ଶିଳ୍ପସମୃଦ୍ଧ ଚୌଦ୍ବାର ଶ୍ରୀହୀନର କାହାଣୀ: ରହସ୍ୟଜନକ ଭାବେ ବନ୍ଦ ହେଇଗଲା ଲିବ୍ରା କାର୍ପେଟ୍

କଟକ:ଚୌଦ୍ବାରକୁ ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ ଭାବେ ପରିଚିତ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଠାରେ ଗୋଟିକ ପରେ ଗୋଟିଏ ଶିଳ୍ପ ଆରମ୍ଭ କରିଥିଲେ। କଳିଙ୍ଗ ଟ୍ୟୁବ୍ସ ଓ ଓଟିଏମ୍‌ ପରେ ଚୌଦ୍ବାରରେ ୧୯୮୯ ମସିହାରେ ଆଇଡିସି ଟାଇଲ୍‌ ଫ୍ୟାକ୍ଟ୍ରି ବିଜୁ ବାବୁଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା। ଶିଳ୍ପ ପ୍ରତିଷ୍ଠା ପାଇଁ‌ ଚୌଦ୍ବାରକୁ ଉତ୍ତମ ସ୍ଥାନ ଭାବେ ବିଜୁ ପଟ୍ଟନାୟକ ବାଛି ସାରିଥିଲେ। ଏଠାରୁ ଟାଇଲ୍‌ ଉତ୍ପାଦନ ଆରମ୍ଭର କିଛି ବର୍ଷ ପରେ ୧୯୯୩ ମସିହାରେ କଲିକତାର ‘ଏଆଇ ଚାମ୍ପଦାନି ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌’ ଏଠାରେ କାର୍ପେଟ ଉତ୍ପାଦନ ୟୁନିଟ୍‌ ଓ ୧୦୦ ପ୍ରତିଶତ ଇଓୟୁ (ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ୟୁନିଟ୍‌) ଆରମ୍ଭ କରିବା ପାଇଁ ଫ୍ୟାକ୍ଟ୍ରିକୁ ଲିଜ୍‌ରେ ନେଇଥିଲେ। ବର୍ଷକୁ ୧.୫ ମିଲିଅନ୍‌ ବର୍ଗ ମିଟରର କାର୍ପେଟ ଏବଂ ଦିନକୁ ୨୦ ଟନ୍‌ ଝୋଟରୁ ସୂତା ପ୍ରସ୍ତୁତ କରିବା ପାଇଁ ଏହି ଦୁଇଟି ୟୁନିଟ୍‌ ଆରମ୍ଭ କରାଯାଇଥିଲା। ଆନ୍ତର୍ଜାତିକ ବଜାରକୁ ସୂତା ରପ୍ତାନି କରିବା ଉଦ୍ଦେଶ୍ୟ ରହିଥିଲା। ମୋଟ ୨୧.୬୦ ଏକର ଜମିରେ ଆରମ୍ଭ ହୋଇଥିବା ଚାମ୍ପଦାନି ଶିଳ୍ପ ଗୋଷ୍ଠୀର ଏହି ଦୁଇ ୟୁନିଟ୍‌ର ନାମ ଲିବ୍ରା ନାମରେ ପରିଚାଳିତ ହୋଇଥିଲା। ଓଟିଏମ୍‌ ପରି ଲିବ୍ରା କାର୍ପେଟ୍ସରେ ମଧ୍ୟ ଅନେକ ଶ୍ରମିକ କାମ କରି ନିଜ ପରିବ‌ାର ପୋଷୁଥିଲେ। ତେବେ କମ୍ପାନି ଆରମ୍ଭରୁ ଯଦିଓ ଭଲ ଲାଭ କରି ଆସୁଥିଲା, କିନ୍ତୁ ପରେ କ୍ଷତି ସହିଲା। ବିଭିନ୍ନ ସମୟରେ ଶ୍ରମିକ ଅଶାନ୍ତି ଏଠାରେ ଲାଗି ରହୁଥିଲା। ୧୯୯୯ ମସିହାରେ ଶ୍ରମିକ ଅଶାନ୍ତି ଦର୍ଶାଇ ଦୀର୍ଘ ୬ ବର୍ଷ କାରଖାନାକୁ ବନ୍ଦ କରି ଦିଆଗଲା। କିନ୍ତୁ କମ୍ପାନି ମାଲିକ ଏହି ସମୟ ମଧ୍ୟରେ ଜମିକୁ ସରକାରଙ୍କଠୁ ସ୍ଥାୟୀ ଲିଜ୍‌ରେ ନେବା ପାଇଁ ଉଦ୍ୟମ ଆରମ୍ଭ କରି ସାରିଥିଲେ। ଏହି ଉଦ୍ୟମରେ କମ୍ପାନି ମାଲିକ ସଫଳ ହେବା ସହ ୨୦୦୪ ମସିହାରେ ୫୯ ବର୍ଷ ଲିଜ୍‌ ନେବା ପାଇଁ ସରକାରଙ୍କଠୁ ଅନୁମତି ପାଇ ଯାଇଥିଲେ। ଏହା ପରଠୁ ପୁଣି କାରଖାନା ଖୋଲିବା ସହ ଉତ୍ପାଦନ ଆରମ୍ଭ ହୋଇଥିଲା।

୨୦୧୬ ମସିହାରେ ହଠାତ୍‌ ଲିବ୍ରା କାର୍ପେଟ୍ସରେ ତାଲା ଝୁଲିଥିଲା। ଶ୍ରମିକ ଦିବସରେ ଫ୍ୟାକ୍ଟ୍ରି ଛୁଟି ହୋଇଯାଇଥିବାରୁ ପରଦିନ ଅର୍ଥାତ୍‌ ମେ ୨ ତାରିଖରେ ଶ୍ରମିକମାନେ ଫ୍ୟାକ୍ଟ୍ରିକୁ ଆସିବା ବେଳକୁ ସୁରକ୍ଷାକର୍ମୀମାନେ ଗେଟ୍‌ ଖୋଲିନଥିଲେ। ବରଂ କମ୍ପାନି କର୍ତ୍ତୃପକ୍ଷଙ୍କ ଦ୍ବାରା ଏକ ନୋଟିସ୍‌ ଗେଟ୍‌ରେ ଲଗାଯାଇ ଉତ୍ପାଦନ ବନ୍ଦ ରଖାଯାଉଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଜଣାଇ ଦିଆଯାଇଥିଲା। ଆନ୍ତର୍ଜାତିକ ବଜାରରେ ଝୋଟ ସୂତା ଓ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ମାନ୍ଦା ପଡ଼ିଯାଇଥିବା ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ଶ୍ରମିକମାନଙ୍କୁ ସ୍ବଇଚ୍ଛାରେ ଅବସର ନେବା ପାଇଁ ଚାପ ପ୍ରୟୋଗ କରାଯିବା ସହ କେତେକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ଫଳରେ ବହୁ ଶ୍ରମିକ ଇସ୍ତଫା ଦେଇଥିବାବେଳେ ଆଉ କିଛି ଏପର୍ଯ୍ୟନ୍ତ ଆଇନ୍‌ର ଆଶ୍ରୟ ନେଇଛନ୍ତି। କମ୍ପାନି ବନ୍ଦ ହେବା ବେଳକୁ ପାଖାପାଖି ୭୦୦ ଶ୍ରମିକ କାର୍ଯ୍ୟରତ ଥିଲେ। କାରଖାନା ବନ୍ଦ ହୋଇଯିବାରୁ ଶ୍ରମିକଙ୍କ ପରିବାର ଉପରେ ଚଡ଼କ ପଡ଼ିଥିଲା। ହେଲେ କାହିଁକି ଓ କେଉଁ ପରିସ୍ଥିତିରେ କାରଖାନା ବନ୍ଦ କରାଗଲା, ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଯାଇଛି। ରୋଜଗାର ହରାଇ ଅନେକ ଆତ୍ମହତ୍ୟା କରିଥିଲା ବେଳେ ଆଉ କିଛି ଦିନମଜୁରିଆ, ବ୍ୟବସାୟ ଇତ୍ୟାଦି ଆରମ୍ଭ କରିଛନ୍ତି।

