ହଜୁଛି ରୁପେଲି ନଗରର ଚମକ

କଟକ : କରୋନା ମାଡ଼ରେ କ୍ଷତିଗ୍ରସ୍ତ ହେଲାଣି ସିନେମା ହଲ୍‌ ବ୍ୟବସାୟ। ଆର୍ଥିକ ଅନଟନ ଭିତରେ ଗୋଟିଏ ପରେ ଗୋଟିଏ ହଲ୍‌ ବନ୍ଦ ହେବାକୁ ବସିଛି। ପୂର୍ବରୁ କଟକରେ ୧୫ରୁ ଅଧିକ ସିନେମା ହଲ୍‌ ଥିଲାବେଳେ ଏବେ ଆଇନକ୍ସକୁ ମିଶାଇ ମୋଟ ୫ଟି ହଲ୍‌ ଚାଲିଛି। ସେଥିମଧ୍ୟରୁ ଆଇନକ୍ସରେ ୪ଟି ସ୍କ୍ରିନ୍‌, ସଙ୍ଗମରେ ୨ଟି ସ୍କ୍ରିନ୍‌ ଏବ˚ ବୃନ୍ଦାବନ, ସମ୍ରାଟ ଓ ଗ୍ରାଣ୍ତ ହଲ୍‌ରେ ଗୋଟିଏ ଲେଖାଏଁ ସ୍କ୍ରିନ୍‌ ରହିଛି। ମାର୍ଚ୍ଚ ୧୩ ତାରିଖ ପରଠୁ ସହରର ସବୁ ହଲ୍‌ ବନ୍ଦ ହୋଇଯାଇଥିଲାବେଳେ ଜୟଶ୍ରୀ ହଲ୍‌କୁ ସ˚ପୂର୍ଣ୍ଣ ବନ୍ଦ କରିବାକୁ ଏହାର କତ୍ତୃର୍ପକ୍ଷ ଘୋଷଣା କରିସାରିଛନ୍ତି। ସହରରେ ସିନେମା ହଲ୍‌ର ସ˚ଖ୍ୟା ଦିନକୁ ଦିନ ହ୍ରାସ ପାଇଚାଲିଥିଲାବେଳେ ଏଭଳି ସ୍ଥିତି ଜାରି ରହିଲେ ଆଗକୁ ଅନ୍ୟ ହଲ୍‌ ଗୁଡ଼ିକର ଦଶା କ’ଣ ହେବ ବୋଲି ଚଳଚ୍ଚିତ୍ର ପ୍ରେମୀମାନଙ୍କର ଚିନ୍ତା ବଢିଯାଇଛି।

ସୂଚନା ଅନୁଯାୟୀ, ୧୯୯୯ ମହାବାତ୍ୟା ପରଠୁ ସିନେମା ଶିଳ୍ପ ଉପରେ ଭୟଙ୍କର ପ୍ରଭାବ ପଡ଼ିଥିଲା। ଅନେକ ହଲ୍‌ ବନ୍ଦ ହୋଇଯିବା ସହ ସେଗୁଡିକୁ ସର୍ପି˚ ମଲ୍‌ କିମ୍ବା ବିବାହ ମଣ୍ତପର ରୂପ ଦିଆଯାଇଛି। ଓଡ଼ିଶାରେ ମୁଖ୍ୟତଃ ଅକ୍ଷୟ ତୃତୀୟା, ରଜ, ଦୁର୍ଗାପୂଜା ଇତ୍ୟାଦି ପାର୍ବଣ ସମୟରେ ଓଡ଼ିଆ ସିନେମା ରିଲିଜ ହୋଇଥାଏ। କିନ୍ତୁ ଏଥର କରୋନା ଯୋଗୁଁ ରଜରେ କୌଣସି ସିନେମା ରିଲିଜ ହୋଇପାରିଲାନି। ଏଭଳିସ୍ଥିତିରେ ହଲ୍‌ ଉପରେ ନିର୍ଭର କରୁଥିବା କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି। ଗୋଟିଏ ହଲ୍‌ରେ ହାରାହାରି ୨୫ଜଣ କର୍ମଚାରୀ ନିଯୁକ୍ତ ହୋଇଥିଲେ। ମାସିକ ଗୋଟିଏ ହଲ୍‌ ପିଛା ବିଦ୍ୟୁତ ଦେୟ, ରକ୍ଷଣାବେକ୍ଷଣ, କର୍ମଚାରୀଙ୍କ ଦରମା ଇତ୍ୟାଦିକୁ ହିସାବକୁ ନେଲେ ୨ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା କଟକ  ଗ୍ରାଣ୍ତ ସିନେମା ହଲ୍‌ର ମ୍ୟାନେଜର କବିର ଚରଣ ସ୍ବାଇଁ ସୂଚନା ଦେଇଛନ୍ତି। କିନ୍ତୁ ଏବେ ଆୟ ବନ୍ଦ ହୋଇଯାଇଥିଲାବେଳେ ବିଦ୍ୟୁତ ଦେୟ ଦେବା କଷ୍ଟକର ହୋଇପଡୁଛି ଓ କର୍ମଚାରୀଙ୍କୁ ଦରମା ଦେବା ସମ୍ଭବ ହେଉନଥିବାରୁ ଜୟଶ୍ରୀ ଭଳି ହଲ୍‌ରେ ସବୁଦିନ ପାଇଁ ତାଲା ଝୁଲାଇବାକୁ ପଡ଼ିଛି।

ବର୍ତ୍ତମାନ ରାଜ୍ୟରେ ୧୪୦ ସିନେମା ହଲ୍‌ ସକ୍ରିୟ ସ୍ଥିତିରେ ଅଛି। ହେଲେ କରୋନା ମାଡ଼ରେ ଅଧିକା˚ଶ ସିନେମା ହଲ୍‌ ଅଣ୍ଟା ସଳଖିବା ସ୍ଥିତିରେ ବି ଆଉ ନାହାନ୍ତି। ଓଡ଼ିଶାରେ ପାଖାପାଖି ୧ହଜାର ଟେକ୍ନିସିଆନ୍‌, ୮୦୦ ଡିଷ୍ଟ୍ରିବ୍ୟୁଟର, ପାଖାପାଖି ୨୦୦ ମାଲିକ ଓ ୧୬୦୦ ହଲ୍‌ କର୍ମଚାରୀ ସିନେମା ହଲ୍‌ ଶିଳ୍ପରୁ ରୋଜଗାର କରୁଛନ୍ତି। ସେହିପରି କଟକରେ ଆଗରୁ ଚାଲୁଥିବା ଜନତା, ପ୍ରଭାତ, କ୍ୟାପିଟାଲ, ହିନ୍ଦ୍‌, ଲକ୍ଷ୍ମୀ, ନିଶାମଣି, ରାଜତରଙ୍ଗିଣୀ, ଦେବୀ, ଦୁର୍ଗା ହଲ୍‌ ସହ ଜୟଶ୍ରୀ ହଲ୍‌ ବନ୍ଦ ହୋଇଯାଇଛି। ଏବେ ମଲ୍‌ଟିପ୍ଲେକ୍ସ ବ୍ୟବସାୟ ଆସିଯାଇଥିବାରୁ ସିଙ୍ଗଲ୍‌ ସ୍କ୍ରିନ୍‌ର ରୋଜଗାର ମଧ୍ୟ ପୂର୍ବାପେକ୍ଷା କମିବାରେ ଲାଗିଛି। ହେଲେ କରୋନା ପ୍ରଭାବରେ ହଲ୍‌ ବ୍ୟବସାୟ ସ˚ପୂର୍ଣ୍ଣ ଠପ୍‌ ହୋଇଯାଇଥିବାରୁ ତଳସ୍ତରର କର୍ମଚାରୀମାନଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଯଦି ରାଜ୍ୟ ସରକାର କିମ୍ବା ଚଳଚ୍ଚିତ୍ର ନିଗମ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଏ ତାହେଲେ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବା ସହ ହଲ୍‌ ଶିଳ୍ପ ମଧ୍ୟ ବନ୍ଦ ହୋଇଯିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର