ହାଇକୋର୍ଟ ବୁଲିଲେ ଆଇନ ଛାତ୍ରଛାତ୍ରୀ, ବିଚାରପତିଙ୍କ ସହିତ ଆଲୋଚନା କଲେ, ବିଚାର ପ୍ରକ୍ରିୟା ନେଇ ଅବଗତ ହେଲେ

କଟକ: ଏକ ଐତିହାସିକ ଘଟଣାକ୍ରମରେ ଆଇନ ଛାତ୍ରଛାତ୍ରୀମାନେ ଛୁଟି ଦିନରେ ଓଡିଶା ହାଇକୋର୍ଟ ପରିସର ବୁଲିଛନ୍ତି। ହାଇକୋର୍ଟର ବିଚାରପତି ଓ ଆଇନଜୀବୀଙ୍କ ସହିତ ଆଲୋଚନା କରିବା ସହିତ ରାଜ୍ୟର ନ୍ୟାୟିକ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ୨୦୨୧ ଶିଶୁ ଦିବସ ଦିନ ଠାରୁ ହାଇକୋର୍ଟ ପରିସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ଯାଇଥିବା ବେଳେ ଆଜି ଢେଙ୍କାନାଳ ଆଇନ କଲେଜ ଛାତ୍ରଛାତ୍ରୀ ଆସିଥିଲେ। ବିଚାରବିଭାଗୀୟ କାର୍ଯ୍ୟର ବିଭିନ୍ନ ଦିଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ହେରିଟେଜ ବିଲ୍ଡିଂ ଓ ନୂଆ କୋଠାରେ ଥିବା ମୁଖ୍ୟ ବିଚାରପତିଙ୍କ କୋର୍ଟ ଓ ଚାମ୍ବର, ଜଜେସ୍ ଲାଇବ୍ରେରି, କନଫରରେନ୍ସ ହଲ୍ ବୁଲି ଦେଖିଥିଲେ। ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ଓ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏକ ଜନସ୍ବାର୍ଥ ମାମଲାର ଭିଡିଓ କ୍ଲିପ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, ହାଇକୋର୍ଟ ଆର୍ବିଟ୍ରେସନ୍ ଓ ମେଡିଏସନ୍ ସେଣ୍ଟର ଥିବା ଆଇନସେବା ଭବନ ବୁଲିଥିଲେ। ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଓ ଗରିବଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଏହାର ଅବଦାନ ପ୍ରସଂଗରେ ପିଲାମାନଙ୍କୁ ଅବଗତ କରାଯାଇଥିଲା।

ଜୁଡିସିଆଲ ଏକାଡେମିରେ ପିଲାମାନେ ଆଇନଜୀବୀ ଓ ବିଚାରପତିଙ୍କ ପାଇଁ ଥିବା ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ହାଇକୋର୍ଟର ବିଚାରପତି ଜଷ୍ଟିସ ଭି.ନରସିଂହଙ୍କ ସହିତ ଛାତ୍ରଛାତ୍ରୀମାନେ ଭାବ ବିନିମୟ କରିଥିଲେ। ଆଇନଜୀବୀ ଭାବେ କାର୍ଯ୍ୟ କରିବା ସମୟର ଅନୁଭୂତି ସଂକ୍ରାନ୍ତରେ ଜଷ୍ଟିସ ନରସିଂହ କହିଥିଲେ। ଆଇନ କ୍ଷେତ୍ରରେ ହେଉଥିବା ବିଭିନ୍ନ ପରିବର୍ତ୍ତନ ଓ ଉନ୍ନତି ସଂପର୍କରେ ସବୁ ବେଳେ ଅବଗତ ରହିବାକୁ ସେ ପରାମର୍ଶ ଦେବା ସହିତ ଭଲ ଆଇନଜୀବୀ ଓ ବିଚାରପତି ହେବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ପାଢୀ, ସାଗରିକା ସାମଲ ଓ ଜଗଦୀଶ ବିଶ୍ବାଳ ଉପସ୍ଥିତ ରହି ପିଲାମାନଙ୍କୁ ବିଭିନ୍ନ ପ୍ରସଂଗରେ ଅବଗତ କରିଥିଲେ। ପୂର୍ବରୁ ସ୍କୁଲ ଛାତ୍ରଛାତ୍ରୀ ହାଇକୋର୍ଟ ପରିଦର୍ଶନ କରିଥିଲେ। ଏହାପରେ ଦିବ୍ୟାଙ୍ଗ ଛାତ୍ରାଛାତ୍ରୀ ହାଇକୋର୍ଟ ବୁଲି ଦେଖିଥିଲେ। କିନ୍ତୁ ଛୁଟି ଦିନରେ ଆଇନ ଛାତ୍ରଛାତ୍ରୀ ହାଇକୋର୍ଟ ପରିଦର୍ଶନ କରିବା ଘଟଣା ହେଉଛି ପ୍ରଥମ।

ସମ୍ବନ୍ଧିତ ଖବର