ଜୀବନ ସହ ସଂଘର୍ଷ କରୁଛି ୧୩ ବର୍ଷର ଝିଅ ପ୍ରତୀକ୍ଷା, ଚିକିତ୍ସାରେ ଅର୍ଥ ବାଧକ; ସହାୟତା ପାଇଁ ମା’ଙ୍କ ନିବେଦନ

କଟକ: ଜୀବନ ସହ ସଂଘର୍ଷ କରୁଛି ପ୍ରତୀକ୍ଷା। ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ୧୩ ବର୍ଷ ବୟସରେ ଯେଉଁଠି ଖେଳକୁଦ କରିବା କଥା ସେଠି ଏବେ ସେ ନିସ୍ତବ୍ଧ ହୋଇ ବିଛଣାରେ ପଡି ରହିଛି। ଝିଅର ଜୀବନ ବଞ୍ଚାଇବାକୁ ପରିବାର ଠାରୁ ଦୂରରେ ରହି ଅଜଣା ସହରରେ ମା’ ସଂଘର୍ଷ କରୁଛି। ପୁରୀ ସ୍ଥିତ ବାଲିଘାଟର ବାସିନ୍ଦା ପ୍ରଭାତ କୁମାର ସାହୁ ଓ ସୁଜାତା ସାହୁଙ୍କ ଝିଅ ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁର ବୟସ ମାତ୍ର ୧୩ ବର୍ଷ। ପୁରୀ ବଡ଼ଶଙ୍ଖ ଠାରେ ଥିବା ଭୋଳାନାଥ ବିଦ୍ୟା ପୀଠର ଷଷ୍ଠ ଶ୍ରେଣୀର ଛାତ୍ରୀ। ଆଜିକୁ ତିନି ବର୍ଷ ହେବ ପ୍ରତୀକ୍ଷା ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସିତ ହୋଇ ଆସୁଥିଲେ। ହେଲେ ଗଲା ଜୁଲାଇ ମାସ ୨୯ ତାରିଖରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି କରିବାକୁ ଲାଗିଥିଲେ। ତାଙ୍କ ମା’ ପ୍ରତୀକ୍ଷାଙ୍କୁ ତୁରନ୍ତ ପୁରୀ ବଡ଼ମେଡିକାଲ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ପ୍ରତୀକ୍ଷାଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରିଥିଲେ। ଶିଶୁ ଭବନ ଆସିବା ପରେ ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଅକ୍ସିଜେନ ଓ ଭେଣ୍ଟିଲିଟିର ଲଗାଯାଇଥିଲା। ଚିକିତ୍ସାର ତିନିଦିନ ପରେ ପ୍ରତୀକ୍ଷାଙ୍କ କିଡନି ଖରାପ ଓ ତାଙ୍କୁ ନିମୋନିଆ ହୋଇଥିବା ଡାକ୍ତର ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ପ୍ରତୀକ୍ଷାଙ୍କ କିଡନି ଡାଏଲେସିସ ମଧ୍ୟ କରାଯାଇଥିଲା।

ପ୍ରତୀକ୍ଷା ତିନି ମାସ ଶିଶୁଭବନରେ ଚିକିତ୍ସା ହେବା ପରେ ତାଙ୍କୁ ସେପ୍ଟେମ୍ବର ୨୫ ତାରିଖରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେଠାରେ ତାଙ୍କ ଚିକିତ୍ସା ୨୨ ଦିନ ଧରି ଚାଲିଥିଲା। ହେଲେ ଡାକ୍ତର ପ୍ରତୀକ୍ଷାଙ୍କୁ ଘରକୁ ନେଇଯିବା ପାଇଁ ମା’ ସୁଜାତାଙ୍କୁ କହିଥିଲେ। ସମସ୍ତ ପ୍ରକାରର ଚିକିତ୍ସା ସରିଯାଇଥିବା କହିଥିଲେ। ହେଲେ ଝିଅ ଅବସ୍ଥା ପୂର୍ବପରି ରହିଥିବା ବେଳେ ଝିଅର ଶରୀର ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇ ଯାଇଥିବାରୁ ଝିଅକୁ ନେଇ ନିଜ ଅଞ୍ଚଳ ପୁରୀକୁ ନ ଫେରି କଟକରେ ଏକ ଘର ଭଡା ନେଇ ପ୍ରତୀକ୍ଷାଙ୍କ ଯତ୍ନ ନେଉଛନ୍ତି ତାଙ୍କ ମା’। ପ୍ରତୀକ୍ଷାଙ୍କ ଔଷଧ, ଡ୍ରେସିଂ ପାଇଁ ପ୍ରତ୍ୟେକ ଦିନ ୯୫୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତାଙ୍କ ଶରୀର ପାଇଁ ଫିଜିଓଥେରାପି ଚିକିତ୍ସା ଆବଶ୍ୟକ ପଡୁଛି। କିନ୍ତୁ ଅର୍ଥ ସମସ୍ୟା ଯୋଗୁଁ ଏଥିରୁ ବଞ୍ଚିତ ହେଉଛନ୍ତି। ପ୍ରତୀକ୍ଷାଙ୍କ ବାପା ଜଣେ ପରିବା ବେପାରୀ ହୋଇଥିବାବେଳେ ଝିଅର ଖର୍ଚ୍ଚ ବହନ କରିବା ତାଙ୍କ ପାଇଁ ବହୁ କଷ୍ଟକର ହୋଇପଡିଛି। ଏପରିକି ଝିଅର ସମସ୍ତ ଖର୍ଚ୍ଚ ପାଇଁ ସୁଜାତା ତାଙ୍କ ସମସ୍ତ ଗହଣା ବନ୍ଧା ପକାଇ ସାରିଥିବାବେଳେ ଏବେ ସମ୍ପୂର୍ଣ୍ଣ ରୂପେ ତାଙ୍କ ହାତ ଖାଲି ହୋଇ ଯାଇଛି। କଟକରେ ଘର ଭଡା ଓ ଝିଅର ଚିକିତ୍ସା ପାଇଁ ଖର୍ଚ୍ଚ ଆବଶ୍ୟକ ହେଉଥିବାବେଳେ ଏଥିପାଇଁ ସହାୟତା ଲୋଡିଛନ୍ତି ପ୍ରତୀକ୍ଷାଙ୍କ ମା’ ସୁଜାତା ସାହୁ। କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ଝିଅର ଭଲ ଭାବେ ଚିକିତ୍ସା କରାଇ ପାରନ୍ତି ବୋଲି ମା’ ସୁଜାତା (ମୋବାଇଲ୍ ନମ୍ବର ୭୭୩୫୫୫୬୭୯୨) ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର