ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଶାଶୂ ଘରେ ଲଟକା ଝୁଲାଇବାକୁ ପୁଲିସର ଚେତାବନୀ

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ମୃତ୍ୟୁ ଘଟଣାରେ ପୁଲିସ ଶାଶୂଙ୍କ ଘରେ ଲଟକା ଝୁଲାଇବାକୁ ଚେତାବନୀ ଦେଇଛି। ନୋଟିସ୍‌ ସତ୍ତ୍ୱେ ନିକିତାଙ୍କ ଶାଶୂ ଓ ଶ୍ୱଶୁର ଥାନାରେ ହାଜର ହୋଇ ନଥିବାରୁ ପୁଲିସ ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଯୋଜନା କରୁଛି। ଅନ୍ୟପଟରେ ନିକିତାଙ୍କ ଶାଶୂ ଓ ଶ୍ୱଶୁର ଆଗୁଆ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି।

ଲଟକା କ’ଣ?

ଅପରାଧିକ ମାମଲାରେ ଥାନା ଦ୍ୱାରା ଅଭିଯୁକ୍ତଙ୍କ ପରିବାରକୁ ନୋଟିସ୍‌ ହୋଇଥାଏ। ଏହି ନୋଟିସ୍‌କୁ ସମ୍ମାନ ଜଣାଇ ପରିବାର ଲୋକେ ଯଦି ଥାନାରେ ହାଜର ନହୁଅନ୍ତି, ପୁଲିସ ପକ୍ଷରୁ ଏକ ଲଟକା (ଏକ ପ୍ରକାର ନୋଟିସ) ଦାଣ୍ଡ ଘର କବାଟରେ ଝୁଲାଇ ଦିଆଯାଇଥାଏ। ଅଭିଯୁକ୍ତ ପରିବାରକୁ କେଉଁ ତାରିଖରେ ଥାନାରେ ହାଜର ହେବାକୁ ପଡ଼ିବ ଏଥିରେ ଉଲ୍ଲେଖ ଥାଏ। ଲଟକାକୁ ଅସମ୍ମାନ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏନ୍‌ବିଡବଲ୍ୟୁ ଜାରି କରିଥାଏ।

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ପିତା ସନାତନ ବେହେରା ଥାନାରେ ଅଭିଯୋଗ କରିବା ପରେ ସ୍ୱାମୀ ଲିପନ ସାହୁକୁ ଚାଉଳିଆଗଂଜ ପୁଲିସ ଗତ ସୋମବାର ଗିରଫ କରିଥିଲା। ଲିପନ ସାହୁଙ୍କୁ ଜାମିନ କୋର୍ଟରେ ଖାରଜ ହେବା ପରେ ଲିପନ ଜେଲ ଯାଇଛି। ଲିପନର ପିତା ଓ ମାତାକୁ ଥାନାରେ ହାଜର ହେବା ପାଇଁ ପୁଲିସ ନୋଟିସ କରିଥିଲା।

 

ସମ୍ବନ୍ଧିତ ଖବର