କଟକ: ଫନି ପରଠାରୁ ମଧୁପାଟଣା ଟ୍ରାଫିକ ଛକରେ ଅଚଳ ସିଗନାଲ୍ ସିଏମସି ମରାମତି କଲାନାହିଁ। ଜେବ୍ରା କ୍ରସିଂ ଲିଭି ଯାଇଥିବା ବେଳେ ଏନଏଚଆଇ ଏହାକୁ ଲଗାଉ ନାହିଁ। ମଧୁପାଟଣା ଭଳି ସମ୍ବେଦନଶୀଳ ଛକରେ ଭୁବନେଶ୍ବର, ମଙ୍ଗୁଳି ଓ ବାଦାମବାଡ଼ି ପଟୁ ଯାତ୍ରୀ ଚଳପ୍ରଚଳ କରୁଥିବାରୁ ନିର୍ଦ୍ଦିଷ୍ଟ ଭାବେ ପଥଚାରୀଙ୍କ ପାଇଁ କୌଣସି ଚିହ୍ନ ଏନଏଚଆଇ ପକ୍ଷରୁ ଲଗାଯାଇ ନାହିଁ। ଗଲା ନଭେମ୍ବରରୁ ଏକ ସବ-କମିଟି ଟ୍ରାଫିକ୍ ମ୍ୟାନେଜମେଣ୍ଟ କମିଟି ନିକଟରେ ଏ ସବୁର ମରାମତି ପାଇଁ ଏକ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟକୁ ଉଭୟ ଏନଏଚଆଇ ଓ ସିଏମସି ବେଖାତିର କରୁଥିବାରୁ ସ୍ଥିତି ଦୁର୍ଘଟଣା ଭୟକୁ ଅଧିକ ବଢ଼ାଇ ଦେଉଛି।
କରୋନାର ଦୁଇଟି ଲହର ପରେ ପ୍ରଥମ ଥର ପାଇଁ ଅକ୍ଟୋବର ୨୯ ତାରିଖରେ ବସିଥିବା ଟିଏମସି ବୈଠକରେ ସହରରେ ଜେବ୍ରା କ୍ରସିଂ, ଟ୍ରାଫିକ୍ ଲାଇଟ୍ ଇତ୍ୟାଦିର ମରାମତି ପାଇଁ ଡିସିପି ଟ୍ରାଫିକଙ୍କ ଅଧ୍ୟକ୍ଷତାରେ ଗଠିତ ସବ କମିଟି ଅନୁଧ୍ୟାନ କରିଥିଲା। ସବ କମିଟି ନଭେମ୍ବର ଦ୍ବିତୀୟ ସପ୍ତାହରେ ମଧୁପାଟଣା ଟ୍ରାଫିକ ଛକ ସମେତ ସହରର ସ୍ଥିତି ଅନୁଧ୍ୟାନ କରି ଟିଏମସିରେ ରିପୋର୍ଟ ଦାଖଲ କରିଥିଲା। ନଭେମ୍ବର ୩୦ ତାରିଖରେ ବୈଠକ ବସିବାର ଥିଲା। କିନ୍ତୁ ପୁଣି ବୈଠକ ବାତିଲା ହେଲା। ସବ କମିଟି ରିପୋର୍ଟ ଦାଖଲ କରିବାର ଏକ ମାସ ପୂରିବାକୁ ବସିଲାଣି। କିନ୍ତୁ ମଧୁପାଟଣା ଟ୍ରାଫିକ୍ ଛକ ଭଳି ସମ୍ବେଦନଶୀଳ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଟ୍ରାଫିକ୍ ସିଗନାଲ୍ ଓ ଜେବ୍ରା କ୍ରସିଂ ଲାଗିପାରିଲା ନାହିଁ। କଟକ କମିସନରେଟ୍ ପୁଲିସରେ ୧୩୬ ଟ୍ରାଫିକ୍ ପୋଷ୍ଟ ଭିତରୁ ସବୁଠାରୁ ସମ୍ବେଦନଶୀଳ ଟ୍ରାଫିକ୍ ପୋଷ୍ଟ ମଧୁପାଟଣା। ଟ୍ରାଫିକ୍ ପୋଷ୍ଟକୁ ଲାଗି ରହିଛି ମଧୁପାଟଣା ଟ୍ରାଫିକ୍ ଥାନା ଓ ପୁଲିସ ଥାନା। ଟ୍ରାଫିକ୍ ଛକର ସ୍ଥିତି ଏବେ ଏଭଳି ବିପଦପୂର୍ଣ୍ଣ ହୋଇଯାଇଛି ଯେ ଏଠି ପାଦେପାଦେ ଦୁର୍ଘଟଣା ଭୟ ରହୁଛି।
ଓଏମପିରୁ ଭୁବନେଶ୍ବର ଆଡ଼କୁ ଓଭରବ୍ରିଜରେ ଯାଉଥିବା ବସ୍ ଓଭରବ୍ରିଜ ପୂର୍ବରୁ ଯାତ୍ରୀଙ୍କୁ ଛାଡ଼ୁଥିବା ବେଳେ ସେମାନେ ମ୍ୟାକ୍ସ ସୋରୁମ୍ ଦେଇ ବ୍ରିଜ ତଳେ ରାସ୍ତା ପାର୍ କରି ଚାଲିଚାଲି ବାଦାମବାଡ଼ି ଆଡ଼କୁ ଯାଉଛନ୍ତି। ସେହିଭଳି ଭୁବନେଶ୍ବରରୁ ବାଦାମବାଡ଼ି ଆଡ଼କୁ ଯାଉଥିବା ବସ୍ ମାଛ ମାର୍କେଟ୍ ନିକଟରେ ଯାତ୍ରୀଙ୍କୁ ଓହ୍ଲାଉଥିବାରୁ ସେମାନେ ଚାଲିଚାଲି ମଧୁପାଟଣା ଟ୍ରାଫିକ୍ ଥାନା ପଛପଟକୁ ଆସି ବସରେ ଓଏମପି ଆଡ଼କୁ ଯାଉଛନ୍ତି। ଟ୍ରାଫିକ୍ ସିଗନାଲ୍ କାମ କରୁ ନଥିବାରୁ ପଥଚାରୀମାନେ ମନ ଇଚ୍ଛା ରାସ୍ତା ପାର୍ କରୁଥିବାରୁ ଗାଡ଼ି ଚାଳକଙ୍କ ପାଇଁ ବିପଦଜନକ ପରିସ୍ଥିତି ସୃଷ୍ଟି କଲାଣି। ଟ୍ରାଫିକ କର୍ମଚାରୀମାନେ ହାତ ଟେକିଦେବା ଭଳି ପରିସ୍ଥିତି ହେଉଛି। ସନ୍ଧ୍ୟା ସମୟରେ ସ୍ଥିତି ଆହୁରି ସଂଗିନ। ସେହିଭଳି ବାଦାମବାଡ଼ିରୁ ଯେଉଁ ବସ୍ ଓଏମପି ଆଡ଼କୁ ଯାଉଛି, ଉକ୍ତ ବସ୍ ଟ୍ରାଫିକ୍ ଥାନା ପଛପଟେ ଏବେ ବି ଅଟକୁ ଥିବାରୁ ସେଠାରେ ବି ଏକ ପ୍ରକାର ଅସ୍ଥାୟୀ ବସଷ୍ଟାଣ୍ଡ ଦୃଶ୍ୟ ସୃଷ୍ଟି ହେଉଛି। ମଧୁପାଟଣା ଟ୍ରାଫିକ ଥାନା ଆଇଆଇସି କିଶୋର ଚନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗଲା ଅକ୍ଟୋବରରେ ଟିଏମସି ବୈଠକରେ ଟ୍ରାଫିକ୍ ଛକରେ ସିଗନାଲ୍ ଓ ଜେବ୍ରା କ୍ରସିଂ ନଥିବା ସଂକ୍ରାନ୍ତରେ ଉପସ୍ଥାପନ କରାଯାଇଛି। ଫନି ପରଠାରୁ ସିଗନାଲ୍ ଅଚଳ ହୋଇଛି। ତେଣୁ ଏହାର ମରାମତି ପାଇଁ ସିଏମସିକୁ କୁହାଯାଇଛି। ଜେବ୍ରା କ୍ରସିଂ ସମ୍ପର୍କରେ ଏକ ସବ କମିଟି ଗଠନ ହୋଇ ଏ ସଂକ୍ରାନ୍ତ ରିପୋର୍ଟ ଟିଏମସି ବୈଠକରେ ବି ଉପସ୍ଥାପନ କରାଯାଇଛି। ତୁରନ୍ତ ଏସବୁ ମରାମତି କରିବା ପାଇଁ ଲିଖିତ ଭାବେ ଅବଗତ କରାଯାଇଛି।