଫିସରେ ଟଙ୍କା ଜମା କଲେ ସେପଟେ କେସ ଲଢିବା ପାଇଁ ବହୁ ଖର୍ଚାନ୍ତରେ ପଡିଲେ। ଆର୍ଥିକ ଓ ମାନସିକ ଚାପରେ ପଡି କିଛି ଲୋକ ମଧ୍ୟ ରୋଗଗ୍ରସ୍ତ ହେଲେ। ଏବେ ଏଠାରେ ଲୋକେ ଘର ତିଆରି ଆରମ୍ଭ କରିଛନ୍ତି। ମୋଟ ୧୭୦୦ ପରିବାର ରହିବା ପାଇଁ ଜମି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୦ଟି ପରିବାର ଘର ତିଆରି କରି ରହିଲେଣି। ଅନ୍ୟ ପ୍ଲଟ୍‌ ଗୁଡିକରେ ନିର୍ମାଣ କାମ ଚାଲିଥିଲେ ବି ପ୍ରଶାସନ ପ୍ରତିଶ୍ରୁତି ଅନୁଯାୟୀ ମୌଳିକ ଭିତ୍ତିଭୂମି ଯୋଗାଇ ଦେଉ ନାହିଁ। ବିଦ୍ୟୁତ ସଂଯୋଗ, ସ୍ବେରେଜ ଲାଇନ, ଡ୍ରେନ, ରାସ୍ତା, ଷ୍ଟ୍ରିଟ୍ ଲାଇଟ୍ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ବିଦ୍ୟୁତ ଲାଇନ ପାଇଁ ୩୦/୮/୨୦ ୧୭ରେ ୬ କୋଟି ୮ ଲକ୍ଷ ଟଙ୍କା ଜମା ହୋଇଥିଲା। ଏଥିରେ ଛୋଟ ବଡ ମୋଟ ୨୧ଟି ଟ୍ରାନ୍ସଫର୍ମର ବସିବା ସହ ସବୁ ଲୋକଙ୍କ ଘର ରାସ୍ତାରେ ଖୁଣ୍ଟ ସହ ତାର ଟଣା ଯିବ। କିନ୍ତୁ ୨୧ଟି ଟ୍ରାନ୍ସଫର୍ମରରୁ ଏଯାଏ ମାତ୍ର ୭ଟି ଟ୍ରାନ୍ସଫର୍ମର ବସିଥିବା ବେଳେ ସେଥିରୁ ମାତ୍ର ୩ଟି କାମ କରୁଛି। କିଛି ଜାଗାରେ ତାର ଗୁଡିକ ରାସ୍ତା ଝୁଲୁଛି ତ ଆଉ କିଛି ଜାଗାରେ ରାସ୍ତା ଉପରେ ପଡି ରହିଛି।

ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବହୁ ସମୟରେ ଲୋକଙ୍କ ସହ ବୁଲା ପଶୁ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସବୁ ଲୋକଙ୍କ ଘର ରାସ୍ତାରେ ଖୁଣ୍ଟ ଓ ତାର ଟଣା ନ ହୋଇ ପାରିବା ହେତୁ ଲୋକେ ୧ କିମି ଦୂରରୁ ସର୍ଭିସ ଟାଣି ଲାଇନ ଆଣିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ୧୬ ବର୍ଷ ତଳେ ତିଆରି ହୋଇଥିବା ସ୍ବେରେଜ ଲାଇନ ଓ ଚାମ୍ବର ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଂଗିରୁଜି ଗଲାଣି। ଏପରିକି ମାଟିରେ ସବୁ ପୋତି ହୋଇ ଗଲାଣି। ଫଳରେ ମଇଳା ପାଣି ଠିକରେ ନିଷ୍କାସିତ ହୋଇପାରୁ ନାହିଁ। ସ୍ବେରେଜ ଚାମ୍ବର ଉପରେ କଭର ନଥିବା ହେତୁ ଛୋଟ ବଡ ଦୁର୍ଘଟଣା ଘଟୁଛି। ନିକଟରେ ସ୍ବେରେଜ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଟୁଇଟ କରାଯାଇଥିଲା। ସମସ୍ୟା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟରୁ ସିଏମସି କମିସନରଙ୍କ ନିକଟକୁ ଚିଠି ଆସିବା ପରେ ସିଏମସି କମିସନର ସ୍ବେରେଜ କାମ ଦୁଇ ମାସ ମଧ୍ୟରେ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୬ମାସ ବିତିଯାଇଥିଲେ ସୁଦ୍ଧା କାମ ହେଇ ପାରି ନାହିଁ। ସେପଟେ ସବୁ ଲୋକଙ୍କ ଘର ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନାହିଁ କି ଡ୍ରେନେଜ ଚାମ୍ବର ଉପରେ କଭର ନଥିବା ହେତୁ ବର୍ଷା ପାଣି ସବୁ ରାସ୍ତାରେ ଜମା ହୋଇ ରହୁଛି।

୨୦୧୯ ଫନି ବାତ୍ୟା ପୂର୍ବରୁ ଏଠାରେ ୧୦୦ଟି ଷ୍ଟ୍ରିଟ୍ ଲାଇଟ ଲଗାଯାଇଥିବା ବେଳେ ସେଗୁଡିକ ବାତ୍ୟାରେ ନଷ୍ଟ ହୋଇ ଏବେ ମାତ୍ର ୫ଟି ଷ୍ଟ୍ରିଟ୍ ଲାଇଟ ଜଳୁଛି। ସାରା ଅଞ୍ଚଳ ରାତିରେ ଅନ୍ଧାର ରହୁଥିବାରୁ ଚୋରତସ୍କରଙ୍କ ଦୌରାତ୍ମ୍ୟ ବଢୁଛି। ଏଠାରେ ଏକ ପୁଲିସ ଆଉଟ ପୋଷ୍ଟ ପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ତାହା ମଧ୍ୟ ଆଜିଯାଏ ହୋଇ ପାରିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମରୁ ଲୋକେ ୫୦ ପଇସା ହିସାବରେ ଜମିର ବର୍ଗଫୁଟ୍ ଅନୁସାରେ ସିଡିଏକୁ ଗ୍ରାଉଣ୍ଡ ରେଣ୍ଟ୍ ଦେଉଥିଲେ। କିନ୍ତୁ ଗତ ତିନି ମାସ ହେଲା ବିନା ନୋଟିସ୍‌ରେ ଲୋକଙ୍କ ଠାରୁ ବର୍ଗଫୁଟ୍‌କୁ ୧ଟଙ୍କା ୯୬ ପଇସା ହିସାବରେ ଗ୍ରାଉଣ୍ଡ ରେଣ୍ଟ୍ ଆଦାୟ କରାଯାଉଛି। ଅନ୍ୟ ପଟେ ଖରସୁଆଁ ନାଳକୁ ଅବରୋଧ କରି ରେଭେନ୍ସା ପାଚେରି ନିର୍ମାଣ କରିବା ପରେ ଏହି ଅଞ୍ଚଳର ଉଦ୍‌ବୃତ ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନାହିଁ। ତେଣୁ ବର୍ଷାରେ ସାରା ଅଞ୍ଚଳ ଉବୁଟୁବୁ ହେଉଛି। ସେକ୍ଟର ୧୩ ଆବାସିକ ସଂଘର ସଭାପତି ବିଜ୍ଞାନ ଶର୍ମା ଓ ସଂପାଦକ ସୋମରଂଜନ ପଟ୍ଟନାୟକ କହିବା ଅନୁଯାୟୀ ଅଞ୍ଚଳର ମୌଳିକ ସମସ୍ୟା ସମାଧାନ ପାଇଁ ଅତୀତରେ ବହୁବାର ସଂଘର୍ଷ କରିଥିଲୁ। ଆଗାମୀ ଦିନରେ ଯଦି ଏଠାରେ ଥିବା ସମସ୍ୟାର ସମାଧାନ ନ ହୁଏ ତେବେ ପୁଣି ରାଜରାସ୍ତାକୁ ଯିବାକୁ ପଛାଇବୁ ନାହିଁ।

ସମ୍ବନ୍ଧିତ ଖବର