ପ୍ରେମ ପାଇଁ ଜୀବନ ଗଲା! ଯୋବ୍ରା ଆନିକଟରୁ ମିଳିଲା ଛାତ୍ରଙ୍କ ମୃତଦେହ

କଟକ-ମହାନଦୀବିହାର : ଦୁଇ ଦିନ ହେଲା ନିଖୋଜ ଥିବା କଟକ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ଗୁରୁବାର ଅପରାହ୍ନରେ ମହାନଦୀର ଯୋବ୍ରା ଆନିକଟରୁ ଉଦ୍ଧାର କରାଯାଇଛି। ବକ୍ସିବଜାର ବାରପଥର ଅଞ୍ଚଳର ତୁଷାର ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ। ଏ ନେଇ ତାଙ୍କ ବାପା ହୃଷୀକେଶ ସାହୁ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ତୁଷାରଙ୍କ ନିଖୋଜ ପଛରେ ସେହି କଲେଜର ଜଣେ ଛାତ୍ରୀଙ୍କ ସମେତ ପାଞ୍ଚ ଜଣ ସମ୍ପୃକ୍ତ ଥିବା ଆଜି ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜରି ରଖିଛି।

ତୁଷାର କିଛିବର୍ଷ ହେବ ସେହି କଲେଜର ଜଣେ ସହପାଠିନୀଙ୍କୁ ଭଲ ପାଉଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସଂପୃକ୍ତ ଛାତ୍ରୀ ତାଙ୍କୁ ମଙ୍ଗଳବାର ଦିନ ଇନଡୋର୍ ଷ୍ଟାଡିୟମ ନିକଟକୁ ଡାକିଥିଲେ। ଛାତ୍ରୀଙ୍କ ସହ ୩ ଜଣ ଯୁବକ ଥିଲେ। ତୁଷାର ଓ ସେମାନଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିବାବେଳେ ସେମାନେ ତୁଷାରଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ସଂପୃକ୍ତ ଛାତ୍ରୀଙ୍କ ସାଙ୍ଗରେ ଆସିଥିବା ଯୁବକ ତୁଷାରଙ୍କୁ ମାଡ଼ ମାରିଥିଲେ। ତୁଷାରଙ୍କର ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଏସବୁ ଘଟିଥିଲା। ପରେ ତୁଷାର ଘରକୁ ଫେରି ଆସି ରାତି ପ୍ରାୟ ୮ଟା ବେଳେ ତାଙ୍କ ବଡ଼ ଭଉଣୀଙ୍କ ସ୍କୁଟି ନେଇ ପୁଣି ଘରୁ ଚାଲି ଯାଇଥିଲେ। ଗତକାଲି ମହାନଦୀର ମଧୁସୂଦନ ସେତୁ ଉପରେ ତୁଷାରଙ୍କ ସ୍କୁଟି ମିଳିଥିଲା। ପୁଲିସ ଓ ଓଡ୍ରାଫ୍ ଟିମ୍ ସେଠାରେ ଖୋଜାଖୋଜି କରିଥିଲେ ବି ତୁଷାରଙ୍କ ପତ୍ତା ମିଳି ନଥିଲା। ଅନ୍ୟପଟେ ଗୁରୁବାର ଦିନନ ଯୋବ୍ରା ବ୍ୟାରେଜର ୯ ନମ୍ବର ଫାଟକ ନିକଟରୁ ତୁଷାରଙ୍କ ମୃତଦେହକୁ ଓଡ୍ରାଫ୍ ଓ ପୁଲିସ ଟିମ୍ ଉଦ୍ଧାର କରିଥିଲା।

ତାଙ୍କ ପୁଅର ମୃତ୍ୟୁ ପାଇଁ ସଂପୃକ୍ତ ଛାତ୍ରୀ ଓ ଅନ୍ୟ ଜଣେ ଦାୟୀ ବୋଲି ତୁଷାରଙ୍କ ବାପା ହୃଷୀକେଶ ସାହୁ ଓ ବଡ଼ ଭଉଣୀ ପୁନମ ସାହୁ ଅଭିଯୋଗ କରିଛନ୍ତି। ହୃଷୀକେଶଙ୍କ କହିବା ଅନୁଯାୟୀ ତାଙ୍କୁ ପୁଅକୁ ଅପହରଣ କରି ହତ୍ୟା କରଯାଇଛି। ତୁଷାର ଭଲ ପାଉଥିବା ଝିଅର ପୁରୁଷ ବନ୍ଧୁ ମାନେ ତୁଷାରଙ୍କୁ ସବୁବେଳେ ଧମକ ଦେଉଥିବା ବେଳେ କିଛି ଦିନ ପୂର୍ବରୁ ତାଙ୍କୁ ମାଡ଼ ବି ମାରିଥିଲେ। ପୁଲିସ ଏହାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେଉ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର