ଡକାୟତଙ୍କ ଚରାଭୂଇଁ ପାଲଟିଲାଣି ମଧୁପାଟଣା

ଠିକାଦରଙ୍କ ଘରୁ ୧୦ ଲକ୍ଷ ଲୁଟ୍‌; ୩ ମାସରେ ଲୁଟିଲେଣି ୫୬ ଲକ୍ଷ; ପଡ଼ୋଶୀ ଘରେ ପଶିଲା କୁକୁର

କଟକ: କରୋନା ସମୟରେ ମଧୁପାଟଣା ଥାନା ଅଞ୍ଚଳ ଡକାୟତଙ୍କ ଚରାଭୂଇଁ ପାଲଟିଗଲାଣି। ଲୁଟେରାମାନେ ତୃତୀୟ ଥର ପାଇଁ ଜଣେ ସିଏମ୍‌ସି ଠିକାଦାରଙ୍କ ଘରୁ ଲକର୍‌ ତାଡ଼ି ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଡକାୟତି ହୋଇଥିବା ସନ୍ଦେହ କରାଯାଉଛି। ଏହି ମାମଲାକୁ ମିଶାଇ କେବଳ ମଧୁପାଟଣା ଥାନାରେ କରୋନା ସମୟରେ ତିନୋଟି ସମାନ ଧରଣର ଡକାୟତି ମାମଲା ରୁଜୁ ହେଲାଣି। କଟକ କମିସନରେଟ୍ ପୁଲିସରେ କରୋନା ସମୟରେ ସର୍ବାଧିକ ମଧୁପାଟଣା ଥାନା ଅଞ୍ଚଳରେ ହିଁ ଲୁଟ ହୋଇଛି।

ଏହି ସିଏମସି ଠିକାଦାରଙ୍କ ଘରୁ ଲୁଟ୍ ପୂର୍ବରୁ ଦୁର୍ବୃତ୍ତମାନେ ଘର ସାମନାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟକୁ ୩ ଦିନ ପୂର୍ବରୁ କାଟି ଦେଇଥିଲେ। ଆଜି ସନ୍ଧାନୀ କୁକୁର ଜଣେ ପଡ଼ୋଶୀଙ୍କ ଘର ଭିତରେ ପଶିବା ପରେ ସ୍ଥାନୀୟ ଅଞ୍ଚଳର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

Sambad

ସୂଚନା ଅନୁଯାୟୀ, ସିଏମସିର ଠିକାଦାରୀ କରୁଥିବା ରଜତ କୁମାର ରାଉତ ସାର୍ତ୍ତୋଳ ରେଳଧାରଣା ନିକଟରେ ଭଡ଼ା ନେଇ ରୁହନ୍ତି। ଦାଦାଙ୍କ ଶୁଦ୍ଧି କାମ ପାଇଁ ଗଲା ୩ ତାରିଖରେ ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ଜଗତପୁର ଖଇରା ଅଞ୍ଚଳରେ ଥିବା ଗାଁକୁ ଯାଇଥିଲେ। ୮ ତାରିଖରେ ରଜତ ସାର୍ତ୍ତୋଳ ଘରକୁ ଆସି ପୁଣି ଫେରିଯାଇଥିଲେ। ସୋମବାର ଦିନ ପ୍ରାୟ ୨ଟା ବେଳେ ଘର ମାଲିକ ରଜତଙ୍କୁ ଫୋନ୍ କରି ଘରର କବାଟ ଖୋଲାଥିବା ସମ୍ପର୍କରେ ସୂଚନା ଦେଇଥିଲେ।

ରଜତ ଘରେ ପହଞ୍ଚି ଦେଖିଲେ ଯେ କେହି ଦୁର୍ବୃତ୍ତ ତଳ ମହଲା ଗ୍ରିଲର ତାଲା ଭାଙ୍ଗିଥିବା ବେଳେ ଓ କବାଟ ତାଡ଼ି ଭିତରେ ପଶିଥିଲା। ରଜତଙ୍କ ବେଡ୍‌ରୁମରେ ଥିବା ଗଡରେଜ୍‌ ଲକର ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୨ ଲକ୍ଷ ଟଙ୍କା ଏବଂ ୧୫୦ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଥିଲେ। ବଡ଼ ଝିଅର ବାହାଘର ପାଇଁ ରଖିଥିବା ଚୁଡ଼ି, ମୁଦି, ଚେନ, ସୁନା ବିସ୍କୁଟ ଇତ୍ୟାଦି ଲୁଟି ନେଇଥିଲେ। ରଜତଙ୍କ ଘରେ ଥିବା କଟୁରି ଓ ପେଚକସ ହିଁ ଲକର ତାଡ଼ିବାରେ ବ୍ୟବହାର କରିଥିଲେ। ଘଟଣା ସମ୍ପର୍କରେ ରଜତ ସୋମବାର ରାତିରେ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଦିନ ପ୍ରାୟ ୧୧ଟା ବେଳେ ମଧୁପାଟଣା ଥାନା ପୁଲିସ ସମେତ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Sambad

ରଜତଙ୍କ ଘରଠାରୁ ଗୋଟିଏ ଘର ଛାଡ଼ି ତୃତୀୟ ଘରକୁ କୁକୁର ୪ ଥର ଯାଇଥିଲା। ପୁଲିସ ଟିମ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପଶି ଖାନତଲାସ୍ କରିଥିଲା। କିନ୍ତୁ ସେଭଳି କୌଣସି ସନ୍ଦେହଜନକ ଜିନିଷ ସେହି ଘରୁ ମିଳି ନଥିଲା। ରଜତଙ୍କ ଘର ସାମନା ଗଳିରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ୮ ତାରିଖରୁ ଜଳୁ ନଥିବା ସ୍ଥାନୀୟ ଲୋକେ କହିଥିଲେ। ତେବେ ସିଏମସିର ଇଲେକ୍ଟ୍ରି ବିଭାଗ କର୍ମଚାରୀ ଲାଇଟ୍ ଆଜି ଯାଞ୍ଚ କରିବାରେ ତାର କଟାଯାଇଥିବା ଜଣଶପଡ଼ିଥିଲା। ଡକାୟତ ଦଳ ଯୋଜନାବଦ୍ଧ ଭାବେ ଏହି ଡକାୟତି ଘଟାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।

ଯେଉଁ କଟୁରି ଓ ପେଚକସ୍ ଦୁର୍ବୃତ୍ତମାନେ ଲକର୍ ତାଡ଼ିବାରେ ବ୍ୟବହାର କରିଥିଲେ ତାକୁ ଛାଡ଼ି ଯାଇଥିବା ବେଳେ ଗ୍ରିଲର ତାଲା ବର୍ତ୍ତମାନ ସୁଦ୍ଧା ମିଳୁ ନାହିଁ। ଘରେ ଗୋଟିଏ ବୋତଲରେ ଥିବା ପାଣି ବି ସେମାନେ ପିଇଥିବା ଦେଖିବାକୁ ମିଳିଛି। ରଜତ ଅଭିଯୋଗ କରିଛନ୍ତି ଯେ, ଦୁର୍ବୃତ୍ତମାନେ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୨ ଲକ୍ଷ ଟଙ୍କା ଲୁଟିଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳର ୩ରୁ ୪ ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ ଏକ ମାମଲା(କେସ୍ ନଂ ୨୦୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ବୋଲି ମଧୁପାଟଣା ଥାନା ଆଇଆଇସି ତୁଷାର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର