୭୦ ବର୍ଷୀୟା ଲକ୍ଷ୍ମୀଙ୍କ ମୁଣ୍ଡରେ ଭେଣ୍ଡିଆ ଭିନ୍ନକ୍ଷମ ପୁଅର ବୋଝ‌; ପେଟକୁ ଦୁଇ ଓଳି ଦାନା ବି ମିଳୁନି, ଔଷଧ ସାତ ସପନ

ବିଦ୍ୟାଧରପୁର: କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୫୫ର ବିଦ୍ୟାଧରପୁର ଗଳି ସାହିରେ ବଖରାଏ ଆଜବେଷ୍ଟସ ଘରେ ରହୁଛନ୍ତି ଶ୍ରୀଲକ୍ଷ୍ମୀ। ଗୋଟିଏ ବୋଲି ପୁଅ  ପି ଭି ରାଜୁର ବୟସ ୩୭। ଗରିବ ଅସହାୟ ଅବସ୍ଥାରେ ଭିନ୍ନକ୍ଷମ ପୁଅର ବୋଝ‌ ବୋହୁଛନ୍ତି ୭୦ ବର୍ଷର ଅସହାୟ ବୃଦ୍ଧା ଲକ୍ଷ୍ମୀ। ଦୀର୍ଘ ୩୫ବର୍ଷ ହେବ ଏଇ ଅବସ୍ଥାରେ ଏହି ଭଡ଼ା ଘରେ ରହୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଯବାନ ପୁଅକୁ ନେଇ ଦୁଃଖ କଷ୍ଟରେ ଚାଲିଥିଲା ସ°ସାର। ପୁଅ ଏକ ସିକ୍ୟୁରିଟି ସ°ସ୍ଥାରେ କାର୍ଯ୍ୟ କରୁଥିଲା। ଏହି ସ°ସ୍ଥା ଅଧୀନରେ ସେ ବିଏସଏନଏଲ୍ ଅଫିସରେ ଜଗୁଆଳି ଭାବେ କାର୍ଯ୍ୟରତ ଥିଲା। ହଠାତ୍ ଦୁର୍ଦ୍ଦିନ ମାଡ଼ି ଆସିଲା। ୨୦୧୮ ସେପ୍ଟେମ୍ବର ମାସ। ରାଜୁ ସକାଳୁ ନିଜ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ୱାର୍ଡ ନଂ ୫୩ ଅନ୍ଦରପୁର ପୁଲିସ ଫାଣ୍ଡି ସମ୍ମୁଖରେ ଏକ ସଜନା ଗଛ ଭାଙ୍ଗି ତାଙ୍କ ଉପରେ ପଡିଥିଲା। ଗଛପଡି ରାଜୁଙ୍କ ଅଣ୍ଟା ଭାଙ୍ଗି ଯାଇଥିଲା। ସ୍ପାଇନାଲ କର୍ଡ କ୍ଷତିଗ୍ରସ୍ତ ହେବାରୁ ତାଙ୍କ ଦୁଇ ଗୋଡ଼ ଅଚଳ ହୋଇଯାଇଛି। ପରଘରେ ପାଇଟି କରି ଯାହା ସଞ୍ଚିତ ଅର୍ଥ ଥିଲା ତାହା ‌‌‌‌‌‌‌ପୁଅର ଔଷଧ କିଣାରେ ଖର୍ଚ୍ଚ ହୋଇଗଲା ବୋଲି ମା’ ଶ୍ରୀଲକ୍ଷ୍ମୀ କହନ୍ତି। ସରକାରୀ ସାହାଯ୍ୟ ପାଇଁ ବହୁତ ଅଫିସ ବୁଲିଛନ୍ତି, କିନ୍ତୁ କିଛି ହୋଇନାହିଁ।

ଏ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ସହଯୋଗ ମିଳି ନଥିବା ସେ ଅଭିଯୋଗ କରିଛନ୍ତି। ରାସନ୍ କାର୍ଡରେ କେବଳ ମା’ଙ୍କ ନାମ ଥିବାରୁ ମାସକୁ ୫ କିଲୋ ଚାଉଳ ଓ ଭତ୍ତା ୫୦୦ ଟଙ୍କାରେ ସେ ବଡ଼ କଷ୍ଟରେ ଚଳୁଥିବା କହିଛନ୍ତି। ପୁଅର ଅପରେସନ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ଏଥି ସହିତ ଯେଉଁ ଔଷଧ ଲେଖିଛନ୍ତି ମାସକୁ ୫ ହଜାର ଖର୍ଚ୍ଚ ହେବ। ଅର୍ଥ ଅଭାବରୁ ୨୦୧୯ ଠାରୁ ଔଷଧ ଖାଇ ନାହାନ୍ତି ବୋଲି ରାଜୁ କହିଛନ୍ତି। ଦୁଇ ଓଳି ପେଟ ପୂରାଇ ଖାଇବାକୁ ମିଳୁ ନାହିଁ ବୋଲି ସେ କହିଛନ୍ତି। ଆଉ ପରଘରେ ପାଇଟି କରିବାକୁ ବି ବଳ ପାଉନାହିଁ ବୋଲି ଶ୍ରୀଲକ୍ଷ୍ମୀ କୋହଭରା କଣ୍ଠରେ କହନ୍ତି। ଦୁଇ ଗୋଡ଼ ଅଚଳ ହୋଇଯିବା କାରଣରୁ ପୁଅର ନିତ୍ୟକର୍ମ ସାରି ପରଘରେ ପାଇଟି କରିବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି। ଯବାନ ପୁଅର ଚିକିତ୍ସା ପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀଲକ୍ଷ୍ମୀ ଆକୁଳ ନିବେଦନ କରିଛନ୍ତି। ସୁଖଦୁଃଖରେ ଭଣଜା ଜୀବନ ମଲ୍ଲିକ କିଛି ସାହାଯ୍ୟ ସହଯୋଗ କରୁଛନ୍ତି। ଯଦି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରନ୍ତି ତେବେ ସେ ଚିର ଋଣୀ ରହିବେ ବୋଲି ଲକ୍ଷ୍ମୀ (ମୋବାଇଲ୍ ନମ୍ବର-୭୮୫୫୦୧୦୫୮୬) କହିଛନ୍ତି।

ସମ୍ବନ୍ଧିତ ଖବର