କଟକ: ଜଗତପୁର ୪୯ନଂ ୱାର୍ଡର ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ନାନକାର-ତରୋଳ ଗ୍ରାମର ଶ୍ମଶାନ ମଧ୍ୟରେ ଆଲୋକୀକରଣ ବ୍ୟବସ୍ଥା ନାହିଁ। ଏଥିପାଇଁ ରାତ୍ରୀ ସମୟରେ ଶବଦାହ କରିବାକୁ ଆସୁଥିବା ଶବଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ୨୦୧୯ ମସିହା ଫନି ବାତ୍ୟା ପୂର୍ବରୁ ଏହି ଶ୍ମଶାନ ପରିସରରେ ଗୋଟିଏ ମାତ୍ର ବିଦ୍ୟୁତ ଖୁଣ୍ଟିରେ ଷ୍ଟ୍ରିଟ ଲାଇଟ ଜଳୁଥିବା ବେଳେ ବାତ୍ୟା ପ୍ରଭାବରେ ତାହା ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ଏପର୍ଯ୍ୟନ୍ତ ଶ୍ମଶାନ ପରିସର ଅନ୍ଧାର ରହିଛି । ରାତି ସମୟରେ ଶବଦାହ ବେଳେ ବ୍ୟାଟେରୀ କିମ୍ବା ବାଇକ ହେଡ ଲାଇଟର ସାହାଯ୍ୟ ନେବାକୁ ପଡିଥାଏ l ସିଏମସି ଅଧୀନରେ ଅନେକ ଗୁଡ଼ିଏ ଶ୍ମଶାନ ରହିଛି, ସେସବୁକୁ ଉନ୍ନତିକରଣ କରାଯାଉଥିବା ବେଳେ ଉକ୍ତ ଶ୍ମଶାନକୁ ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଛି। ଅପରପକ୍ଷରେ ୪୮ନଂ ୱାର୍ଡରେ ନିମପୁର ଶ୍ମଶାନ ଏବେ ସ୍ମାର୍ଟ ଶ୍ମଶାନ ହେବାକୁ ଯାଉଥିବା ବେଳେ ଏହି ଶ୍ମଶାନର ଉନ୍ନତି ପାଇଁ କାହିଁକି ସିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଉନି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉଲ୍ଲେଖ ଯୋଗ୍ୟ ଯେ, ଦୀର୍ଘ ବର୍ଷରୁ ସିଏମସି କାଉନସିଲ ନଥିବାରୁ ଦାବି ଉପସ୍ଥାପନ ପାଇଁ ଏହି ୱାର୍ଡରେ କୌଣସି ନିର୍ବାଚିତ ପ୍ରତିନିଧି ଅର୍ଥାତ କର୍ପୋରେଟର ନ ଥିଲେ। ଫଳରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇ ପାରୁ ନଥିଲା। କିନ୍ତୁ ପ୍ରାୟ ପାଖାପାଖି ୬ମାସ ହେବ ଏହି ୱାର୍ଡରେ କର୍ପୋରେଟର ଭାବେ ଦମୟନ୍ତୀ ମାଝୀ ନିର୍ବାଚିତ ହେବାପରେ ତାଙ୍କୁ ଡେପୁଟି ମେୟର ପଦବି ମଧ୍ୟ ମିଳିଛି। ଏହା ସତ୍ତ୍ୱେ ଏହି ୱାର୍ଡରେ ଥିବା ଗ୍ରାମ୍ୟ ଶ୍ମଶାନରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନ ହେବା ସିଏମସିର ଦାୟିତ୍ୱହୀନତାକୁ ପ୍ରମାଣିତ କରୁଛି। ଏହି ଗ୍ରାମ୍ୟ ଶ୍ମଶାନ ପରିସର ଓ ସଂଯୋଗ ରାସ୍ତା ପ୍ରତି ଯଥାଶୀଘ୍ର ଦୃଷ୍ଟି ଦେଇ ଆଲୋକୀକରଣ ପାଇଁ ବ୍ୟବସ୍ଥା ଗ୍ରହଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ତରୋଳ ଗ୍ରାମର ଅଲେଖ ବେହେରା, ଶତ୍ରୁଘ୍ନ ବିଶ୍ଵାଳ, ବିମଳ ବିଶ୍ଵାଳ, ସୁଦାମ ବିଶ୍ଵାଳ, ବେଣୁଧର ପରିଡା ଏବଂ ନାନକାର ଗ୍ରାମର ଜଗମୋହନ ଜେନା, ପ୍ରସାର ଜ୍ୟୋତି କୁମାର, ହେମନ୍ତ ସେନାପତି, ସୁରେଶ ଜେନା, ସ୍ମୃତି ରଞ୍ଜନ ପରିଡା ଓ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/IMG-20220903-WA0116_6.jpg)