ମହାନଦୀକୁ ବସ ଖସିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

ମୃତ୍ୟୁ ସଂଖ୍ୟା ହେଲା ୧୧, ୨୮ ଜଣ ଯାତ୍ରୀଙ୍କ ଚିକିତ୍ସା ଜାରି

କଟକ: ପୋଲ ଉପରୁ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ମହାନଦୀକୁ ଖସିବା ଘଟଣାରେ ଶୁକ୍ରବାର ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। କଟକ ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭରତ ମଲ୍ଲିକ ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥି ସହିତ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ବର୍ତ୍ତମାନ ଏହି ଦୁର୍ଘଟଣାର ଶିକାର ହୋଇଥିବା ୨୮ ଜଣ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

ସୂଚନାଯୋଗ୍ୟ ଗତ ମଙ୍ଗଳବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାର ତାଳଚେର ଠାରୁ ବାହାରି ସନ୍ଧ୍ୟାରେ କଟକର ଜଗତପୁର ଅତିକ୍ରମ କରି ଶିଖରପୁର ଅଭିମୁଖେ ଥିବା ବସ୍‌ ମହାନଦୀକୁ ଖସିପଡ଼ିଥିଲା। ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଏମ୍ବୁଲାନ୍ସ ଏବଂ ପାଓ୍ଵାର ବୋଟକୁ ମଧ୍ୟ ନିୟୋଜିତ କରାଯାଇଥିଲା।

ଶିଖରପୁର ଅଭିମୁଖେ ଥିବା ବସ୍‌ ପୋଲ ଉପରୁ ପ୍ରାୟ ୩୦ ଫୁଟ ଗଭୀର ମହାନଦୀକୁ ଖସି ପଡ଼ିଥିଲା। ସନ୍ଧ୍ୟା ସମୟରେ ବସ୍‌ ମହାନଦୀର ବାଲୁକା ଶର୍ଯ୍ୟାରେ ବସ୍‌ ପଡିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରାୟ ୫ ଘଣ୍ଟା ଲାଗିଥିଲା।

ବସ୍‌ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ସେ ପୀଡିତ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ସେହିପରି ଆହତଙ୍କୁ ମାଗଣରେ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର