୪୦୦ ଟଙ୍କା ପାଇଁ ଲାଇନ୍‌ ମ୍ୟାନଙ୍କୁ ୨ବର୍ଷ ଜେଲ୍‌

କଟକ : ସର୍ଭିସ୍‌ କନେକ୍ସନ୍‌ ପାଇଁ ମାତ୍ର ୪୦୦ ଟଙ୍କା ଲାଞ୍ଚ ମାଗୁଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିବା ଲାଇନ୍‌ ମ୍ୟାନ୍‌ ପଞ୍ଚାନନ ପୂଜାପଣ୍ଡାଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡଦେଶ ହୋଇଛି। ଏଥିସହିତ ୫ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ଜରିମାନା ଦେଇନପାରିଲେ ଆଉ ମାସେ ଜେଲ୍‌ରେ ରହିବାକୁ ହେବ ବୋଲି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଦଣ୍ଡାଦେଶରେ କହିଛନ୍ତି। ୨୦୦୯ ମସିହାରେ ସୁନ୍ଦରପଦାର ଭିକାରୀ ସ୍ୱାଇଁଙ୍କଠୁ ସର୍ଭିସ୍‌ କନେକ୍ସନ୍‌ ଦେବା ପାଇଁ ଅଭିଯୁକ୍ତ ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ କନେକ୍ସନ୍‌ ନଦେବା ପାଇଁ ସେ ରୋକ୍‌ଠୋକ୍‌ ଶୁଣାଇଥିଲେ। ଏହା ବିରୋଧରେ ଭିକାରୀ ଭିଜିଲାନ୍ସ ନିଟକରେ ଅଭିଯୋଗ କରିଥିଲେ। ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତ ପଞ୍ଚାନନଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ। ଏସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହେବା ସହ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩(୨), ୧୩(୧), (ଡି)/୭ ଅନୁଯାୟୀ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ଏହି ମାମଲାକୁ ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ପାଣିଗ୍ରାହୀ ତଦନ୍ତ କରିଥିଲାବେଳେ ସ୍ୱତନ୍ତ୍ର ପିପି ଏଚ୍‌.କେ. ସ୍ୱାଇଁ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର