କଟକ : ବହୁ ଚର୍ଚ୍ଚିତ ବାଲେଶ୍ୱର ମାଜିଷ୍ଟ୍ରେଟ୍ ଅନୁପମା ବେହେରା ହତ୍ୟାକଣ୍ଡ ମାମଲାର ଶୁଣାଣି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସହଦେବଖୁଣ୍ଟା ଥାନାର ତତ୍କାଳୀନ ଥାନା ଅଧିକାରୀ ମନୋଜ କୁମାର ରାଉତଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍ ସଂଜୟ କୁମାର ସାହୁଙ୍କ ଇଜଲାସ୍ରେ ମାମଲାର ଶୁଣାଣି ସମୟରେ ଶ୍ରୀ ରାଉତ ଘଟଣା ଦିନର ସହଦେବଖୁଣ୍ଟା ଥାନା ଷ୍ଟେସନ୍ ଡାଏରି ଉଲ୍ଲେଖକୁ ଚିହ୍ନଟ କରିଥିଲେ। ପୂର୍ବରୁ ସେ ନିଜ ବୟାନରେ କହିଥିଲେ ଯେ ସେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଦଳକୁ ଡକାଇଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ଅନୁପମା ବେହେରାଙ୍କ ସରକାରୀ କ୍ୱାର୍ଟର୍ସରୁ ତାଙ୍କ ଲାପ୍ଟପ, ମୋବାଇଲ ଫୋନ୍ ଜବତ କରିଥିଲେ। ଘଟଣାସ୍ଥଳରୁ ଆଙ୍ଗୁଳି ଛାପ ସଂଗ୍ରହ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ପ୍ରିୟରଂଜନ ମହାନ୍ତି ଓ ଜ୍ୟୋତି ରଂଜନ ମହାନ୍ତିଙ୍କ ମୋବାଇଲ ଫୋନ୍ ଜବତ କରାଯିବା ସହିତ ସେମାନଙ୍କ ଆଙ୍ଗୁଳି ଛାପ ସଂଗ୍ରଣ କରାଯାଇଥିଲା। ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟଙ୍କ ରିପୋର୍ଟ, କେମିକାଲ ପରୀକ୍ଷା ରିପୋର୍ଟ ଓ ଦାଖଲ କରାଯାଇଥିବା ସ୍ପଟ୍ ମ୍ୟାପକୁ ସେ ଚିହ୍ନଟ କରିଥିଲେ। ଆଜି ଶ୍ରୀ ରାଉତଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ଜେରା କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ୨୬ତମ ତଥା ଶେଷ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀ ଶ୍ରୀ ରାଉତ ହାଜର ହୋଇଥିଲେ। ଅନ୍ୟପକ୍ଷରେ ଜାନୁଆରି ୫ରେ ଅଭିଯୁକ୍ତଙ୍କ ବୟାନ ଅଦାଲତରେ ରେକର୍ଡ କରାଯିବ। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/muder-1.jpg)
