ବାଙ୍କୀ (ଅନନ୍ତ ପଟ୍ଟନାୟକ): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଶକ୍ତି ପୀଠରେ ଷୋଡଶ ପୂଜା ପାଳିତ ହେଉଛି। ଷୋଡଶ ରୀତିନୀତି ଅନୁସାରେ ମାଙ୍କ ପାଖରେ ସ୍ୱତନ୍ତ୍ର ପୂଜାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ମନ୍ଦିରକୁ ସୁସଜିତ କରାଯାଇଥାଏ। ଭୋର ୪ଟା ସମୟରେ ମନ୍ଦିରର ସେବାୟତମାନେ ମହାନଦୀରୁ ୧୦୮ ଗରାରେ ପାଣି ଆଣି ପ୍ରଥମେ ମାଙ୍କ ନିକଟରେ ମାଜଣା କରିଥାନ୍ତି। ନୀତିକାନ୍ତି ଅନୁସାରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ବଲଭ ପୂଜା ପରେ ମାଙ୍କ ପାଖରେ ସକାଳ ଧୂପ ଲାଗିଥାଏ। ଏହି ସକାଳ ଧୂପରେ ମାଙ୍କ ନିକଟରେ ମାଣ୍ଡୁକ ଭୋଗ ଲାଗି କରାଯାଇଥାଏ। ପରେ ଅପରାହ୍ନରେ ବିଭିନ୍ନ ବେଶରେ ଜଗତ ଜନନୀ ମା ଚର୍ଚ୍ଚିକା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। ଏହି ୧୬ ଦିନ ପର୍ଯ୍ୟନ୍ତ ମାଙ୍କର ସ୍ୱତନ୍ତ୍ର ବେଶ ଦେଖିବାକୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ତେବେ ଏହି ଶକ୍ତିପୀଠର ଅନେକ ପୌରାଣିକ ଲୋକକଥା ରହିଛି।

Advertisment

ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକା । ରଚିକ ପାହାଡ଼ ଉପରେ ମହାନଦୀ କୂଳରେ ମା’ଚର୍ଚ୍ଚିକାଙ୍କ ମନ୍ଦିର ରହିଛି । ପୁରାଣର ସପ୍ତଚଣ୍ଡୀ, ବ୍ୟାସଦେବଙ୍କ ରଚିତ ସ୍କନ୍ଧ ପୁରାଣ, ଦେବୀ ଭାଗବତ, ମହାକାଳ ସଂହିତା, କର୍ମପୁରାଣ ଆଦି ଗ୍ରନ୍ଥରେ ମା'ଙ୍କ ଉପାସନା କଥା ବର୍ଣ୍ଣନା କରାଯାଇଛି । ମା’ଚ଼ର୍ଚ୍ଚିକା ଅଷ୍ଟଭୂଜା, ଷୋଡଶୀ ଭାବେ ବାଙ୍କୀର ରଚିକ ପୀଠରେ ପୂଜା ପାଉଛନ୍ତି । କୁମାର ପୂର୍ଣ୍ଣିମା ଦିନ ମା’ଙ୍କ କୁମାରୀ ବେଶ ଅତି ଦୁର୍ଲଭ ଓ ଭକ୍ତମାନେ ଦର୍ଶନ କଲେ ମନକାମନା ପୂରଣ ହୋଇଥାଏ ବୋଲି ଜନସୃତି ରହିଛି । ତେଣୁ ବାଙ୍କୀକୁ କୁମାରୀ ପୀଠ କୁହାଯାଏ । ସାରା ଭାରତରେ ଦୁଇଟି ସ୍ଥାନରେ କୁମାରୀ ପୀଠ ରହିଛି ତାହା ହେଲା କନ୍ୟାକୁମାରୀ ଓ ମା’ଚର୍ଚ୍ଚିକାଙ୍କ ପୀଠ । ମା’ଙ୍କୁ ବିଭିନ୍ନ ନାମରେ ପରିଚିତ ଯଥା-ବକ୍ରେଶ୍ଵରୀ, ବିଦ୍ୟାକାଳୀ, ଭୈରବୀ, ଷୋଡଶୀ, ଋରୁସ୍ମିତା, କୃଷ୍ଣାରୂପା, ମାତୃକାବଣ୍ଡା ଆଦି ନାମରେ ପୂଜା କରାଯାଏ । କିନ୍ତୁ ତନ୍ତ୍ର ଶାସ୍ତ୍ରରେ ମା'ଙ୍କୁ କୁମାରୀ ଓ ତ୍ରିପୁରା ସୁନ୍ଦରୀ ଭାବେ ଆରଧନା କରାଯାଇଥାଏ । ରଣାସୁରକୁ ବଧ କରିଥିବାରୁ ମା'ଙ୍କୁ ଚର୍ଚ୍ଚିକା ଭାବେ ବର୍ଣ୍ଣନା କରାଯାଏ । ଦେବୀ ପୁରାଣ ଅନୁଯାୟୀ ରଚିକ ଗିରି ହେଉଛି ପର୍ଶୁରାମଙ୍କ ତପସ୍ୟାର ପୀଠ ଓ ଭକ୍ତିବଳରେ ମା’ତାଙ୍କୁ ପ୍ରସନ୍ନ ହୋଇ ବର ଦେଇଥିଲେ । ତେଣୁ ଏହି ପୀଠର ଅନ୍ୟନାମ ପର୍ଶୁରାମ ପୀଠ ନାମରେ ବେଶ ପରିଚିତ । ପର୍ଶୁରାମ ତାଙ୍କ ସରମୁନରେ ମା’ଚର୍ଚ୍ଚିକାଙ୍କର ମୂର୍ତ୍ତି ଆଙ୍କିଥିଲେ ଓ ଏହା ଏବେ ମଧ୍ୟ ମନ୍ଦିରରେ ରହିଛି ବୋଲି ଗବେଷକମାନେ ମତ ଦେଇଛନ୍ତି।

ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଶାରଦୀୟ ଷୋଳ ପୂଜାର ପ୍ରଥମ ପର୍ବ ରବିବାରଠାରୁ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ମଙ୍ଗଳବାର ମା’ଙ୍କ ତୃତୀୟ ପର୍ବ ପୂଜା ନୀତି ସମ୍ପନ୍ନ ହୋଇଛି । ଭୋର ୪ଟାରେ ଦେବୀଙ୍କ ପହଡ ଖୋଲାଯାଇ ମଙ୍ଗଳ ଆଳତୀ, ପଞ୍ଚଅବକାଶ, ଅନୁଷ୍ଠିତ ହୋଇଥିଲା । ମନ୍ଦିର ସେବାସୀମାନେ ମହାନଦୀ ରେଣୁକା ତୁଠରୁ ଜଳ ଆଣି ସହସ୍ର କୁମ୍ଭାବିଷେକ ଓ ମାଜଣା କରିବା ସହ ଶାରଦୀୟ ପୂଜାର ଦ୍ୱିତୀୟ ଦିନର ପର୍ବ ପାଇଁ ମା’ଙ୍କୁ ବେଶ କରିଥିଲେ । ପରେ ସୂର୍ଯ୍ୟପୂଜା, ନବଶକ୍ତି କଳସପୂଜା ଆଦି ସମ୍ପାଦିତ ହୋଇଥିଲା । ମଧ୍ୟାହ୍ନରେ ଖେଚୋଡି ଓ ଆମିଷ ଭୋଗ ସହିତ ଉପାଧିଆ ଭୋଗ ଅର୍ପଣ କରାଯାଇ ମା’ଙ୍କ ବିଶ୍ରାମ ପାଇଁ ପହଡ ପଡିଥିଲା । ଅପରାହ୍ନରେ ମନ୍ଦର ପହଡ ଖୋଲାଯାଇ ଟେରା ଅନ୍ନ ଭୋଗ କରାଯାଇଥିଲା । ସନ୍ଧ୍ୟାରେ ପୁନର୍ବାର ଶହ ଶହ କୁମ୍ଭାଭିଷେକ, ମାଜଣା ସହ ମା’ଙ୍କୁ ବେଶ କରାଯାଇଥିଲା । ପରେ ରାତ୍ର ଭୋଗ ପାଇଁ ଦହିପଖାଳ, ବଡ ସିଂହାର, ଅଧରପଣା ଆଦି ଭୋଗ ବ୍ୟବସ୍ଥା କରାଯାଇଥିଲା । ସକାଳ ଓ ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ମାଙ୍କ ଦିବ୍ୟ ଆଳତି ଦର୍ଶନ ନିମନ୍ତେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଏଲ ଇ ଡି ବ୍ୟବସ୍ଥା କରାଯାଇଛି।
ମା’ଚର୍ଚ୍ଚିକା ବାଙ୍କୀର ଇଷ୍ଟ ଦେବୀ ଓ ସାରା ଭାରତର ଏକ ପ୍ରମୁଖ ଶକ୍ତିପୀଠ ଭାବେ ବାଙ୍କୀର ମହାନଦୀ କୂଳସ୍ଥ ଋଚିକ ପାହାଡରେ ଅବସ୍ଥାନ କରିଛନ୍ତି। ମାଙ୍କ ପାଦଦେଶରେ ରେଣୁକା ନ‌ଦୀ ବୋହି ଯାଉଛି ଓ ଏହି ନ‌ଦୀର ନାମ ପର୍ଶୁରାମଙ୍କ ମା’ଙ୍କ ନାମରେ ନାମିତ ହୋଇଥିବା ପୌରାଣିକ କଥା ରହିଛି।