କଟକ: ମାଲଗୋଦାମରେ ଦୀର୍ଘ ଦିନ ହେବ ପଙ୍କରେ ପୋତି ହୋଇଥିବା ଡ୍ରେନରୁ ଆବର୍ଜନା କାଢ଼ି ସଫେଇ କର୍ମଚାରୀମାନେ ରାସ୍ତାରେ କୁଢ଼ାଇଥିଲେ। କିନ୍ତୁ ଏହାକୁ ସ୍ଥାନାନ୍ତର କଲେନାହିଁ। ବର୍ଷା ହେବା ଫଳରେ ରାସ୍ତା ପଙ୍କ କାଦୁଅରେ ଘାଣ୍ଟି ଚକଟି ହୋଇଯିବା ସହିତ ପୂର୍ବ ଭଳି ପୁଣି ଡ୍ରେନ୍ ପୋତି ହୋଇଯାଇଛି। ସିଏମସିର ଏଭଳି କାର୍ଯ୍ୟକୁ ନେଇ ମାଲଗୋଦାମ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ଜଳ ନିଷ୍କାସନ ପାଇଁ କୌଣସି ବଡ଼ ପମ୍ପ ବ୍ୟବହାର ବି କରାଯାଇନାହିଁ। ଫଳରେ ଲଗାଣ ବର୍ଷା ହେଲେ ସ୍ଥିତି ସଂଗିନ ହେବାର ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ରେଭେନ୍ସା ପୁରୁଣା ଗେଟରୁ ମାଲଗୋଦାମ ଛକ ଯାଏ ନାଳରୁ ଆବର୍ଜନା ସିଏମସିର ସଫେଇ କର୍ମଚାରୀ ସଫା କରିଥିଲେ। ଆବର୍ଜନାଗୁଡ଼ିକ ବାହାରକୁ କାଢ଼ି ରାସ୍ତା ଉପରେ କୁଢ଼ାଇ ଦିଆଯାଇଥିଲା। କିନ୍ତୁ ଏହାକୁ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇନଥିଲା।
ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ସ୍ଥିତି ସଂଗିନ ହୋଇପଡ଼ିଛି। ନର୍ଦ୍ଦମାଗୁଡ଼ିକ ପୁଣି ପୋତି ହୋଇଯାଇଥିବାରୁ ମାଲଗୋଦାମରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ଅନ୍ୟପଟେ ମାଲଗୋଦାମରୁ ତାଳଦଣ୍ଡା କେନାଲକୁ ସଂଯୋଗ କରୁଥିବା ୭ଟି ଡ୍ରେନ୍ ବନ୍ଦ ଥିବାରୁ ଅସ୍ଥାୟୀ ଭଲଭୋ ପମ୍ପ ଲଗାଯାଇନାହିଁ। ଅମୁଲ ଗୋଦାମ ନିକଟ, ଏ.କେ ମହାନ୍ତି ଗଳି ଭଳି ସ୍ଥାନରେ ଜଳ ନିଷ୍କାସନ କରିବାର ଆବଶ୍ୟକତା ଥିବା ନେଇ ବାରମ୍ବାର ଦାବି ସତ୍ତ୍ବେ ସିଏମସି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।