କଟକ: ରାଉସାପାଟଣା ନିକଟରେ ସୋମବାର ରାତିରେ ଜଣେ ଯୁବତୀଙ୍କୁ ଛୁରାମାଡ ହୋଇଛି। ଦୁର୍ବୃତ୍ତ ଜଣଙ୍କ ଯୁବତୀଙ୍କ ପେଟ ସମେତ ଶରୀର ବିଭିନ୍ନ ଅଙ୍ଗରେ ଛୁରାଭୁଷି ଫେରାର ହୋଇଯାଇଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଥିବା ସୂଚନା ମିଳିଛି। ହରିପୁର-ରାଉସାପାଟଣା ରାସ୍ତାରେ ଜଣେ ବ୍ୟକ୍ତିଙ୍କର ଏକ ପ୍ରସାଧାନ ସାମଗ୍ରୀ ଦୋକାନ ରହିଛି। ସେହି ଦୋକାନରେ ଯୁବତୀ ଜଣକ ଦୀର୍ଘଦିନ ହେବ କାମ କରୁଥିଲେ।
ସୋମବାର ରାତି ପ୍ରାୟ ୧୦ଟା ବେଳେ ଦୋକାନ ବନ୍ଦ କରି ଯୁବତୀ ଜଣକଙ୍କ ଘରକୁ ଫେରୁଥିବା ସମୟରେ ଜଣେ ଯୁବକ ଏକ ବାଇକ୍ରେ ଆସି ଛୁରା ମାଡ କରିଥିଲା। ଯୁବତୀ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡିଯାଇଥିଲେ। ଯୁବକ ଜଣକ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆହତ ଯୁବତୀଙ୍କ ମାମୁ ଘର ଶ୍ରୀକାକୁଲମରେ ହୋଇଥିବାବେଳେ ସେ ଅନେକ ବର୍ଷ ତଳେ ସେଠାରେ ରହି ପଢୁଥିଲେ। ସେଠାରେ ରହିବା ସମୟରେ ଜଣେ ଯୁବକଙ୍କ ସହିତ ତାଙ୍କ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଯୁବତୀ ଜଣକ କଟକ ଫେରିଆସିବା ପରେ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା। ରାଗରେ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/29dd806b-f736-43af-b2ab-f1690ca8218a.jpg)