ଚୌଦ୍ବାର ଅଞ୍ଚଳରେ ଏକ ଛୋଟ ଶିଳ୍ପ ପ୍ରତିଷ୍ଠାନ ହୋଇଥିଲେ ମଧ୍ୟ ଲିବ୍ରା କାର୍ପେଟ୍‌ସରେ ପାଖାପାଖି ୭୦୦ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। କଂପାନି ଉପରେ ନିର୍ଭର କରି ଅନେକ ପରୋକ୍ଷ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେଉଥିଲା। ଏଠାରୁ ଝୋଟ, ଝୋଟ ସୂତା, କାର୍ପେଟ ଇତ୍ୟାଦି ଆନ୍ତର୍ଜାତିକ ବଜାରକୁ ରପ୍ତାନି ହେଉଥିଲା। ହେଲେ କମ୍ପାନି କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଠାରେ ଶ୍ରମିକ ଅଶାନ୍ତି ବାରମ୍ବାର ଦେଖା ଦେଲା। ଯେଉଁଥିପାଇଁ ଅନେକଥର କାରଖାନାକୁ ବନ୍ଦ କରି ଦିଆଯାଉଥିଲା ଓ ପୁଣି ଖୋଲା ଯାଉଥିଲା। ୨୦୧୬, ମେ ୨ ତାରିଖରେ ମଧ୍ୟ ଠିକ୍‌ ସେମିତି ଗେଟ୍‌ରେ ତାଲା ପକାଇ ଦିଆଯାଇଥିଲା। ‌କିନ୍ତୁ ଏଥର ସବୁଦିନ ପାଇଁ ଗେଟ୍‌ ବନ୍ଦ ହୋଇଯାଇଥିଲା।

ଦେଢ ବର୍ଷ ହେଲାଣି ଦରମା ନାହିଁ, ଯନ୍ତ୍ରାଂଶ ଜଗିଛନ୍ତି ଗଗନ
ଲିବ୍ରା କାର୍ପେଟ ବନ୍ଦ ହେବା ପରଠୁ ଏଠାରେ ଏବେବି ଅନେକ ଉତ୍ପାଦନ ସାମଗ୍ରୀ, ଯନ୍ତ୍ରାଂଶ ଇତ୍ୟାଦି ପଡ଼ି ରହିଛି। ଏଠାରେ ଚୋରି ଭୟ ରହୁଥିବାରୁ ସେସବୁର ସୁରକ୍ଷା ପାଇଁ ପୂର୍ବରୁ କାର୍ଯ୍ୟରତ ଥିବା ଗଗନ କୁମାର ମହାନ୍ତିଙ୍କୁ ସ୍ଥାୟୀ ସୁରକ୍ଷାକର୍ମୀ ଭାବେ ଡ୍ୟୁଟିରେ ରଖାଯାଇଛି। ତାଙ୍କ ସହିତ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ସୁରକ୍ଷାକର୍ମୀଙ୍କୁ ଏଠାରେ ନିୟୋଜିତ କରାଯାଇଛି। ଗଗନଙ୍କ ସୂଚନା ଅନୁଯାୟୀ, ୧୯୯୬ ମସିହାରୁ ଏଠାରେ ସୁରକ୍ଷାକର୍ମୀ ଡ୍ୟୁଟି କରିଆସୁଛି। ସେତେବେଳେ ସେମାନେ ମୋଟ ୩୨ ଜଣ ଏକ୍ସ ସର୍ଭିସମ୍ୟାନ ସୁରକ୍ଷାକର୍ମୀ ଥିଲେ। ଫ୍ୟାକ୍ଟ୍ରି ବନ୍ଦ ହେବାପରେ ଅନ୍ୟମାନେ ଚାକିରି ଛାଡ଼ି ଦେଲେ। ସେମାନଙ୍କ ମଧ୍ୟରୁ କିଏ ମରିହଜି ଗଲେଣି। ହେଲେ କମ୍ପାନି ଭିତରେ ଯନ୍ତ୍ରାଂଶ ଥିବାରୁ ଗଗନଙ୍କୁ ଲିବ୍ରା