କଟକର ବର୍ଜ୍ୟଜଳରେ ମହାନଦୀ ପ୍ରଦୂଷିତ: ବିପଦରେ ଜଳଜୀବ ଓ ମଣିଷ, ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା

ବିଦ୍ୟାଧରପୁର: ମହାନଦୀ ପାଣି ଏବେ ଗୁରୁତର ଭାବେ ପ୍ରଦୂଷିତ ହେଉଛି। କଟକର ନର୍ଦ୍ଦମା ପାଣିକୁ ସିଧାସଳଖ ମହାନଦୀକୁ ଛାଡି ଦିଆଯାଉଛି। କଟକରେ ଆଞ୍ଚଳିକ ‌‌‌‌‌‌‌‌‌‌‌‌‌ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରହିଛି। ଏଠାରେ ଆଞ୍ଚଳିକ ଅଧିକାରୀ ଓ ଅନ୍ୟ ପଦାଧିକାରୀ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏଥିପ୍ରତି ସେମାନେ କୈାଣସି ପଦକ୍ଷେପ ନେଉ ନଥିବା ଏବେ ପ୍ରତିକ୍ରିୟାର କାରଣ ହୋଇଛି। ଆଞ୍ଚଳିକ ଅଧିକାରୀ ଇ° ରଶ୍ମିତା ପ୍ରିୟଦର୍ଶିନୀ କହିଛନ୍ତି ଯେ ଏ କ୍ଷେତ୍ରରେ ତାଙ୍କର ପ୍ରଦୂଷଣ ନିୟନ୍ତ୍ରଣ କରିବାର କ୍ଷମତା ନାହିଁ। ମହାନଦୀର ନରାଜ, ଧବଳେଶ୍ଵର ଓ ଗତିରାଉତପାଟଣା ନିକଟରୁ ମହାନଦୀରୁ ଜଳ ନମୁନା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ସେମାନେ ପଠାଉଛନ୍ତି। ରାଜ୍ୟ ପ୍ରଦୂଷଣ ବୋର୍ଡ ଏ କ୍ଷେତ୍ରରେ ଯାହା ପଦକ୍ଷେପ ନେଇ ପାରିବ। ଅନ୍ୟପଟେ ଯୋବ୍ରା ରେଳ ଲାଇନ୍ କଡେକଡେ ଅରକ୍ଷିତ ଦାସ ମଠ ନିକଟରେ ସି ଏମ୍ ସି ପକ୍ଷରୁ ଚଉଡ଼ା ଡ୍ରେନ ନିର୍ମାଣ କରାଯାଇ କଟକ ସହରର ବର୍ଜ୍ୟଜଳ, ନର୍ଦ୍ଦମା ପାଣି ସିଧାସଳଖ ମହାନଦୀକୁ ଛଡ଼ା ଯାଉଛି। ଏପଟେ ଗଣ୍ଡରପୁର ଠାରୁ ବାହାରିଥିବା ଏମ୍ ଏସ୍ ଡବ୍ଲୁ-୨ ନର୍ଦ୍ଦମା ପାଣି ନୂଆ ବଜାର, ବିଦ୍ୟାଧରପୁର, କେଶପୁର, ଏନ୍ ଆର୍ ଆର୍ ଆଇ ଦେଇ ଗୁଳୁଗୁଳି ପୋଲବାଟେ ସିଧାସଳଖ ମହାନଦୀରେ ମିଶୁଛି। ବର୍ଷାଦିନେ ଏହି ଗୁଳୁଗୁଳି ପୋଲବାଟେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପମ୍ପ ହାଉସ୍ ସାହାଯ୍ୟରେ ନର୍ଦ୍ଦମା ପାଣି ସିଧାସଳଖ ମହାନଦୀକୁ ଛଡ଼ା ଯାଉଥିବା ବେଳେ ଅନ୍ୟ ଋତୁରେ କବାଟ ଖୋଲି ଦିଆଯାଉଛି। ଏହାଛଡା ଶିଖରପୁର ଠାରୁ ଗାନ୍ଧୀ କଲୋନି, କହ୍ନେଇପୁର, ଭଦିମୂଳ, ଗତିରାଉତପାଟଣା, ଆୟତପୁର ମହାନଦୀ କୂଳରେ ହଜାର ହଜାର ଗୃହ ନିର୍ମାଣ କରି ରହିଥିବା ଲୋକଙ୍କ ବର୍ଜ୍ୟ ପାଣି ମହାନଦୀରେ ମିଶୁଛି। ପ୍ରଦୂଷିତ ମହାନଦୀ ପାଣି ସଂପର୍କରେ ମତ ରଖି ବିଶିଷ୍ଟ ମତ୍ସ୍ୟଚାଷ ବିଶେଷଜ୍ଞ ଡ଼ଃ ଅମ୍ବିକା ପ୍ରସାଦ ନାୟକ କହିଛନ୍ତି ଯେ ନର୍ଦ୍ଦମା ପାଣିରେ ଅତ୍ୟଧିକ ଜୈବିକ ପଦାର୍ଥ ମିଶି ରହିଥାଏ।

ଏହି ଜୈବିକ ପଦାର୍ଥର ବିଷାକ୍ତ ଗ୍ୟାସ ଯୋଗୁଁ ନଦୀଜଳରୁ ଦ୍ରବିଭୂତ ଅମ୍ଳଜାନ ପରିମାଣ କମିଯାଏ। ଫଳରେ ମାଛ, କଙ୍କଡା, ଚିଙ୍ଗୁଡ଼ି ଭଳି ଜଳଜୀବ ଅଧିକ ସଂଖ୍ୟାରେ ମରି ଯାଇଥାନ୍ତି। ଏଭଳି ମାଛ ଖାଇଲେ ମଣିଷ ବି ରୋଗରେ ପଡେ। ଅନ୍ୟପଟେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କହିଛନ୍ତି, ନର୍ଦ୍ଦମା ପାଣିରେ ବିଭିନ୍ନ ପ୍ରକାର କେମିକାଲ ମିଶି ରହିଥାଏ। ଏହି ପାଣି ନଦୀଜଳରେ ମିଶି ଅଧିକ ବିଷାକ୍ତ ହୋଇଥାଏ। ଏହି ପାଣିରେ ଗାଧୋଇଲେ ବିଭିନ୍ନ ପ୍ରକାରର ଚର୍ମରୋଗ ହୋଇଥାଏ। ମୂର୍ତ୍ତିକା ରସାୟନବି ହିରଣମୟୀ ଷଡ଼ଙ୍ଗୀ କହିଛନ୍ତି ଯେ ନର୍ଦ୍ଦମା ପାଣି ମିଶିଥିବା ନଦୀ ପାଣିରେ ଜଳସେଚନ କଲେ ମାଟି ଅମ୍ଳ ଓ ଏସିଡିଟି ହୋଇ ଉର୍ବର ଶକ୍ତି ହ୍ରାସ ପାଇବ। ଜମିରେ ଫସଲ ଉତ୍ପାଦନ କମିଯିବ। ଗତବର୍ଷ କିଶୋର ନଗର ନଦୀପଠାରେ ବେଆଇନ ଭାବେ ନିର୍ମାଣ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରିନ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କଟକସହର ମଧ୍ୟରେ ଥିବା ମହାନଦୀ କୂଳରେ ବହୁତଳ‌ ପ୍ରାସାଦ ନିର୍ମାଣ ଓ ନଦୀକୁ ବର୍ଜ୍ୟ ଜଳ ଛାଡ଼ିବା ପ୍ରସଙ୍ଗରେ ଗ୍ରିନ୍ ଟ୍ରିବୁନାଲ, ସିଡିଏ, ସି ଏମ୍ ସି, ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ମହାନଦୀର ସୁରକ୍ଷା ଦିଗରେ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର