ମାଲଗୋଦାମକୁ ନେଇ ଟଣାଓଟରା : ସପ୍ତାହକୁ ୪ ଦିନ ଖୋଲା, ତଥାପି କେଁ

କଟକ : ଜିଲ୍ଲା ପ୍ରଶାସନ କହୁଛି, ମାଲଗୋଦାମ ଖୋଲା ରହୁ। କିନ୍ତୁ ଦୈନିକ ଗ୍ରାହକ ସଂଖ୍ୟା ୩ ହଜାରରୁ ଅଧିକ ହେବ ନାହିଁ। ଏଭଳି ଅଜବ ପ୍ରସ୍ତାବକୁ କିଏ କିଭଳି କାର୍ଯ୍ୟ କରିବ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହେଉଛି। ମାଲଗୋଦାମ ସପ୍ତାହରେ ୬ ଦିନ ବଦଳରେ ଏବେ ୪ ଦିନ ଖୋଲା ରହୁଛି। ଦୈନିକ ୧୨ ଘଣ୍ଟା ବଦଳରେ ୪ଘଣ୍ଟା ବ୍ୟବସାୟିକ କାରବାର ହେଉଛି। ଏଭଳି କଟକଣା ଭିତରେ ଅଳ୍ପ ସମୟ ଗୋଦାମ ଖୋଲା ରହୁଥିବାରୁ ଗ୍ରାହକଙ୍କ ଭିଡ଼ ଜମୁଛି। କିନ୍ତୁ ଗ୍ରାହକଙ୍କ ସଂଖ୍ୟା ୩ ହଜାର ଭିତରେ ସୀମିତ ରଖିବାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ କେହି ବୁଝି ବି ପାରୁନାହାନ୍ତି।

Telegraph India

ମାଲଗୋଦାମକୁ ଲାଗି ରହିଥିବା ଉଭୟ ବେହେରା ସାହି ଓ ତେଲଗୁ ସାହି ବସ୍ତିରେ କରୋନା ପଜିଟିଭ ସଂଖ୍ୟା ୪୦୦ ଡେଇଁଲାଣି। ସଂକ୍ରମଣ ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ମାଲଗୋଦାମକୁ ଏକ ସପ୍ତାହ ସମ୍ପୂର୍ଣ୍ଣ ବନ୍ଦ କରି ସ୍ଥାନୀୟ ଅଞ୍ଚଳର ସମସ୍ତଙ୍କ କରୋନା ପରୀକ୍ଷା କରିବାକୁ ମାଲଗୋଦାମ ବ୍ୟବସାୟୀ ଦାବି କରିଛନ୍ତି। କିନ୍ତୁ ପ୍ରଶାସନ ସମ୍ପୂର୍ଣ୍ଣ ସଟଡାଉନ ନକରି ଏବେ ସପ୍ତାହରେ ବୁଧବାର, ଶନିବାର ଓ ରବିବାର ବନ୍ଦ କରି ଅବଶିଷ୍ଟ ୪ ଦିନ ଖୋଲା ରଖି ବାରମ୍ବାର କଟକଣା ବଦଳାଉଥିବାରୁ ବ୍ୟବସାୟୀମାନେ ସମସ୍ୟାରେ ପଡୁଛନ୍ତି। ହୋଲସେଲ ଗୋଦାମ ଦିନ ୧୦ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବାରୁ ମାଲ ଅନଲୋଡିଂ ଗୋଟିଏ ଦିନ ବଦଳରେ ୪ ଦିନ ଲାଗି ଯାଉଛି। ଶ୍ରମିକ ବି ଆସିବାକୁ ମନା କଲେଣି। ଦୈନିକ ୫ହଜାର ଶ୍ରମିକ ମାଲଗୋଦାମ ଆସୁଥିବା ବେଳେ ଏବେ ସଂଖ୍ୟା ୧୫ଶହକୁ ଖସିଲାଣି। କଟକଣା ବଦଳୁ ଥିବାରୁ ଶ୍ରମିକ ଆସୋସିଏସନ୍ ସହିତ ଆଜି ମାଲଗୋଦାମ ବଣିକ ସଂଘର ବୈଠକ ବସିଥିଲା। ଏଭଳି ନିୟମ ଆଗକୁ ପରିବର୍ତ୍ତନ ହେଲେ ଶ୍ରମିକ ମାଲଗୋଦାମ ଆସିବେ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଏବେ ସକାଳ ୭ଟାରୁ ମାଲ ଅନଲୋଡିଂ କରୁଥିବା ଶ୍ରମିକ ଦିନ ୧୦ଟାରେ ହୋଲସେଲିଂ ଗୋଦାମ କାରବାର ଆରମ୍ଭ ପରେ ଅନଲୋଡ଼ିଂ ବନ୍ଦ ରହୁଛି। ୨ଟା ବେଳେ କାରବାର ବନ୍ଦ ପରେ ଶ୍ରମିକ ପୁଣି ଅନଲୋଡିଂ କରିବାକୁ ରାଜି ହେଉନାହାନ୍ତି। ୪ ଘଣ୍ଟା ସେମାନେ ଅନଲୋଡିଂ ପାଇଁ ଅପେକ୍ଷା କରିବାକୁ ମନା କରି ଦେଇଛନ୍ତି।

ଅନ୍ୟପଟେ ଖୁଚୁରା ଦୋକାନ ଦିନ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ମାଲଗୋଦାମରେ ଏବେ ପାଖାପାଖି ୫୦୦ ଖୁଚୁରା ଦୋକାନ ରହିଛି। ଏହି ଦୋକାନଗୁଡ଼ିକୁ ଏ’ ଓ ବି’ ନାଁରେ ନାମକରଣ କରାଯାଇଛି। ଏ-ଶ୍ରେଣୀର ଦୋକାନ ଗୋଟିଏ ଦିନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବି’ ଶ୍ରେଣୀର ଦୋକାନ ପରଦିନ ଖୋଲିବ। ଅର୍ଥାତ ଦୈନିକ ୨୫୦ ଖୋଲାଯିବ ଏବଂ ଅବଶିଷ୍ଟ ୨୫୦ ଦୋକାନ ବନ୍ଦ ରହିବ। ସେଗୁଡ଼ିକ ପରଦିନ ଖୋଲାଯିବ। ଏହି ନିୟମ ଆସନ୍ତା ସୋମବାରଠାରୁ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ମାଲଗୋଦାମ ବଣିକ ସଂଘ ସମ୍ମତି ଜଣାଇଛି। ଏବେ ଲୋଡିଂ ପଏଣ୍ଟରେ ୨୦ଜଣ ଶ୍ରମିକ ରହୁଥିବାରୁ ସେମାନଙ୍କୁ ଘରକୁ ଯିବାକୁ ବାରଣ କରାଯାଇଛି। ଏହି ଲେବରଙ୍କ ପାଇଁ ସିଏମସି ପକ୍ଷରୁ ଆସନ୍ତା ସୋମବାରଠାରୁ ରହିବା ପାଇଁ ଘର ଓ ଖାଇବା ବ୍ୟବସ୍ଥା କରାଯିବ ବୋଲି ବଣିକ ସଂଘ ଯୁଗ୍ମ ସଂପାଦକ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି। ଯେଉଁମାନେ ଘରକୁ ଯିବେ ସେମାନଙ୍କ କରୋନା ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ଘରକୁ ପଠାଯିବ। ସେହିପରି ଯେଉଁମାନେ ଘରକୁ ଯିବେ ମାଲଗୋଦାମକୁ ଫେରିଲେ ସ୍ବାବ ସଂଗ୍ରହ କରାଯିବ। ରିପୋର୍ଟ ନେଗେଟିଭ ଆସିଲେ କାମ କରିବାକୁ ଅନୁମତି ଦିଆଯିବ।

ସମ୍ବନ୍ଧିତ ଖବର