ଏକ୍ସପୋର୍ଟରେ ସ୍ଥାୟୀ ଭାବେ ରଖାଯାଇଥିଲା। କିନ୍ତୁ ଆଜିକୁ ପାଖାପାଖି ଦେଢ ବର୍ଷ ହେଲାଣି ଦରମା ମିଳିନି। ବାରମ୍ବାର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଗୁହାରି କରିବା ପରେ ମଧ୍ୟ କିଛି ସୁଫଳ ମିଳିଲାନି। ତେଣୁ ଜିଲ୍ଲା ଶ୍ରମିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେଠାରେ କମ୍ପାନିର କିଛି ବରିଷ୍ଠ ଅଧିକାରୀଙ୍କ ସହ ସିକ୍ୟୁରିଟି ଇନ୍‌ଚାର୍ଜ କେ.କେ. ରାଏ ଯାଇଥିଲେ। ଗଗନଙ୍କୁ ସମସ୍ତ ବକେୟା ଟଙ୍କା ଦେବେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହାସତ୍ତ୍ବେ କିଛି ମିଳିଲାନି। ଯେହେତୁ ସେ ଏକ ଜରୁରୀକାଳୀନ ‌ଡ୍ୟୁଟିରେ ଅଛନ୍ତି, ତେଣୁ ଏଠାରେ ସବୁ ସାମଗ୍ରୀ ଥିବା ପର୍ଯ୍ୟନ୍ତ କମ୍ପାନି ଛାଡ଼ିକି ଯାଇ ପାରିବେନି ବୋଲି ଗଗନ କହିଛନ୍ତି। ଚାକିରି ଛାଡ଼ି ଯିବାକୁ ହେଲେ ‌ସେଥିପାଇଁ ଅନେକ କାଗଜପତ୍ର କାମ କରିବାକୁ ପଡ଼ିବ। ଯଦି କମ୍ପାନି କର୍ତ୍ତୃପକ୍ଷ କିଛି ବି ସହାୟତା ନ କରନ୍ତି, ତାହେଲେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ଯିବି ବୋଲି କୋହଭରା କଣ୍ଠରେ ‌ଗଗନ କହିଛନ୍ତି।

ପୂଜକଙ୍କୁ ମିଳିନି ୨ ବର୍ଷର ଦରମା
ଲିବ୍ରା କାର୍ପେଟ ପରିସରରେ ଶ୍ରମିକ ଅଶାନ୍ତ ଦେଖା ଦେବା ପରେ କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କ ମଧ୍ୟରେ ସମାଧାନ ପାଇଁ ଆଲୋଚନା ହୋଇଥିଲା। ତେଣୁ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ତଥା ରିଷ୍ଟ ଖଣ୍ଡନ ପାଇଁ କମ୍ପାନି ପକ୍ଷରୁ ଏକ ଜଗନ୍ନାଥ ମନ୍ଦିର ମୁଖ୍ୟ ଫାଟକ ପାଖରେ ନିର୍ମାଣ କରାଯାଇଥିଲା। ସେଠାରେ ଆରମ୍ଭରୁ ସ୍ବର୍ଗତ ରାଧାନାଥ ଦେବତା ପୂଜା କରି ଆସୁଥିଲେ। ତେବେ ରାଧାନାଥଙ୍କ ମୃତ୍ୟୁ ହେବା ପରଠୁ ତାଙ୍କ ପୁଅ ଦେବବ୍ରତ ଦେବତା ୨୦୧୬ ମସିହାରୁ ଏଠାରେ ପୂଜା କରି ଆସୁଛନ୍ତି। ପୂଜା ବାବଦକୁ ତାଙ୍କୁ ୪୫୦୦ ଟଙ୍କା ଦରମା ଦିଆଯାଉଥିଲା। ହେଲେ ଦୁଇ ବର୍ଷ ହେଲାଣି ତାଙ୍କୁ କୌଣସି ପ୍ରାପ୍ୟ ମିଳିନାହିଁ। ଭୋଗ, ଦୀପ, ଘିଅ ଇତ୍ୟାଦି ହାତରୁ ଖର୍ଚ୍ଚ କରି ପୂଜାକାର୍ଯ୍ୟ ତୁଲାଇବାକୁ ପଡୁଥିବା ଦେବବ୍ରତ କହିଛନ୍ତି। ପ୍ରାପ୍ୟ ନମି‌ଳିଲେ ବି ମହାପ୍ରଭୂଙ୍କ ପୂଜା ରୀତିନୀତିରେ କୌଣସି ବାଧା ସୃଷ୍ଟି ହୋଇ ନଥିବା ସେ କହିଛନ୍ତି। ହେଲେ ଦରମା ପାଇଁ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଯେତେ ଅନୁରୋଧ କଲେ ବି କୌଣସି ଫଳ ମିଳୁ ନଥିବା ଦେବବ୍ରତ କହିଛନ୍ତି।

ସରକାର କାରଖାନାର ଲିଜ୍‌ ବାତିଲ କରନ୍ତୁ
ଆଗରୁ ଅନେକ ବାଧାବିଘ୍ନ ଆସିଛି। କମ୍ପାନି ବନ୍ଦ ରୁହେ ପୁଣି ଖୋଲାଯାଏ। କିନ୍ତୁ ମୋର ସ୍ବାସ୍ଥ୍ୟଗତ ସମସ୍ୟା ଥିବାବେଳେ ୨୦୧୬ ମେ ୨ ତାରିଖରେ କାରଖାନା ବନ୍ଦ ରହିଥିଲା। ହେଲେ କେଉଁ କାରଣରୁ କମ୍ପାନି ବନ୍ଦ ହେଲା ଆମେ ଜାଣିନୁ। ଶ୍ରମ ଦପ୍ତର କିମ୍ବା ରାଜ୍ୟ ସରକାର ଏହାର ତଦନ୍ତ କଲେନି। ଶ୍ରମିକଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଗଲା। ଲୋକେ ଖାଇବାକୁ ନପାଇ ଆଇନ୍‌ର ଆଶ୍ରୟ ନେଲେ। ଯେତେବେଳେ କମ୍ପାନି ୬ବର୍ଷ ବନ୍ଦ ରହିଥିଲା, ସେତେବେଳେ କର୍ତ୍ତୃପକ୍ଷ ଚଞ୍ଜକତା କରି ସରକାରଙ୍କଠୁ ଲିଜ୍‌ ହାତେଇ ଥିଲେ। ହେଲେ ଯଦି କାରଖାନା ଚଲାଇ ପାରିଲେନି ତାହେଲେ ସରକାର ତାଙ୍କର ଲିଜ୍‌ ବାତିଲ କରୁ ନାହାନ୍ତି କାହିଁକି? ତେଣୁ ସରକାର କମ୍ପାନିକୁ ନିଜ ଅକ୍ତିଆରକୁ ନିଅନ୍ତୁ କିମ୍ବା ଅନ୍ୟ କାହାକୁ ବିକ୍ରି କରି ଦିଅନ୍ତୁ। ରୋଜଗାର ହରାଇ ଅନେକ ଶ୍ରମିକ ଠେ‌ଲାଗାଡ଼ିରେ ବଜାରରେ ସାମଗ୍ରୀ ବିକ୍ରି କରୁଛନ୍ତି, କିିଏ ଦିନ ମଜୁରିଆ ପାଲଟି ଯାଇଛି। ଆହୁରି କେତେକ ରାଜ୍ୟ ବାହାରକୁ ଖଟିବା ପାଇଁ ଚାଲିଯାଇଛନ୍ତି। ଯେଉଁମାନେ ଆଇନ୍‌ର ଆଶ୍ରୟ ନେଇଥିଲେ ସେମାନଙ୍କ ପାଖେ ଆଉ ଲଢିବାକୁ ଟଙ୍କା ନାହିଁ।
ବଳରାମ ସାହାଣୀ, ସାଧାରଣ ସମ୍ପାଦକ, ଲିବ୍ରା କାର୍ପେଟ୍ସ ମଜଦୁର ସଂଘ

ସମ୍ବନ୍ଧିତ ଖବର