ସେଦିନର ବାଙ୍କା ମିଟୁ ଏବେ ନିମିକି ବ୍ୟବସାୟୀ, ପତ୍ନୀ, ପୁଅ ବଦଳାଇ ଦେଲେ ପେସା

କଟକ: ଯେଉଁ ହାତରେ ଦିନେ ବୋମା, ବନ୍ଧୁକ ଧରୁଥିଲେ ଆଜି ସେହି ହାତରେ ନିମିକି ଛାଣୁଛନ୍ତି ବାଙ୍କା ମିଟୁ। ଗୋଟିଏ ସମୟରେ ଅପରାଧ ଦୁନିଆରେ ସକ୍ରିୟ ବାଙ୍କା ମିଟୁ ଏବେ ପତ୍ନୀ ଓ ପୁଅ ପାଇଁ ଅପରାଧ ଦୁନିଆ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। କଟକ ସହରର ବିଭିନ୍ନ ଅଞ୍ଚଳରେ ଥିବା ଦୋକାନରେ ସେ ଏବେ ନିମିକି ବିକ୍ରି କରି ପରିବାର ଚଳାଉଛନ୍ତି। ତାଙ୍କର ଏଭଳି ପରିବର୍ତ୍ତନ ଅପରାଧ ଦୁନିଆରେ ସକ୍ରିୟ ଅନ୍ୟ ଅପରାଧୀଙ୍କ ପାଇଁ ଉଦାହରଣ ହୋଇପାରିଛି। ବେକ ବଙ୍କା ଥିବାରୁ ମଧୁପାଟଣା ତିନିଘରିଆ ଅଞ୍ଚଳର ସର୍ବେଶ୍ବର ମହାନ୍ତି ବାଙ୍କା ମିଟୁ ନାଁରେ ପରିଚୟ ପାଇଥିଲେ। ୨୦୧୨ ପରେ ପରେ ପୁଲିସ ରେକର୍ଡରେ ନାଁ ଚଢି ଯାଇଥିଲା ବାଙ୍କା ମିଟୁଙ୍କର। ତିନିଘରିଆରୁ ଆସି ବାଦାମବାଡ଼ି ବିଶିନାବରରେ ରହୁଥିବା ବାଙ୍କା ମିଟୁ ମଧୁପାଟଣା ଓ ନୂଆ ବଜାର ଅଞ୍ଚଳର ପେସାଦାର ଅପରାଧୀଙ୍କ ସଂସ୍ପର୍ଶରେ ଆସି ଅପରାଧ ଦୁନିଆରେ ପାଦ ଦେଲେ। ୨୦୧୨ରେ ବାଙ୍କୀ ତାଳବସ୍ତ ଅଞ୍ଚଳରେ ସେ ଅନ୍ୟ ୪ ଅପରାଧୀଙ୍କ ସହିତ ମିଶି ଜଣେ ଠିକାଦାରଙ୍କୁ ଗୁଳି ମାଡ଼ କରିଥିଲେ। ତାଙ୍କ ବିରୋଧରେ ବାଦାମବାଡ଼ି, ମଧୁପାଟଣା, ମଙ୍ଗଳାବାଗ, ବାଙ୍କୀ ଇତ୍ୟାଦି ଥାନାରେ ସିଏମସିର ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ, ବୋମା ମାଡ଼, ଗୁଳି ମାଡ଼ ଭଳି ସଂଗିନ ମାମଲା ଯୋଡ଼ି ହୋଇ ଚାଲିଲା।

କଳାହାଣ୍ଡି ଓ କଟକରେ ଅପରାଧୀକ ସାମ୍ରାଜ୍ୟ ଲମ୍ବାଇଥିବା ମଧୁପାଟଣା ତିନିଘରିଆର ଦୁର୍ଦ୍ଦାନ୍ତ ଅପରାଧୀ ସୁଭାଶିଷ ଖୁଣ୍ଟିଆ ଓରଫ ଗୁଗୁ ସହିତ ମିଶି ବାଙ୍କା ମିଟୁ ୪ଟି ଅପରାଧୀକ ମାମଲାରେ ଯୋଡ଼ି ହୋଇଥିଲେ। ସମୟକ୍ରମେ ବାଙ୍କା ମିଟୁଙ୍କ ଏ ପ୍ରକାର ଅପରାଧୀକ କାର୍ଯ୍ୟକଳାପକୁ ନେଇ ବ୍ୟସ୍ତ ହୋଇପଡ଼ିଥିବା ତାଙ୍କ ପତ୍ନୀ ସାବିତ୍ରୀ ମହାନ୍ତି ତାଙ୍କୁ ବଦଳାଇବାକୁ ଉଦ୍ୟମ କରିଥିଲେ। ପତ୍ନୀଙ୍କ ଉଦ୍ୟମ ଯୋଗୁଁ ଅପରାଧ ଦୁନିଆରୁ ଧୀରେ ଧୀରେ ଦୂରେଇ ଗଲେ। ୨୦୨୦ରେ ପ୍ରଥମେ ସମ୍ରାଟ ସିନେମା ହଲ ନିକଟରେ ଏକ ଫାଷ୍ଟଫୁଡ ଦୋକାନ ଖୋଲି ବ୍ୟବସାୟ କଲେ। ଲକଡାଉନରେ ଦୋକାନ ବନ୍ଦ ହୋଇଯିବାରୁ ବିଶିନାବର ସାଇବାବା ମନ୍ଦିରରେ ଜଳଖିଆ ବିକ୍ରି କଲେ। ୨୦୨୧ରେ ତାଙ୍କ ବଡ଼ ପୁଅ ସୁଜିତ ଖାନନଗର ନିକଟ ରେଳ ଧାରଣାରେ ଅନ୍ୟ ସାଙ୍ଗଙ୍କ ସହିତ ଚାଲିଚାଲି ଯାଉଥିବା ବେଳେ ସାମନା ପଟୁ ଟ୍ରେନ୍ ଧକ୍କା ଦେବାରୁ କାଠଯୋଡ଼ିରେ ଛିଟିକି ପଡ଼ିଥିଲେ। ୧୬ ବର୍ଷୀୟ ବଡ଼ ପୁଅର ମୃତ୍ୟୁ ପରେ ବାଙ୍କା ମିଟୁ ସମ୍ପୂର୍ଣ୍ଣ ବଦଳିଯାଇଥିଲେ। ସେବେଠାରୁ ଆଉ ଅପରାଧ ଦୁନିଆକୁ ଫେରି ଚାହିଁ ନାହାନ୍ତି। ପତ୍ନୀ ସାବିତ୍ରୀଙ୍କ ସହିତ ମିଶି ଉଭୟ ଏବେ ବିଶିନାବର ଘରେ ନିମିକି ଛାଣି ସହର ସାରା ବିକ୍ରି କରି ଦୁଇ ପୁଅ ଝିଅଙ୍କୁ ପୋଷୁଛନ୍ତି। ବାଦାମବାଡ଼ିର ପୂର୍ବତନ ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ କହିବା ଅନୁଯାୟୀ, ବାଙ୍କା ମିଟୁ ଦୁଇ ବର୍ଷ ହେବ ଅପରାଧ ଛାଡ଼ି ଏବେ ନିମିକି ବ୍ୟବସାୟ କରୁଛି। ପୁଲିସ ରେକର୍ଡରେ ଏବେ ତାର ସେଭଳି କୌଣସି ପ୍ରକାର ଅପରାଧୀକ କାର୍ଯ୍ୟକଳାପ ନଥିବା ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର