ଦୁଇ ବର୍ଷ ହେଲା ନୂଆଘରେ ତାଲା, ଭଡ଼ାଘରେ ଚାଲିଛି ଆର୍‌ଆଇ ଅଫିସ୍‌

ଫୁଲନଖରା: ରାଜସ୍ବ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଗୃହ ୨ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ସାରିଥିଲେ ବି ଏକ ଭଡ଼ା ଘରେ ଚାଲିଛି କାର୍ଯ୍ୟାଳୟ। ବାରଙ୍ଗ ବ୍ଲକ ୩୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଅନ୍ତର୍ଗତ କୁରାଙ୍ଗପଧାନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘ ଦିନ ଧରି ଏକ ଭଡ଼ା ଘରେ ଚାଲିଛି। ସେଠାରେ ଜାଗା ସଂକୀର୍ଣ୍ଣ ଯୋଗୁଁ ଜରୁରୀ କାର୍ଯ୍ୟ ସମ୍ପାଦନରେ ବାଧା ଉପୁଜିବା ସହିତ ଲୋକଙ୍କ ଅଭିଯୋଗ ଦାଖଲ ଓ କର ପୈଠ ପାଇଁ ମଧ୍ୟ ସୁବିଧା ନାହିଁ। ଏ ନେଇ ବାରମ୍ବାର ଅଭିଯୋଗ ଓ ଦାବି ପରେ ୫ଲକ୍ଷ ଟଙ୍କା ବ୍ୟୟରେ ନୂତନ ଗୃହ ନିର୍ମାଣ ହେଲା। ମାତ୍ର ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଭଡ଼ା ଘରେ କାର୍ଯ୍ୟାଳୟ ଚଳାଇ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ଅଯଥାରେ ବ୍ୟୟ କରୁଥିବା ଅଭିଯୋଗ ହେଉଛି।

ନୂତନ ଗୃହକୁ ରାସ୍ତା ହୋଇନଥିବାରୁ ତାହା କାର୍ଯ୍ୟକାରୀ ହୋଇପାରୁନଥିବା ଜଣେ ଅଧିକାରୀ କହିଛନ୍ତି। ଉକ୍ତ ଅଞ୍ଚଳରେ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ମାଟି ସରକାରୀ ଜାଗାରୁ ଚୋରାରେ ବିକ୍ରି ହେଉଥିଲାବେଳେ ରାଜସ୍ବ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ମାତ୍ର ୮/୧୦ ଟ୍ରିପ ମାଟି ନମିଳିବା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରଙ୍ଗ ତହସିଲ କାର୍ଯ୍ୟାଳୟ ଏଠାରୁ ୨୦ କିଲୋମିଟର ଦୂରରେ ରହି ଥିବାରୁ ଏଭଳି ନିଷ୍କ୍ରିୟତା ଲାଗି ରହିଥିବା ଅଭିଯୋଗ ହେଉଛି। ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର