ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ମା’ଙ୍କର ନିତ୍ୟବେଶ ଓ ଶୂନ୍ୟମଣ୍ତପ

ବାଙ୍କୀ: ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ଏକ ସ୍ବତନ୍ତ୍ରତା ବହନ କରିଥିବା ବେଳେ କେଉଁ ଆବହମାନ କାଳରୁ ଚଳିଆସୁଥିବା ମା’ଙ୍କ ନୀତିକାନ୍ତି ଓ ପରମ୍ପରା ଏବେ ମଧ୍ୟ ବଜାୟ ରହିଛି।

ଦେବୀଙ୍କର ସ୍ଥାପନା ଏବଂ ନାମକରଣ ସମ୍ପର୍କରେ ବହୁ ଜନଶ୍ରୁତି ଏବଂ ପୈାରାଣିକ ତଥ୍ୟ ରହିଥିବାବେଳେ ଦେବୀ ‘ଦୁର୍ଗା’ଙ୍କର ମାନସକନ୍ୟା ବୋଲି ଦେବୀପୁରାଣରେ ବର୍ଣ୍ଣିତ। ଅନ୍ୟଏକ ଜନଶ୍ରୁତି ଅନୁସାରେ ଏହିଠାରେ ଏକପଦରେ ଛିଡାହୋଇ ତପସ୍ୟାପୂର୍ବକ ମା’ଙ୍କୁ ସନ୍ତୁଷ୍ଟ କରି ପର୍ଶୁରାମ ୨୧ଥର ପୃଥିବୀକୁ ନିକ୍ଷେତ୍ରୀୟ କରି ଫେରିବା ପରେ ପିତୃସତ୍ୟ ପାଳନ କରି ମାତା ରେଣୁକାଙ୍କୁ ବଦ୍ଧ କରିଥିଲେ।

ପରେ ମା’ଙ୍କ ଆଶିଷରୁ ରେଣୁକା ଜୀବନ୍ୟାସ ପାଇଥିଲେ। ଶ୍ରୁତି ସଦୃଶ ପୀଠର ପାଦଦେଶରେ ରେଣୁକା ନଦୀ ଏବେ ମଧ୍ୟ ବିଦ୍ୟମାନ। ମନ୍ଦିରକୁ ଯିବାପାଇଁ ତିନିଗୋଟି ଦ୍ବାର ଥିବା ବେଳେ ୩୨ ଗୋଟି ପାହାଚ ଥିବା ଉତ୍ତରପଟ ଦ୍ବାର ଶ୍ରଦ୍ଧାଳୁମାନଙ୍କ ପାଇଁ ଉଦିଷ୍ଟ। ସେହିପରି ୫୧ ପାହାଚ ବିଶିଷ୍ଟ ପଶ୍ଚିମ ଦ୍ବାର ମୁନିଋଷିମାନଙ୍କ ପାଇଁ ଏବଂ ଦକ୍ଷିଣରେ ଥିବା ୮୧ ପାହାଚ ବିଶିଷ୍ଟ ଦ୍ବାର ରାଜାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜଣାଯାଏ। ମନ୍ଦିରର ପ୍ରମୁଖ ଆକର୍ଷଣ ମା’ଙ୍କର ପ୍ରତ୍ୟହ ବେଶ ଏବଂ ଏଠାରେ ଥିବା ଦୁଇଗୋଟି କାଷ୍ଠ ନିର୍ମିତ ମଣ୍ତପ।

Sambad

କାଷ୍ଠ ନିର୍ମିତ ମଣ୍ତପ ଦ୍ବୟର ନିର୍ମାଣ ଶୈଳୀ ଉତ୍କଳୀୟ ଚାରୁକଳାର ଏକ ଉତ୍କୃଷ୍ଟ ନିଦର୍ଶନ ହୋଇଥିବାବେଳେ ଏହିପରି ନିର୍ମାଣ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡାଠାରେ ୧୭୯୦ ମସିହାରେ ରାଜା ଶ୍ରୀକର ଭଞ୍ଜଦେଓଙ୍କ ଦ୍ବାରା ନିର୍ମିତ ବିରଂଚି ନାରାୟଣ ମନ୍ଦିରରେ ଦେଖିବାକୁ ମିଳିଥାଏ। ମୁଖ୍ୟ ମନ୍ଦିରରେ ମା’ଙ୍କ ସମ୍ମୁଖରେ ଥିବା ୧୬ ଗୋଟି ସ୍ତମ୍ଭ ବିଶିଷ୍ଟ ମୁଖ୍ୟ ମଣ୍ତପ ବିଭିନ୍ନ ନୀତିକାନ୍ତି ଏବଂ ଯଜ୍ଞକର୍ମ ପାଇଁ ଉଦ୍ଦିଷ୍ଟ ରହିଅଛି। ଅନୁରୂପ ଭାବେ ମୁଖ୍ୟ ମନ୍ଦିରର ତଳ ପାର୍ଶ୍ବରେ ଥିବା ୨୦ ଗୋଟି ପ୍ରସ୍ତର ସ୍ତମ୍ଭ ବିଶିଷ୍ଟ ଶୂନ୍ୟମଣ୍ତପ ବିଦ୍ୟମାନ। ୫୨୮ ଖଣ୍ତ କାଷ୍ଠରେ ନିର୍ମିତ ଶୂନ୍ୟମଣ୍ତପର ଉପରିଭାଗ ଭଗବତ୍ ଗୀତାର ସମସ୍ତ ଅଧ୍ୟାୟକୁ ସୂକ୍ଷ୍ମ କାରୁକାର୍ଯ୍ୟ ଦ୍ବାରା ଖୋଦିତ କରାଯାଇଛି ଯାହାକି ଅନ୍ୟତ୍ର ବିରଳ। ମା’ଙ୍କର ଦର୍ଶନ ପରେ ଏହି ମଣ୍ତପରେ କିଛିକ୍ଷଣ ବିଶ୍ରାମ କରିବା ଦ୍ବାରା ଅପୂର୍ବ ଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ଜନଶ୍ରୁତି ରହିଛି।

ମା’ ଅଷ୍ଟଭୂଜା, ଶବାରୂଢା ଏବଂ ଛିନ୍ନମସ୍ତକମାଳା ପରିହିତା ହୋଇଥିବା ଏବଂ ହସ୍ତରେ ଖଡ୍‌ଗ, ସର୍ପ, ତ୍ରିଶୂଳ, ଅଂକୁଶ, ଖର୍ପର, ଡମ୍ବରୁ, ଛିନ୍ନ ମସ୍ତକ ଧାରଣ କରିଥିବା ବେଳେ ବାମ ହସ୍ତର କନିଷ୍ଠ ଅଙ୍ଗୁଳି ଦନ୍ତଶକ୍ତା। ଦେବୀଙ୍କ ପୀଠରେ ୧୨ମାସରେ ୧୩ ପର୍ବ ଲାଗିରହିଥିବା ବେଳେ ଶାରଦୀୟ ଦୁର୍ଗାପୂଜାର ଷୋଡଶ ଉପଚାର ପୂଜା ସହିତ ମହାଷ୍ଟମୀ ଏବଂ ଦଶହରାର ଏକ ସ୍ବତନ୍ତ୍ରତା ରହିଅଛି।

ଏହି ଅବସରରେ ଭୋର ୪.୩୦ ମିରେ ମା’ଙ୍କର ପହୁଡ ଖୋଲାଯାଇ ମଙ୍ଗଳ ଆଳତି, ପଂଚ ଅବକାଶ ଏବଂ ପରେ ପ୍ରତ୍ୟହ ମା’ଙ୍କର ମହାନଦୀର ରେଣୁକା ଘାଟରୁ ଅଣାଯାଇଥିବା ୧୦୮ କଳସୀର ପବିତ୍ର ଜଳରେ ଭୃଙ୍ଗାରୀ ସ୍ନାନ ଅନୁଷ୍ଠିତ ହୋଇଥାଏ। ମା’ଙ୍କର ସମ୍ମୁଖରେ ମୁଖ୍ୟମଣ୍ତପରେ ନବଶକ୍ତି କଳସ ସ୍ଥାପନା କରାଯିବା ଏହି ପୂଜାର ଏକ ସ୍ବତନ୍ତ୍ର ବିଧି ଅଟେ।

ଏହାସହ ମା’ଙ୍କର ଅନ୍ୟ ନୀତି ମଧ୍ୟରେ ମାଜଣା, ବଲ୍ଲଭ ପୂଜା, ସୂର୍ଯ୍ୟ ପୂଜା, ନେତବନ୍ଧା ଉତ୍ସବ, ଛାମୁଚଣ୍ତୀ ପୂଜା, ମାଣ୍ତୁଅ ଧୂପ ଆଦି ନୀତିକାନ୍ତି ସହ ପ୍ରତ୍ୟହ ତିନିଗୋଟି ନୀତି ଅନୁଷ୍ଠିତ ହୋଇଥାଏ। କିନ୍ତୁ ମା’ଙ୍କର ପ୍ରତ୍ୟହ ବେଶର ନାମକରଣ କରାଯାଇ ନଥିବା ବେଳେ ମହାଷ୍ଟମୀ, ଦଶହରା ଏବଂ କୁମାର ପୂର୍ଣ୍ଣମୀରେ କରାଯାଉଥିବା ବେଶର ନାମକରଣ କରାଯାଇଥାଏ। ମା’ଙ୍କ ନିକଟରେ ଆମିଷ ଲାଗିହେଉଥିଲେ ମଧ୍ୟ ବୈଶାଖ, କାର୍ତ୍ତିକ ଓ ମାଘ ମାସରେ ଏହା ଲାଗି ହୋଇ ନଥାଏ।

ମାତ୍ର ଦଶହରା ଅବସରରେ ପ୍ରତ୍ୟହ ମଧ୍ୟାହ୍ନ ଧୂପରେ ଆମିଷ ଭୋଗ ଲାଗି ହୋଇଥାଏ। ଷୋଡଶପୂଜା ଅବସରରେ ପ୍ରତ୍ୟହ ମା’ଙ୍କ ନିକଟରେ ରାମାୟଣ ଓ ଚଣ୍ତୀପାଠ କରାଯିବା ପରମ୍ପରା ରହିଛି। ଆସନ୍ତା ଅକ୍ଟୋବର ୨୩ ତାରିଖରେ ମହାଷ୍ଟମୀ ଏବଂ ୨୬ ତାରିଖରେ ଦଶହରା ପର୍ବ ପୀଠରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସରକାରଙ୍କ କୋଭିଡ କଟକଣା ଯୋଗୁଁ ମନ୍ଦିର ମଧ୍ୟକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଥିବା ମନ୍ଦିର କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ। ତେବେ ପର୍ଯ୍ୟଟନ ବିଭାଗ ଏହି ପ୍ରମୁଖ ପୀଠସ୍ଥଳୀ ପ୍ରତି ଦୃଷ୍ଟିଦେବା ସହ ପୀଠର ଉନ୍ନତି ସାଧନ ନିମନ୍ତେ ଅଧିକ ଯତ୍ନବାନ ହେବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର