ସାଢ଼େ ୭ ଲକ୍ଷ ଗୋସମ୍ପଦ ପାଇଁ ୧୨୩ ଡାକ୍ତର ଓ କର୍ମଚାରୀ: କଟକ ସଦରରେ ନାହାନ୍ତି ଏଲ୍‌ଆଇ, ଭିଟି

କଟକ: କଟକ ଜିଲ୍ଲାରେ ବିପଦରେ ଗୋ-ପଶୁ ସମ୍ପଦ। ସାଢେ ୭ଲକ୍ଷ ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ଚିକିତ୍ସା ପାଇଁ ରହିଛନ୍ତି ମାତ୍ର ୧୨୩ଜଣ ଡାକ୍ତର ଓ କର୍ମଚାରୀ। କେଉଁଠି ଜଣଙ୍କ ହାତରେ ଚାଲିଛି କେନ୍ଦ୍ର ତ’ ପୁଣି କେଉଁଠି ଅଧାଙ୍କୁ ନେଇ ଚାଲିଛି କାର୍ଯ୍ୟ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସମଗ୍ର କଟକ ଜିଲ୍ଲାରେ। ୨୧୭ ଡାକ୍ତର ଓ କର୍ମଚାରୀଙ୍କ ସ୍ଥାନରେ ୧୨୩ଜଣଙ୍କୁ ଚାଲିଛି ଜିଲ୍ଲାର ଗୋ-ପଶୁସମ୍ପଦ ବିକାଶ। ଜିଲ୍ଲାର ୨୭ଟି କେନ୍ଦ୍ରରେ ୫୬ଜଣ ପ୍ରାଣୀ ଚିକିତ୍ସକ ରହିବା କଥା। କିନ୍ତୁ ଅଛନ୍ତି ମାତ୍ର ୩୧ଜଣ। ସେହିପରି ୧୬୧ଜଣ କ୍ଷେତ୍ର କର୍ମଚାରୀଙ୍କ ବଦଳରେ ଅଛନ୍ତି ମାତ୍ର ୯୨ଜଣ। ଗ୍ରାମାଞ୍ଚଳରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏ ପ୍ରାଣୀଧନ ସହାୟକ କେନ୍ଦ୍ର ରହିବା କଥା। କିନ୍ତୁ ଜିଲ୍ଲାର ୩୭୩ ପଞ୍ଚାୟତରୁ ୨୦୮ଟିରେ ଏହି କେନ୍ଦ୍ର ରହିଛି। ସେଗୁଡ଼ିକ ବି ଠିକ୍‌ ଭାବରେ ଚାଲିପାରୁନି। କାରଣ, ହାତଗଣତି କର୍ମଚାରୀଙ୍କୁ ନେଇ ଚାଲିଥିବା ଏହି ବିଭାଗରୁ ଲୋକଙ୍କ ପାଖରେ ଠିକ୍‌ ଭାବରେ ପହଞ୍ଚି ପାରୁନି। ଫଳରେ ବେସରକାରୀ ବ୍ୟବସ୍ଥା ମାଧ୍ୟମରେ ଗାଁଠୁ ସହର ସବୁଠି ଲୋକ ଖୋଜୁଛନ୍ତି ‘ପେଟ୍‌ କେୟାର୍‌’ଠାରୁ ଆରମ୍ଭ କରି ଗାଈ, ଗୋରୁଙ୍କ ଚିକିତ୍ସା ପାଇଁ ଥିବା ବିଭିନ୍ନ ବେସରକାରୀ ବ୍ୟକ୍ତିଙ୍କୁ। କଟକ ଜିଲ୍ଲାରେ କୁକୁଡ଼ାଙ୍କୁ ବାଦ୍‌ ଦେଲେ ସାଢ଼େ ୭ଲକ୍ଷ ପଶୁସମ୍ପଦ ରହିଛନ୍ତି। କୁକୁଡ଼ାଙ୍କୁ ମିଶାଇଲେ ଏହି ସଂଖ୍ୟା ୧୦ଲକ୍ଷ ଟପିବ। ଏଥିସହ ଘରୋଇ ଭାବେ ଅନେକ ଛେଳି ଫାର୍ମ, କୁକୁଡ଼ା ଫାର୍ମ କରିଛନ୍ତି। ସବୁକୁ ଯଦି ହିସାବକୁ ନିଆଯାଏ ତା’ହେଲେ ଜିଲ୍ଲାରେ ଏହି ସଂଖ୍ୟା ଆହୁରି ଅଧିକ ହେବ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରତି ପଞ୍ଚାୟତରେ ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲାଯିବ। ହେଲେ କଟକ ଜିଲ୍ଲାରେ ପୂର୍ବରୁ ୧୫୬ଟି କେନ୍ଦ୍ର ଥିବା ବେଳେ ଏବେ ଏହି ସଂଖ୍ୟା ୨୦୮ରେ ପହଞ୍ଚିଛି। ଜିଲ୍ଲାରେ ୨୭ଟି ସ୍ଥାନରେ ଥିବା ଭି.ଏସ୍‌ କାର୍ଯ୍ୟାଳୟରେ ୫୬ଜଣ ବିଭିନ୍ନ ବର୍ଗର ଡାକ୍ତରଙ୍କ ବଦଳରେ ୩୧ଜଣ ରହିଛନ୍ତି। ଯଦି ତଥ୍ୟ ଦେଖାଯା‌ଏ କଟକ ସଦରରେ ୮ଜଣଙ୍କ ବଦଳରେ ୩ଜଣ, ନରସିଂହପୁରରେ ୫ଜଣଙ୍କ ବଦଳରେ ଜଣେ ଡାକ୍ତର ରହିଥିବାବେଳେ ବଡ଼ମ୍ବା, ବାଙ୍କୀ, ବାଙ୍କୀ-ଡମପଡ଼ାରେ କିନ୍ତୁ ଯେତିକି ରହିବା କଥା ତା’ଠାରୁ ମାତ୍ର ୫ଜଣଙ୍କ ସ୍ଥାନରେ ୪ଜଣ ଓ ୪ଜଣଙ୍କ ବଦଳରେ ୩ଜଣ ରହିଛନ୍ତି। କିନ୍ତୁ ନିଆଳିରେ ୩ଜଣଙ୍କ ବଦଳରେ ଜଣେ ଡାକ୍ତର ରହିଛନ୍ତି।

ସେହିପରି ଲାଇଭ୍‌ ଷ୍ଟକ୍‌ ଇନ୍ସପେକ୍ଟର୍‌(ଏଲ୍‌ଆଇ), ଭେଟେରିନାରି ଟେକ୍ନସିଆନ୍‌(ଭିଟି) କଥା ଯଦି ଦେଖାଯାଏ ତା’ହେଲେ ୧୬୧ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୯୨ଜଣ। କଟକ ସଦରରେ ୧୬ ବଦଳରେ କେହି ଜଣେ ବି ଏଲ୍‌.ଆଇ କିମ୍ବା ଭିଟି ନାହାନ୍ତି। ଅର୍ଥାତ୍‌ ଖାଲି ପଡ଼ିଛି ସବୁ କ୍ଷେତ୍ର ଅଧିକାରୀ ପଦ। ନିଆଳି, କଣ୍ଟାପଡ଼ା ଅଞ୍ଚଳ ଦୁଗ୍‌ଧ, ଛେନା ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ନିଆଳିରେ ୧୬ ବଦଳରେ ୯ଜଣ, କଣ୍ଟାପଡ଼ାରେ ୧୧ଜଣଙ୍କ ବଦଳରେ ରହିଛନ୍ତି ମାତ୍ର ୫ଜଣ କର୍ମଚାରୀ। ଆଠଗଡ଼ରେ ୧୯ଜଣଙ୍କ ବଦଳରେ ମାତ୍ର ୪ଜଣଙ୍କୁ ନେଇ ଚାଲିଛି। ଏଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ଓ କର୍ମଚାରୀ ସଙ୍କଟ ଦେଇ ଗତି କରୁଛି ଗୋ ଓ ପଶୁ ସମ୍ପଦ ବିଭାଗ। ଅନ୍ୟପଟେ ଜିଲ୍ଲାର ୧୪ଟି ବ୍ଲକ୍‌ ମଧ୍ୟରୁ କଟକ ସଦରରେ ୧୯, ଟାଙ୍ଗୀ-ଚୌଦ୍ବାରରେ ୧୪, ବାରଙ୍ଗରେ ୯, ମାହାଙ୍ଗାରେ ୧୯, ନିଆଳିରେ ୧୮, କଣ୍ଟାପଡ଼ାରେ ୧୪, ନିଶ୍ଚିନ୍ତକୋଇଲିରେ ୧୯, ସାଲେପୁରରେ ୨୦, ଆଠଗଡ଼ରେ ୨୨, ବଡମ୍ବାରେ ୧୩, ତିଗିରିଆରେ ୧୦, ନରସିଂହପୁରରେ ୧୩, ବାଙ୍କୀରେ ୧୦ ଓ ବାଙ୍କୀ-ଡମପଡ଼ାରେ ୮ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। କେଉଁଠି କେବଳ ଘର ଅଛି ତ’ କେଉଁଠି ତାହା ବି ନାହିଁ। ଏଭଳି ଦୟନୀୟ ସ୍ଥିତିରେ ଚାଲିଛି ବିଭାଗ।

ସମ୍ବନ୍ଧିତ ଖବର